କନସର୍ଟ ଚାଲିଥିବା ବେଳେ କୁଆପଥରମାଡ଼; ୧୦୦ରୁ ଅଧିକ ଦର୍ଶକ ଆହତ

ନୂଆଦିଲ୍ଲୀ: କନସର୍ଟ ଚାଲିଥିବା ବେଳେ ହଠାତ ଆକାଶରୁ ବର୍ଷା ହୋଇଥିଲା କୁଆପଥର । ଆକାଶରୁ ଟେନିସ ବଲ ଆକୃତିର କୁଆପଥର ପଡ଼ିବା ହେତୁ ଅନେକ ଦର୍ଶକ ଏଥିରେ ଆହତ ହୋଇଥିଲେ। ଏମିତି କି କୁଆପଥର ମାଡ଼ରୁ ବର୍ତ୍ତିବା ଲାଗି ଦର୍ଶକ ଭୟରେ ଜୀବନ ବଞ୍ଚାଇବାକୁ ଦୌଡ଼ୁଥିବା ବେଳେ ୧୦୦ରୁ ଅଧିକ ଦଳାଚକଟାରେ ଖଣ୍ଡିଆଖାବରା ବି ହୋଇଥିବା ଖବର ମିଳିଛି।

ଏଭଳି ଘଟଣା ଆମେରିକାର କୋଲୋରାଡୋରେ ଘଟିଛି। ଏଠାରେ ଗତକାଲି ବ୍ରିଟିସ କଣ୍ଠଶିଳ୍ପୀ ଲୁଇସ ଟାମଲିନସନଙ୍କ ସୋ’ ଚାଲିଥିଲା।  ସୋ’ ଦେଖିବାକୁ ପାଇଁ ହଜାର ହଜାର ସଂଖ୍ୟାରେ ଦର୍ଶକ ଆସି ପହଞ୍ଚିଥିଲେ। ଲୁଇସଙ୍କ ସୋ’କୁ  ଏକ ଖୋଲା ପଡ଼ିଆରେ ଆୟୋଜନ କରାଯାଇଥିଲା।

ସୋ’ ଚାଲିଥିଲା.. ଦର୍ଶକ ବି ଏହାକୁ ମନଭରି ଉପଭୋଗ କରୁଥିଲେ। ହଠାତ କାଳବୈଶାଖୀ ଆସିଲା ଯେ ସବୁକିଛି ବିଗାଡ଼ି ଦେଲା। କାଳବୈଶାଖୀ ସହିତ କୁଆପଥର ମାଡ଼ ବି ହୋଇଥିଲା। ଏଥିରେ ଭୟଭୀତ ହୋଇ ଦର୍ଶକ ଏଣେତେଣେ ଦୌଡ଼ାଦୌଡ଼ି ହୋଇଥିଲେ। ଫଳରେ କୁଆପଥର ମାଡ଼ ସାଙ୍ଗକୁ ଦଳାଚକଟାରେ ୧୦୦ରୁ ଅଧିକ ଦର୍ଶକ ଆହତ ହୋଇଥିଲେ।

ଏମିତି କି କୁଆପଥର ମାଡ଼ରେ ଗୁରୁତର ଆହତ ହୋଇଥିବା ୧୨ରୁ ଅଧିକ ଦର୍ଶକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଯେଉଁ କୁଆପଥର ବର୍ଷା ହୋଇଥିଲା ତାହାର ଆକୃତି ଟେନିସ ବଲଆକାରର ହେବ ବୋଲି ଦର୍ଶକ କହିଛନ୍ତି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୋ’ ଦେଖିବାକୁ ଆସିଥିବା ଦର୍ଶକ ଅଭିଯୋଗ କରି କହିଛନ୍ତି କି, ‘ଆୟୋଜକ ଘଟଣାସ୍ଥଳରେ କୌଣସି ପ୍ରକାର ସୁରକ୍ଷା ବ୍ୟବସ୍ଥା କରି ନଥିଲେ। ଏମିତି କି ପାଣିପାଗ ଖରାପ ଥିବା ନେଇ ପୂର୍ବରୁ ସୂଚନା ରହିଥିଲେ ବି ସୋ’କୁ ଆୟୋଜନ କରାଯାଇଥିଲା।’

ସମ୍ବନ୍ଧିତ ଖବର