ମୋଦୀ ସରକାର ପାଇଁ ବଡ଼ ଚ୍ୟାଲେଂଜ: ପେପର ଲିକ୍‌କୁ କିପରି ରୋକାଯାଇ ପାରିବ?

ନୂଆଦିଲ୍ଲୀ: ନିଟ୍ ପ୍ରବେଶିକା ଓ ୟୁଜିସି-ନେଟ୍ ପରୀକ୍ଷାରେ ଅନିୟମିତତାକୁ ନେଇ ବିକ୍ଷୋଭକାରୀମାନେ ରାଜରାସ୍ତାକୁ ଓହ୍ଲାଇଥିବା ବେଳେ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଟାର୍ଗେଟ କରିବା ସହ ସଂସଦରେ ଏହାକୁ ଜୋରଦାର ଉଠାଇବାକୁ ଅଣ୍ଟା ଭିଡ଼ିଛନ୍ତି। କୋଟି କୋଟି ତରୁଣଙ୍କ ସ୍ୱପ୍ନ ଭାଙ୍ଗିବା ଏବଂ ଅଗଣିତ ଭବିଷ୍ୟତକୁ ବିପଦରେ ପକାଇବା ପାଇଁ କିଏ ଦାୟୀ ତାହାକୁ ନେଇ ବିତର୍କ ଚାଲିଛି। ବର୍ତ୍ତମାନ ନରେନ୍ଦ୍ର ମୋଦୀ ସରକାରଙ୍କ ସମେତ ସମସ୍ତ ଅଂଶୀଦାରଙ୍କ ପାଇଁ ଏକ ବଡ଼ ଆହ୍ବାନ ହେଉଛି, ପେପର ଲିକ୍ ଶିଳ୍ପକୁ କିପରି ଧୂଳିସାତ୍ କରାଯିବ। ସାରା ଦେଶରେ ଅନୁଷ୍ଠିତ ହେଉଥିବା ସାର୍ବଜନୀନ ପରୀକ୍ଷା ଓ ସାଧାରଣ ପ୍ରବେଶିକା ପରୀକ୍ଷାରେ ଅନିୟମିତତାକୁ ରୋକିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଶୁକ୍ରବାର ପବ୍ଲିକ୍ ଏକ୍‌ଜାମିନେସନ୍ସ (ପ୍ରିଭେନ୍ସନ୍ ଅଫ୍ ଅନ୍‌ଫେୟାର ମିନ୍ସ) ଆକ୍ଟ, ୨୦୨୪ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ କଠୋର ବ୍ୟବସ୍ଥା ରହିଛି, କିନ୍ତୁ କେବଳ ଏତିକି ଯଥେଷ୍ଟ ନୁହେଁ। କେନ୍ଦ୍ର ସହ ରାଜ୍ୟମାନେ ମଧ୍ୟ ଆବଶ୍ୟକ ପଦକ୍ଷେପ ନେବା ଦରକାର, କାରଣ ରାଜ୍ୟ ପରିଚାଳିତ ପରୀକ୍ଷାରେ ହିଁ ଅଧିକ ଅନିୟମିତା ହେଉଛି। ପେପର ଲିକ୍ ମାଫିଆଙ୍କୁ ଦମନ କରିବା ପାଇଁ ସ୍ଥାନୀୟ ପ୍ରୟାସ ସହ ଟେକ୍ନୋଲୋଜିର ବ୍ୟବହାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏଥିସହିତ ଏକ ସମାଜ ହିସାବରେ ଆମକୁ ଚିନ୍ତା କରିବାକୁ ପଡ଼ିବ ଯେ ଚାହିଦା ହିଁ ପେପର ଲିକ୍‌କୁ ପ୍ରୋତ୍ସାହିତ କରୁଛି।

ପ୍ରଶ୍ନପତ୍ର ଲିକ୍ ରୋକିବାରେ ରାଜ୍ୟଗୁଡ଼ିକର ଭୂମିକା
ପେପର ଲିକ୍ ମାଫିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନୂଆ ଆଇନ ଗତକାଲି ପ୍ରଣୟନ କରାଯାଇଛି। ଏଥିରେ କେବଳ କେନ୍ଦ୍ର ଲୋକସେବା ଆୟୋଗ, ଷ୍ଟାଫ୍ ସିଲେକ୍ସନ କମିସନ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି, ରେଳବାଇ ନିଯୁକ୍ତି ବୋର୍ଡ, ଆଇବିପିଏସ୍ ଭଳି ଏଜେନ୍ସି ମାଧ୍ୟମରେ କେନ୍ଦ୍ର ସରକାର କରୁଥିବା ପରୀକ୍ଷାକୁ ଅନ୍ତର୍ଭୁକ୍ତ କରାଯାଇଛି। ବିହାର ଲୋକସେବା ଆୟୋଗ ଏବଂ ରାଜସ୍ଥାନ ଷ୍ଟାଫ୍ ସିଲେକ୍ସନ କମିସନ ଭଳି ରାଜ୍ୟ ଏଜେନ୍ସିଗୁଡ଼ିକୁ ଆଇନ ପରିସରରୁ ବାଦ୍ ଦିଆଯାଇଛି। ଏହି ରାଜ୍ୟ ପାଇଁ ମଧ୍ୟ ଉକ୍ତ ଆଇନ ପ୍ରଯୁଜ୍ୟ ହେବା ଦରକାର। କାରଣ ଏହି ରାଜ୍ୟରେ ପେପର ଲିକ୍ ଓ ଅନ୍ୟାୟ ଉପାୟର ଅଧିକାଂଶ ମାମଲା ସାମ୍ନାକୁ ଆସୁଛି ବୋଲି ଆଇନଜୀବୀ ଅନୁଭା ଶ୍ରୀବାସ୍ତବ ସହାୟ କହିଛନ୍ତି। ଶିକ୍ଷା ବିଷୟ ରାଜ୍ୟ ଅଧିକାରଭୁକ୍ତ ହୋଇଥିବାରୁ ରାଜ୍ୟଗୁଡ଼ିକ କେନ୍ଦ୍ରୀୟ ଆଇନକୁ ଅନୁମୋଦନ କରି ତାହାକୁ ନିଜ ରାଜ୍ୟରେ କାର୍ଯ୍ୟକାରୀ କରୁଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା।

ଉତ୍ତରପ୍ରଦେଶ ସରକାରଙ୍କ ପଦକ୍ଷେପ
ନେଟ୍-ନିଟ୍ ବିବାଦ ମଧ୍ୟରେ ଉତ୍ତରପ୍ରଦେଶ ସରକାର ପେପର ଲିକ୍ ଶିଳ୍ପର ମୁକାବିଲା ପାଇଁ ଏକ ପଦକ୍ଷେପ ନେବାକୁ ଯାଉଛନ୍ତି। ଯୋଗୀ ଆଦିତ୍ୟନାଥଙ୍କ ସରକାର ପେପର ଲିକ୍ ରୋକିବା ଏବଂ ଏ ବାବଦ ସଂଗଠିତ ଅପରାଧ ଉପରେ ଲଗାମ କଷିବା ପାଇଁ ଏକ ନୂଆ ଆଇନ ଆଣିବେ। ଏଥିରେ ପ୍ରବଳ ଜରିମାନା, ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଓ ଜେଲ୍ ଦଣ୍ଡର ବ୍ୟବସ୍ଥା ରହିବ।

ଆଇନର କାର୍ଯ୍ୟକାରିତା ଗୁରୁତ୍ୱପୂର୍ଣ୍ଣ
କେବଳ ଆଇନ ପ୍ରଣୟନ ପ୍ରଶ୍ନପତ୍ର ଲିକ୍ ସମସ୍ୟା ଦୂର କରିପାରିବ ନାହିଁ। ଏହାର କାର୍ଯ୍ୟକାରିତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ଅଭିଭାବକ ସଂଘର ମଧ୍ୟ ସଭାପତି ଥିବା ଶ୍ରୀମତୀ ଅନୁଭା ଶ୍ରୀବାସ୍ତବ ସହାୟ କହିଛନ୍ତି। ବିଶେଷଜ୍ଞମାନେ ପ୍ରଶ୍ନପତ୍ର ଲିକ୍‌କୁ ରୋକିବା ପାଇଁ ଅନେକ ସଂଶୋଧନମୂଳକ ପଦକ୍ଷେପ ନେବାକୁ ପ୍ରସ୍ତାବ ଦେଇଛନ୍ତି, ଯେଉଁଥିରେ ବାତିଲ ହୋଇଥିବା ପରୀକ୍ଷାଗୁଡ଼ିକୁ ତୁରନ୍ତ ପୁନଃପରିଚାଳନା କରାଇବା ପାଇଁ ପରାମର୍ଶ ରହିଛି। ଭାରତରେ ପ୍ରତିବର୍ଷ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ପରୀକ୍ଷା ସମ୍ବନ୍ଧୀୟ ଅଭିଯୋଗର ସହଜ ସମାଧାନ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଆଇନଜୀବୀ ଅନୁଭା କହିଛନ୍ତି, ଆଇନ ଏପରି ହେବା ଦରକାର ଯାହାଦ୍ବାରା ଛାତ୍ରଛାତ୍ରୀଙ୍କୁ ଅଦାଲତ ଯିବାକୁ ପଡ଼ିବ ନାହିଁ। ଛାତ୍ରଛାତ୍ରୀମାନେ କୋର୍ଟ ନ ଯାଇ ଦୁର୍ଗମ ଅଞ୍ଚଳରୁ ମଧ୍ୟ ନ୍ୟାୟ ବିଚାର ପାଇପାରିବା ଦରକାର।

ନୈତିକ ହ୍ୟାକରମାନଙ୍କୁ ସାମିଲ କରିବା
ତ୍ରୁଟିକୁ ରୋକିବା ପାଇଁ କର୍ତ୍ତୃପକ୍ଷ ନୈତିକ ହ୍ୟାକରମାନଙ୍କୁ ସାମିଲ କରିବାର ବ୍ୟବସ୍ଥା ଅନ୍ତର୍ଭୁକ୍ତ କରିପାରନ୍ତି। ସିଷ୍ଟମର ତ୍ରୁଟି ଚିହ୍ନଟ କରିବା ପାଇଁ ନୈତିକ ହ୍ୟାକରମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ଦ୍ୱାରା ଆଇନର ଫଳପ୍ରଦତା ବୃଦ୍ଧି ପାଇପାରିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର