ଭାରତୀୟ ସେନାରେ ଖୁବ୍‌ଶୀଘ୍ର ସାମିଲ ହେବାକୁ ଯାଉଛି ଅଗ୍ନି-୫ ମିସାଇଲ, କ୍ଷଣିକରେ ପୂରା ଚୀନକୁ କରିବ ଧ୍ୱଂସ!

ନୂଆଦିଲ୍ଲୀ : ଭାରତୀୟ ସେନାରେ ଖୁବ୍‌ଶୀଘ୍ର ସାମିଲ ହେବାକୁ ଯାଉଛି ଅଗ୍ନି-୫ ମିସାଇଲ। ବାରମ୍ବାର ଚୀନ ସହ ଉତ୍ତେଜନା ପରିସ୍ଥିତି ଦେଖାଦେଉଥିବାରୁ ଭାରତ ନିଜର ସେନାବାହିନୀରେ ଏଭଳି ଏକ ବ୍ରହ୍ମାସ୍ତ୍ର ସାମିଲ କରିବାକୁ ସ୍ଥିର କରିଛି। ଯାହା କ୍ଷଣିକରେ ପୂରା ଚୀନକୁ ଧ୍ୱଂସ କରିବାକୁ ସକ୍ଷମ। ଆଉ ସବୁଠୁ ବଡ଼ କଥା ହେଉଛି, ପରମାଣୁ ଶକ୍ତି ସମ୍ପନ୍ନ ଏହି ମିସାଇଲର ରାଡ଼ାରରେ ପୂରା ଚୀନ ଆସୁଛି। ଏହି ମିସାଇଲଟି ୫୦୦୦ରୁ ୮୦୦୦ କିଲୋମିଟର ପର୍ଯ୍ୟନ୍ତ ଟାର୍ଗେଟକୁ ଲକ୍ଷ୍ୟଭେଦ କରିପାରିବ। ସେନାରେ ଏହି ମିସାଇଲ ସାମିଲ ହେବା ପରେ ଭାରତ ପୂର୍ବପେକ୍ଷା ଅଧିକ ଶକ୍ତିଶାଳୀ ହୋଇପାରିବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ସୂଚନା ମୁତାବିକ ୫୦୦୦ରୁ ୮୦୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରି ପାରୁଥିବା ଏହି ଅଗ୍ନି-୫ ମିସାଇଲ ପରମାଣୁ ଅସ୍ତ୍ରଶସ୍ତ୍ର ନେବା ପାଇଁ ସକ୍ଷମ। ଡିଆରଡିଓ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ମିସାଇଲର ୬ଷ୍ଠ ଥର ପାଇଁ ସଫଳ ପରୀକ୍ଷଣ ଅବଦୁଲ କଲାମ ଦ୍ୱୀପରୁ କରାଯାଇଥିଲା। ଆଉ ଏହାପରେ ଏହାକୁ ଏସଏଫସିରେ ସାମିଲ କରିବାକୁ ଭାରତ ପ୍ରସ୍ତୁତି ଜୋରଦାର କରୁଛି। ଏଠାରେ ସୁଚନାଯୋଗ୍ୟ ଯେ, ଏସଏଫସିକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ହସ୍ତାନ୍ତର କରିବା ପୂର୍ବରୁ ଏହାର ବାରମ୍ବାର ସଫଳ ପରୀକ୍ଷଣ କରାଯାଇଥାଏ।

ଅଗ୍ନି ସିରିଜର ଅଗ୍ନି-୫ ମିସାଇଲ ହେଉଛି ସବୁଠୁ ଅତ୍ୟାଧୁନିକ ହତିଆର। ଯାହା ପରମାଣୁ ଅସ୍ତ୍ରଶସ୍ତ୍ର ନେଉଥିବା ଅନ୍ୟ ମିସାଇଲ ଠାରୁ ବେଶ ଶକ୍ତିଶାଳୀ। ପୂର୍ବରୁ ଅଗ୍ନି ସିରିଜର ଅନ୍ୟ ମିସାଇଲ ଗୁଡ଼ିକ ପରୀକ୍ଷଣ କରାଯାଇଛି। ଭାରତ ପୂର୍ବରୁ ପାକିସ୍ତାନକୁ ଦୃଷ୍ଟିରେ ରଖି ଅଗ୍ନି-୧, ଅଗ୍ନି-୨, ଅଗ୍ନି-୩ ମିସାଇଲ ପରୀକ୍ଷଣ କରିଥିଲା। ତେବେ ଚୀନ ସହ ଉତ୍ତେଜନା ମୂଳକ ପରିସ୍ଥିତି ଦେଖା ଦେବାରୁ ଅଗ୍ନି-୪, ଅଗ୍ନି-୫ ମିସାଇଲର ପରୀକ୍ଷଣ କରିଛି। ଯାହାର ରାଡ଼ାରରେ ପୂରା ଚୀନ ଆସୁଛି। ୫୦ ଟନ ବିଶିଷ୍ଟ ଅଗ୍ନି-୫ ମିସାଇଲର ଲମ୍ବ ୧୭ ମିଟର ରହିଛି। ଏହି ମିସାଇଲ ଏକ ଟନରୁ ଅଧିକ ପରମାଣୁ ଅସ୍ତ୍ରଶସ୍ତ୍ର ନେବାକୁ ସକ୍ଷମ।

ସମ୍ବନ୍ଧିତ ଖବର