ସିରିଆରେ ଇରାନ୍‌ର ସମ୍ପୃକ୍ତିଥିବା ଅସ୍ତ୍ରଶସ୍ତ୍ର ଗୋଦାମରେ ବିମାନ ଆକ୍ରମଣ କଲା ଆମେରିକା; ୯ ମୃତ

ୱାସିଂଟନ୍‌: ଆମେରିକୀୟ ନାଗରିକଙ୍କ ଉପରେ କରାଯାଉଥିବା ଆକ୍ରମଣର ଜବାବ ଦେବାକୁ ଯାଇ ବୁଧବାର ଦିନ ପୂର୍ବ ସିରିଆରେ ଥିବା ଇରାନ୍‌-ସମ୍ପୃକ୍ତ ଅସ୍ତ୍ରଶସ୍ତ୍ର ଗୋଦାମ ଉପରେ ଆମେରିକୀୟ ଲଢୁଆ ବିମାନ ଆକ୍ରମଣ କରିଥିବା କଥା ଆମେରିକାର ପ୍ରତିରକ୍ଷା ସଚିବ ଲିୟଡ୍‌ ଅଷ୍ଟିନ୍‌ କହିଛନ୍ତି।

ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ଅଷ୍ଟିନ୍‌ କହିଛନ୍ତି, ଇରାନ୍‌ର ‘ଇସ୍‌ଲାମିକ୍‌ ରିଭୋଲ୍ୟୁସ୍‌ନେରି ଗାର୍ଡ ଗ୍ରୁପ୍‌’ (ଆଇଆର୍‌ଜିସି) ଓ ତା’ର ସହଯୋଗୀ ସଙ୍ଗଠନଦ୍ବାରା ବ୍ୟବହୃତ ସିରିଆର ପୂର୍ବାଞ୍ଚଳରେ ଥିବା ଗୋଦାମ ଉପରେ ଆମେରିକା ସେନା ଆତ୍ମରକ୍ଷା ଲାଗି ଆକ୍ରମଣ କରିଛି। ଅସ୍ତ୍ରଶସ୍ତ୍ର ଗଚ୍ଛିତ ରଖିବା ଲାଗି ଉଦ୍ଦିଷ୍ଟ ଗୋଦାମ ଉପରେ ଦୁଇଟି ‘ୟୁଏସ୍‌ ଏଫ୍‌-୧୫’ ଲଢୁଆ ବିମାନଦ୍ବାରା ଆକ୍ରମଣ କରାଯାଇଥିଲା।

9 Killed In US Strikes On Iran-Linked Site In Syria: Report
Image Courtesy of NDTV

ଯୁଦ୍ଧ ଉପରେ ଦୃଷ୍ଟି ରଖୁଥିବା ‘ସିରିୟାନ୍‌ ଅବଜର୍‌ଭେଟରି ଫର୍‌ ହ୍ୟୁମାନ୍‌ ରାଇଟ୍ସ୍‌’ କହିଛି, ବୁଧବାର ଆକ୍ରମଣରେ ଇରାନ୍‌ ସମର୍ଥିତ ସଶସ୍ତ୍ର ସଙ୍ଗଠନର ୯ଜଣ ଲୋକଙ୍କର ମୃତ୍ୟୁ ଘଟିଛି।

ଉଲ୍ଲେଖଯୋଗ୍ୟ, ସିରିଆର ଅନ୍ୟ ଗୋଟାଏ ସ୍ଥାନରେ ଆକ୍ରମଣ କରିବାର ପ୍ରାୟ ୨ ସପ୍ତାହ ପରେ ଆମେରିକା ପୁଣି ଥରେ ବୁଧବାର ଦିନ ଏଭଳି ଆକ୍ରମଣ କରିଥିଲା। ଇରାନ୍‌ ସମର୍ଥିତ କେତେକ ସଶସ୍ତ୍ର ସଙ୍ଗଠନର ସଦସ୍ୟ ମଧ୍ୟପ୍ରାଚ୍ୟରେ ଆମେରିକୀୟ ସୈନିକମାନଙ୍କ ଉପରେ ଆକ୍ରମଣ କରିଥିଲେ ବୋଲି ୱାସିଂଟନ୍‌ ଅଭିଯୋଗ କରିଥିଲା।

ଜାରି କରିଥିବା ଉକ୍ତ ବିବୃତିରେ ମଧ୍ୟ ଅଷ୍ଟିନ୍‌ ଏ କଥା କହିଛନ୍ତି। ସେ କହିଛନ୍ତି, ଇରାକ୍‌ ଓ ସିରିଆରେ ଥିବା ଆମେରିକୀୟ କର୍ମଚାରୀଙ୍କ ଉପରେ ‘ଆଇଆର୍‌ଜିସି-କୁଦ୍‌ସ୍‌ ଫୋର୍ସ’ ସହଯୋଗୀମାନେ କରିଥିବା ସିରିଜ୍‌ ଆକ୍ରମଣର ଜବାବ ହେଉଛି ଏହି ନିର୍ଦ୍ଧାରିତ ଆତ୍ମରକ୍ଷା ଆକ୍ରମଣ। ଆମ ନାଗରିକ ଓ ପ୍ରତିଷ୍ଠାନଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକ ସମସ୍ତ ପଦ‌କ୍ଷେପ ଗ୍ରହଣ କରିବା ଲାଗି ଆମେରିକା ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି।

ସମ୍ବନ୍ଧିତ ଖବର