ବଢିଲା ୟେଦିୟୁରାପ୍ପାଙ୍କ ଅଡ଼ୁଆ, ନାବାଳିକା ଅସଦାଚରଣ ମାମଲାରେ  ଚାର୍ଜସିଟ୍ ଦାଖଲ କଲା ସିଆଇଡି

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଏସ୍ ୟେଦୁରପ୍ପାଙ୍କ ସମସ୍ୟା ବଢ଼ିଛି। ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ କର୍ଣ୍ଣାଟକ ସିଆଇଡି ତାଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଅନୁଯାୟୀ ଚାର୍ଜସିଟ୍ ଦାଖଲ କରିଛି। ସ୍ବତନ୍ତ୍ର ଅଦାଲତରେ ଦାଖଲ ହୋଇଥିବା ଚାର୍ଜସିଟରେ ସେ ଜଣେ ନାବାଳିକା ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।

ଚଳିତ ବର୍ଷ ମାର୍ଚ୍ଚ ମାସରେ ସଦାଶିବନଗର ପୁଲିସ ବିଜେପିର ବରିଷ୍ଠ ନେତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ତତ୍କାଳୀନ କର୍ଣ୍ଣାଟକ ଡିଜିପି ଆଲୋକ ମୋହନ ସିଆଇଡିକୁ ତଦନ୍ତ ଦାୟିତ୍ୱ ଦେଇଥିଲେ। ୧୭ ବର୍ଷୀୟା ନାବାଳିକାଙ୍କ ମା’ଙ୍କ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ ହୋଇଛି। ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ଚଳିତ ବର୍ଷ ଫେବ୍ରୁଆରି ୨ ତାରିଖରେ ଡଲାର କଲୋନୀସ୍ଥିତ ତାଙ୍କ ବାସଭବନରେ ଏକ ସଭା ସମୟରେ ୟେଦୁରପ୍ପା ତାଙ୍କ ଝିଅକୁ ଅସଦାଚରଣ କରିଥିଲେ।

ୟେଦୁରପ୍ପା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏବଂ କହିଛନ୍ତି ଯେ ମୋ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ଲୋକଙ୍କୁ ଲୋକମାନେ ଶିକ୍ଷା ଦେବେ। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଥିବା ୫୪ ବର୍ଷୀୟା ମହିଳାଙ୍କ ଫୁସଫୁସ୍ କର୍କଟ କାରଣରୁ ଗତ ମାସରେ ଏଠାକାର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର