୪୫ ଦିନ ବ୍ରିଟେନର ପ୍ରଧାନମନ୍ତ୍ରୀ ରହିବା ପରେ ଇସ୍ତଫା ଦେଲେ ଲିଜ୍ ଟ୍ରସ୍

ଲଣ୍ଡନ : ମାତ୍ର ୪୫ ଦିନ ପାଇଁ ବ୍ରିଟେନର ପ୍ରଧାନମନ୍ତ୍ରୀ ରହିବା ପରେ ଲିଜ୍ ଟ୍ରସ୍ ଗୁରୁବାରଦିନ ଇସ୍ତଫା ଦେଇଛନ୍ତି । ବ୍ରିଟିସ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ୧୦, ଡାଉନିଂ ଷ୍ଟ୍ରିଟ ଆଗରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ ନିଜର ଇସ୍ତଫା ସଂପର୍କରେ ଘୋଷଣା କରିଛନ୍ତି ।

ସେ କହିଛନ୍ତି ଯେ, ସପ୍ତାହକ ମଧ୍ୟରେ କଂଜରଭେଟିଭ ପାର୍ଟିର ନେତା ନିର୍ବାଚନ ହେବ । ସେ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ପଦରେ ରହିବେ ।

ଟ୍ରସଙ୍କ ଆର୍ଥିକ ନୀତି ଯୋଗୁଁ ବ୍ରିଟେନରେ ଆର୍ଥିକ ଅସ୍ଥିରତା ଆସିବା ମଧ୍ୟରେ ସେ ନିଜ ଦଳର ଭରସା ହରାଇଥିଲେ । ଇସ୍ତଫା ଦେବାକୁ ତାଙ୍କ ଉପରେ ଚାପ ପଡ଼ୁଥିଲା ।

 

ଟ୍ରସ କହିଛନ୍ତି ଯେ, ଯେଉଁ ପ୍ରତିଶ୍ରୁତି ଦେଇ ସେ ନେତା ନିର୍ବାଚିତ ହୋଇଥିଲେ, ତାହାକୁ ପୂରଣ କରିବାରେ ବିଫଳ ହୋଇଛନ୍ତି । ଏଣୁ ସେ କଂଜରଭେଟିଭ ଦଳର ନେତା ପଦ ଛାଡ଼ୁଥିବା ବ୍ରିଟେନର ରାଜାଙ୍କୁ ଜଣାଇଦେଇଛନ୍ତି ।

ନୂଆ ନେତା ନିର୍ବାଚନ ପାଇଁ ସେ ୧୯୨୨-କମିଟିର ସଭାପତି ସାର୍ ଗ୍ରାହାମ ବ୍ରାଡିଙ୍କୁ ସାକ୍ଷାତ କରିଥିଲେ ଓ ଆସନ୍ତା ସପ୍ତାହରେ ନୂଆ ନେତା ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ବ୍ରାଡି ରାଜିହୋଇଥିବା ଲିଜ୍ କହିଛନ୍ତି ।

ଲିଜ୍ ଟ୍ରସଙ୍କ ଇସ୍ତଫା ପରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ପଦ ପାଇଁ ଦୌଡ଼ ଆରମ୍ଭ ହୋଇଯାଇଛି । ଏହି ଦୌଡ଼ରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ପୁଣି ସାମିଲ ହୋଇଯାଇଛନ୍ତି ।

ସମ୍ବନ୍ଧିତ ଖବର