ନୂଆଦିଲ୍ଲୀ: ହତ୍ୟାକାରୀ ମା’ ସୂଚନା ସେଠଙ୍କୁ କିଏ ବା ଭୁଲିବ । ଯିଏକି ସ୍ବାମୀ ସହିତ ଝଗଡ଼ା କରିବା ପରେ ଗୋଆରେ ନିଜର ଚାରି ବର୍ଷର ପୁଅକୁ ଗଳା କାଟି ହତ୍ୟା କରିଥିଲା। ଏମିତି ଏକ ହୃଦୟବିଦାରକ ଘଟଣା ନାଗପୁରରେ ଘଟିଛି। ଏଠାରେ ଜଣେ ମହିଳା ନିଜର ତିନି ବର୍ଷର ଝିଅକୁ ଗଳା କାଟି ହତ୍ୟା କରିଛି।
![Sambad Whatsapp](https://cdn-icons-png.flaticon.com/512/2504/2504957.png)
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଘଟଣାକୁ ନେଇ ବୁଧବାର ଜଣେ ଅଧିକାରୀ କହିଛନ୍ତି,‘ମଇ ୨୦ ତାରିଖ ସନ୍ଧ୍ୟାରେ ଏମଆଇଡିସି ପୁଲିସ ଷ୍ଟେସନ ଅଞ୍ଚଳରେ ଏହି ଲୋମଟାଙ୍କୁରା ଘଟଣା ଘଟିଛି। ଅଭିଯୁକ୍ତା ଟ୍ୱିଙ୍କଲ ରାଉତ (୨୩) ଏବଂ ତାଙ୍କ ସ୍ୱାମୀ ରାମ ଲକ୍ଷ୍ମଣ ରାଉତ (୨୪) ଚାକିରି ଖୋଜିବା ପାଇଁ ଚାରି ବର୍ଷ ପୂର୍ବେ ନାଗପୁର ଆସିଥିଲେ।
ଦୁହେଁ ଏକ କାଗଜ ଉତ୍ପାଦନ କମ୍ପାନିରେ କାମ କରନ୍ତି ଏବଂ ଏମଆଇଡିସି ଅଞ୍ଚଳର ହିଙ୍ଗନା ରୋଡସ୍ଥିତ କମ୍ପାନି ପରିସରରେ ଥିବା ଏକ କୋଠରୀରେ ବସବାସ କରନ୍ତି। ସେମାନଙ୍କ ମଧ୍ୟରେ ଅନେକ ଦିନ ହେବ ବିବାଦ ଲାଗି ରହିଥିଲା। ପ୍ରତିଦିନ ରାମ ଲକ୍ଷ୍ମଣ ଓ ଟ୍ବିଙ୍କଲଙ୍କ ମଧ୍ୟରେ ଝଗଡ଼ା ଲାଗିଥାଏ।
ମଇ ୨୦ ତାରିଖରେ ସେମିତି ଟ୍ବିଙ୍କଲ ଓ ରାମଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିବା ବେଳେ ତାଙ୍କର ତିନିବର୍ଷ ଝିଅ କାନ୍ଦିବାକୁ ଲାଗିଥିଲା। ଏଥିରେ ଟ୍ବିଙ୍କଲ ରାଗି ଯାଇ ଝିଅର ଗଳାକାଟି ଦେଇଥିଲା। ମା’ର ଆକ୍ରମଣରେ ଝିଅର ପ୍ରାଣବାୟୁ ଉଡ଼ି ଯାଇଥିଲା।
ଏହାପରେ ମା’ ଟ୍ୱିଙ୍କଲ ମୃତ ଝିଅକୁ ଧରି ଚାରି କିଲୋମିଟର ରାସ୍ତା ବୁଲିବା ପରେ ରାତି ୮ଟାରେ ପୁଲିସ ତାକୁ ଧରିଥିଲା। ଥାନାକୁ ନେବାପରେ ପୁଲିସ ସମସ୍ତ ଘଟଣା ଜାଣିବା ପରେ ଟ୍ବିଙ୍କଲକୁ ଗିରଫ କରି ତା’ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୦୨ (ହତ୍ୟା) ଅନୁଯାୟୀ ମାମଲା ରୁଜୁ କରିଥିଲା।