ପତ୍ନୀ ଓ ୪ ପୁଅଙ୍କ ପାଇଁ ଏତେ ସମ୍ପତ୍ତି ଛାଡିଯାଇଛି ଅତିକ୍

ପ୍ରୟାଗରାଜ: କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟର ତଥା ପୂର୍ବତନ ସାଂସଦ ଅତିକ ଅହମଦକୁ ଶନିବାର ରାତିରେ ଗୁଳି କରି ହତ୍ୟା କରାଯାଇଥିଲା। ଆକ୍ରମଣରେ ଅତିକ ସହିତ ତାର ଭାଇ ଅସରଫ ଅହମଦ ମଧ୍ୟ ନିହତ ହୋଇଥିଲା। ଦୁହିଁଙ୍କ ଶବ ବ୍ୟବଚ୍ଛେଦ ପରେ ରବିବାର ସନ୍ଧ୍ୟାରେ କସାରୀ ମସାରୀ କବରସ୍ଥଳରେ ଅତିକ ଓ ଅସରଫକୁ କବର ଦିଆଯାଇଥିଲା। ଅତିକର ମୃତ୍ୟୁ ପରେ ଏବେ ତା’ର ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପତ୍ନୀ ଓ ୪ପୁଅଙ୍କ ପାଇଁ ଅତିକ କୋଟି କୋଟି ଟଙ୍କାର ସମ୍ପତ୍ତି ଛାଡ଼ିଯାଇଥିବା ଜଣାପଡ଼ିଛି।

ଅତିକର ପାଞ୍ଚ ପୁଅଙ୍କ ମଧ୍ୟରୁ ଅସଦର ଏନକାଉଣ୍ଟର ହୋଇଛି। ଏବେ ଅତିକର ଦୁଇ ପୁଅ ଜେଲରେ ଥିବାବେଳେ ଦୁଇ ନାବାଳକ ପୁଅ ଘରେ ଅଛନ୍ତି। ଉମେଶ ପାଲ ହତ୍ୟା ମାମଲାରେ ଅତିକଙ୍କ ପତ୍ନୀ ଶାଇସ୍ତା ପର୍ବିନ ଅଭିଯୁକ୍ତ ଥିବା ବେଳେ ସେ ଏବେ ଫେରାର ଅଛନ୍ତି। ତେବେ ୨୦୧୯ରେ ଅତିକ୍ ନିର୍ବାଚନ ଲଢ଼ିଥିବା ବେଳେ ସେତେବେଳେ ସେ ତା’ ସମ୍ପତ୍ତିର ବିବରଣୀ ଦେଇଥିଲା। ଏହା ଅନୁଯାୟୀ, ତା’ର ୨୭କୋଟି ୫୦ଲକ୍ଷରୁ ଅଧିକ ସ୍ଥାବର-ଅସ୍ଥାବର ସମ୍ପତ୍ତି ରହିଛି। ଅତିକ୍ ନାଁରେ ଏକାଧିକ ବିଳାସମୟ ଗାଡ଼ି, ୪ଟି ରାଇଫଲ ଏବଂ ପିସ୍ତଲ ପଞ୍ଜୀକୃତ ରହିଛି। ଅତିକର ପତ୍ନୀ ଶାଇସ୍ତାଙ୍କ ନାଁରେ ୫୦ଲକ୍ଷରୁ ଅଧିକ ଗହଣା ରହିଛି। ଏହା ବ୍ୟତୀତ ପ୍ରୟାଗରାଜରୁ ଦିଲ୍ଲୀ ଏବଂ ଗ୍ରେଟର ନୋଏଡା ପର୍ଯ୍ୟନ୍ତ ଅତିକ୍ ନାଁରେ ପ୍ଲଟ୍, ଫ୍ଲାଟ, ବଙ୍ଗଳା ଏବଂ ବହୁ ଚାଷ ଜମି ଅଛି। ତେବେ ଅତିକ୍ ଏହି ସୂଚନା ଦେଇଥିଲେ ବି ଏହା ବ୍ୟତୀତ ତା’ର ଅନେକ ବେନାମୀ ସମ୍ପତ୍ତି ରହିଛି, ଯାହା ଉପରେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ଉ କରିବା ଆରମ୍ଭ କରିଛି। ସେ ଶହଶହ କୋଟିଟଙ୍କାର ସଂପତ୍ତି ଠୁଳ କରିଥିବା ସୂଚନା ତଥ୍ୟାଭିଜ୍ଞ ମହଲରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର