କାନାଡ଼ାରେ ନାମଲେଖା ପାଇଁ ନକଲି ଅଫର ଲେଟର୍‌ ମାମଲା: ଜଣେ ଠକ ୭୦୦ ଛାତ୍ରଙ୍କୁ ଚୂନ ଲଗାଇଲା କେମିତି?

ନୂଆଦିଲ୍ଲୀ, ୯/୬: କାନାଡ଼ାରେ ୭୦୦ରୁ ଅଧିକ ଛାତ୍ର ଏବେ ଅଡ଼ୁଆରେ ପଡ଼ିଛନ୍ତି। ପଞ୍ଜାବ ଜଳନ୍ଧରର ଜଣେ ଠକ ଏଜେଣ୍ଟ୍‌ ଏସବୁ ଛାତ୍ରମାନଙ୍କୁ ନକଲି ଅଫର ଲେଟର ଦେଇ କାନାଡ଼ା ପଠାଇଥିଲେ। ଉଚ୍ଚଶିକ୍ଷା ପାଇଁ ସେମାନେ କାନାଡ଼ା ଯାଇଥିଲେ। କିନ୍ତୁ ସେମାନଙ୍କ ଭାଗ୍ୟ ଏବେ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି। ଅସୁବିଧାରେ ପଡ଼ିବା ପରେ ଛାତ୍ରମାନେ ଏବେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଭେଟି ସହାୟତା ‌ଲୋଡ଼ିଛନ୍ତି। ତେବେ ଏତେ ସଂଖ୍ୟକ ଛାତ୍ରଙ୍କୁ ଜଣେ ଠକ କିଭଳି ଚୂନ ଲଗାଇଲା ତାହା ଏବେ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି।

ଉକ୍ତ ଛାତ୍ରମାନେ ପ୍ରଥମେ ଏଜେଣ୍ଟର ଏଭଳି କାରନାମା ସଂପର୍କରେ ଜାଣି ନଥିଲେ। କିନ୍ତୁ ଏହା ଜାଣିବା ପରେ ସେମାନେ ଟରଣ୍ଟୋର ମିସିସାଉଗାସ୍ଥିତ କାନାଡ଼ିଆନ୍ ବର୍ଡର ସିକ୍ୟୁରିଟି ଏଜେନ୍ସି (ସିବିଏସ୍‌ଏ) ମୁଖ୍ୟାଳୟ ବାହାରେ ଗତ ମାସ ୨୯ ତାରିଖରୁ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଅଣ୍ଟାରିଓର ଅନ୍ୟ ସ୍ଥାନରେ ମଧ୍ୟ ଆନ୍ଦୋଳନ ଚାଲିଛି। ଆନ୍ଦୋଳନରତ ଛାତ୍ରଛାତ୍ରୀମାନେ କାନାଡ଼ାର ଆପ୍ରବାସନ ମନ୍ତ୍ରୀ ସିନ ଫ୍ରେଜରଙ୍କୁ ଭେଟିଛନ୍ତି। ମନ୍ତ୍ରୀ ମଧ୍ୟ ଘଟଣାର ଅନୁଧ୍ୟାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ନାମଲେଖା ଚିଠି ନକଲି ବୋଲି ଜଣାପଡ଼ିବା ପରେ ସିବିଏସ୍‌ଏ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ଦେଶାନ୍ତର ଚିଠି ପ୍ରଦାନ କରାଯାଇଛି। ତେବେ ବିଦେଶକୁ ଶିକ୍ଷା ପାଇଁ ପଠାଇଥିବା ଠକ ଏଜେଣ୍ଟ ଜଣକ ହେଉଛି ବ୍ରିଜେଶ ମିଶ୍ରା। ନକଲି ଅଫର ଲେଟର ଦେବା ପୂର୍ବରୁ ଏହି ଠକ ଜଣକ ପ୍ରତ୍ୟେକ ଛାତ୍ରଙ୍କୁ ଏହା ସେମାନଙ୍କ ସ୍ବପ୍ନ ପୂରଣର ମାଧ୍ୟମ ବୋଲି କହିଥିଲା। ଠକାମୀର ଶିକାର ହୋଇଥିବା ସମସ୍ତ ଛାତ୍ର ଏହି ଠକର କଥାରେ ପ୍ରଭାବିତ ହୋଇଥିଲେ। ଏବେ ଏହି ଏଜେଣ୍ଟ ଫେରାର ହୋଇଯାଇଥିବା ଜଣାପଡ଼ିଛି ।

ଏକ ସୂଚନା ଅନୁଯାୟୀ, କିଛି ଛାତ୍ରଙ୍କୁ କାନାଡ଼ା ସରକାର ଭାରତକୁ ପଠାଇ ଦେଇଥିବାବେଳେ ଅନ୍ୟମାନଙ୍କୁ ପଠାଇବା ଲାଗି ପ୍ରସ୍ତୁତି ଚଳାଇଛନ୍ତି। କିଛି ଛାତ୍ର ସେମାନଙ୍କ ପାଠ୍ୟକ୍ରମ ଶେଷ କରିଥିବାବେଳେ ଆଉ କିଛି ଛାତ୍ର ଚାକିରି ପାଇଁ ଅନୁମତି ସହିତ ସ୍ନାତକୋତ୍ତର ପାଠ୍ୟକ୍ରମ ପଢ଼ିବା ବେଳେ ଉକ୍ତ ଠକେଇ ଘଟଣା ସାମ୍ନାକୁ ଆସିଛି। ତେବେ ଉକ୍ତ ସମସ୍ୟାର ସମାଧାନ ପାଇଁ ପଞ୍ଜାବର ଏନଆରଆଇ ମନ୍ତ୍ରୀ କୁଲଦୀପ ସିଂହ ଧଲିୱାଲ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡ଼ିଛନ୍ତି।

ସମ୍ବନ୍ଧିତ ଖବର