ସଂସଦର ମିଳିତ ଅଧିବେଶନକୁ ଉଦ୍‌ବୋଧନ: ରାଷ୍ଟ୍ରପତି ବି ଉଠାଇଲେ ଇମର୍ଜେନ୍ସି ପ୍ରସଙ୍ଗ

ଇମର୍ଜେନ୍ସି ସମ୍ବିଧାନ ଉପରେ ସିଧାସଳଖ ଆକ୍ରମଣ, ଭାରତୀୟ ଗଣତନ୍ତ୍ରର କଳା ଅଧ୍ୟାୟ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସଂସଦର ମିଳିତ ଅଧିବେଶନରେ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ୧୯୭୫ ମସିହାରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ସମ୍ବିଧାନ ଉପରେ ସିଧାସଳଖ ଆକ୍ରମଣ ଥିଲା ଏବଂ ଏହା ଭାରତୀୟ ଗଣତନ୍ତ୍ରରେ ସବୁଠାରୁ କଳା ଅଧ୍ୟାୟ। ଅଷ୍ଟାଦଶ ଲୋକସଭାରେ ପ୍ରଥମ ଅଭିଭାଷଣ ରଖି ରାଷ୍ଟ୍ରପତି କହିଛନ୍ତି, ବିଗତ ଦଶନ୍ଧି ମଧ୍ୟରେ ସମ୍ବିଧାନ ପ୍ରତ୍ୟେକ ଚ୍ୟାଲେଞ୍ଜ ଏବଂ ପ୍ରତ୍ୟେକ ପରୀକ୍ଷାର ସମ୍ମୁଖୀନ ହୋଇଛି। ୧୯୭୫ ମସିହା ଜୁନ୍ ୨୫ ତାରିଖରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବା ସମ୍ବିଧାନ ଉପରେ ବହୁତ ବଡ଼ ଆକ୍ରମଣ ଥିଲା ଏବଂ ସମଗ୍ର ଦେଶ ଏଥିରେ ପୀଡ଼ା ଅନୁଭବ କରୁଥିଲା। ଗଣତନ୍ତ୍ରର ପରମ୍ପରା ଭାରତର ମୂଳନୀତିରେ ରହିଥିବାରୁ ଏଭଳି ଅସାମ୍ବିଧାନିକ ଶକ୍ତି ଉପରେ ଦେଶ ବିଜୟୀ ହୋଇଛି ବୋଲି ରାଷ୍ଟ୍ରପତି କହିଛନ୍ତି।

ଇମର୍ଜେନ୍ସି ସମ୍ବିଧାନ ଉପରେ ସିଧାସଳଖ ଆକ୍ରମଣ
ଭାରତୀୟ ଗଣତନ୍ତ୍ରର କଳା ଅଧ୍ୟାୟ
ପେପର୍‌ ଲିକ୍‌ ମାମଲାର ଦୋଷୀ ଦଣ୍ଡିତ ହେବେ

ଜରୁରୀ ପରିସ୍ଥିତି ନେଇ ଶାସକ ବିଜେପି ଓ ବିରୋଧୀଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ଭିତରେ ରାଷ୍ଟ୍ରପତିଙ୍କ ଏହି ମନ୍ତବ୍ୟ ବେଶ୍‌ ଉଲ୍ଲେଖନୀୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ମନ୍ତ୍ରିମଣ୍ଡଳ ସଦସ୍ୟମାନେ ଇନ୍ଦିରା ଗାନ୍ଧୀ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତିର ଭୟାବହତା ଉପରେ ଗୁରୁତ୍ବାରୋପ କରିଥିବା ବେଳେ କଂଗ୍ରେସ ଏବଂ ଏହାର ସହଯୋଗୀ କହିଛନ୍ତି ଯେ ନରେନ୍ଦ୍ର ମୋଦୀ ସରକାରଙ୍କ ଗତ ୧୦ ବର୍ଷ ଶାସନରେ ଅଘୋଷିତ ଜରୁରୀ ପରିସ୍ଥିତି ଦେଖିବାକୁ ମିଳିଛି। ବିରୋଧୀ ଦଳ ନେତାମାନଙ୍କ ସମ୍ବିଧାନ ସୁରକ୍ଷା ପ୍ରୟାସ ଅଭିଯାନ ପରିପ୍ରେକ୍ଷୀରେ ମଧ୍ୟ ଆଜି ରାଷ୍ଟ୍ରପତିଙ୍କ ମନ୍ତବ୍ୟ ଅନେକ ଗୁରୁତ୍ବ ବହନ କରୁଛି। ରାଷ୍ଟ୍ରପତି କହିଛନ୍ତି, ମୋ ସରକାର ମଧ୍ୟ ଭାରତର ସମ୍ବିଧାନକୁ କେବଳ ଶାସନର ମାଧ୍ୟମ ଭାବରେ ବିବେଚନା କରନ୍ତି ନାହିଁ, ବରଂ ଆମ ସମ୍ବିଧାନ ଯେପରି ଜନସଚେତନତାର ଏକ ବଡ଼ ଅଂଶ ପାଲଟିବ ସେଥିପାଇଁ ଆମେ ପ୍ରୟାସ କରୁଛୁ। ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବଭାରତୀୟ ପରୀକ୍ଷା ନିଟ୍‌ରେ ଅନିୟମିତତା ପ୍ରସଙ୍ଗକୁ ମଧ୍ୟ ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଥିଲେ। ପେପର ଲିକ୍ ଘଟଣାର ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ବୋଲି ରାଷ୍ଟ୍ରପତି କହିଛନ୍ତି। ସରକାରୀ ନିଯୁକ୍ତି ଓ ପରୀକ୍ଷାରେ ପବିତ୍ରତା ଓ ସ୍ୱଚ୍ଛତା ଜରୁରୀ ଏବଂ ଦଳୀୟ ରାଜନୀତିରୁ ଉପରକୁଉଠି ଏହି ପ୍ରସଙ୍ଗରେ ଦୃଢ଼ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ରାଷ୍ଟ୍ରପତି ଏହି ମନ୍ତବ୍ୟ ଦେବା ବେଳେ ବିରୋଧୀ ସଦସ୍ୟଙ୍କ ପକ୍ଷରୁ ‘ନିଟ୍-ନିଟ୍‌’ ଗର୍ଜନ ଶୁଣିବାକୁ ମିଳିଥିଲା।

ସଂସଦ ସୁରୁଖୁରୁରେ ଚାଲିବା ଉପରେ ଗୁରୁତ୍ୱାରୋପ କରି ରାଷ୍ଟ୍ରପତି କହିଛନ୍ତି, ‘ନୀତିର ବିରୋଧ କରିବା ଏବଂ ସଂସଦୀୟ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଭିନ୍ନ କଥା। ଯେତେବେଳେ ସଂସଦ ସୁରୁଖୁରୁରେ ନିଜର କାର୍ଯ୍ୟ ସମ୍ପାଦନ କରେ, ଯେତେବେଳେ ଏଠାରେ ସୁସ୍ଥ ବିଚାର ବିମର୍ଶ ହୁଏ, ସୁଦୂରପ୍ରସାରୀ ନିଷ୍ପତ୍ତି ନିଆଯାଏ ଏବଂ ସେତେବେଳେ ଲୋକମାନେ କେବଳ ସରକାର ନୁହେଁ ବରଂ ସମଗ୍ର ବ୍ୟବସ୍ଥା ଉପରେ ଆସ୍ଥା ପ୍ରକଟ କରନ୍ତି। ତେଣୁ ସଂସଦର ପ୍ରତ୍ୟେକ ମୁହୂର୍ତ୍ତର ସମ୍ପୂର୍ଣ୍ଣ ଉପଯୋଗ କରାଯିବ ଏବଂ ଜନସ୍ୱାର୍ଥକୁ ପ୍ରାଥମିକତା ଦିଆଯିବ ବୋଲି ମୋର ବିଶ୍ୱାସ ରହିଛି।’

ସମ୍ବନ୍ଧିତ ଖବର