କଂଗ୍ରେସ ହିମାଚଳପ୍ରଦେଶକୁ ଏଟିଏମ୍‌ କରିଦେଇଛି: ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ଉପରେ ବର୍ଷିଛନ୍ତି। ହିମା‌ଚଳପ୍ରଦେଶରେ ଏକ ରାଲି କରି ଶାହ କହିଛନ୍ତି, ସୁଖୁ ରାଜ୍ୟକୁ କଂଗ୍ରେସ ଦଳର ଏଟିଏମ୍‌ରେ ପରିଣତ କରିଦେଇଛନ୍ତି। ଯେତେବେଳେ ବି ନିର୍ବାଚନ ହେଉଛି କଂଗ୍ରେସ ଦଳ ରାଜ୍ୟର ଲୋକମାନଙ୍କ କଷ୍ଟ ଅର୍ଜିତ ଧନକୁ ନିର୍ବା‌ଚନ ପାଇଁ ବ୍ୟବହାର କରୁଛି। କଂଗ୍ରେସ ଦ୍ବାରା କୌଣସି ବିକାଶ ହୋଇପାରିବନି କିନ୍ତୁ ବିକାଶ ହେଉଛି ବିଜେପିର ଅଭ୍ୟାସ। କଂଗ୍ରେସ ଉପରେ ଆକ୍ରମଣ କରି ଶାହ କହିଛନ୍ତି, ମୋଦୀଜୀ ୩୧୦ରୁ ଅଧିକ ଆସନରେ ଜିତି ସାରିଲେଣି ଏବଂ ଷଷ୍ଠ ଏବଂ ସପ୍ତମ ପର୍ଯ୍ୟାୟରେ ବିଜେପି ୪୦୦ ଆସନ ଟପିବ ବୋଲି ସେ ଦୃଢ଼ୋକ୍ତି ବାଢ଼ିଛନ୍ତି।

ତେଣୁ ୪୦୦ ପାଇବାର ଦାୟିତ୍ବ ଲୋକଙ୍କ ଉପରେ ନିର୍ଭର କରୁଛି ଯେଉଁମ‌ାନେ କି ସପ୍ତମ ପର୍ଯ୍ୟାୟରେ ଭୋଟ୍‌ ଦେବେ। ଅନ୍ୟପକ୍ଷେ ରାହୁଲ ଗାନ୍ଧୀ ୪୦ ଆସନକୁ ଖସି ଆସିବେ ବୋଲି ସେ କହିଛନ୍ତି। ରାଜ୍ୟରେ ବର୍ତ୍ତମାନର କଂଗ୍ରେସ ସରକାର ଦୁର୍ନୀତିରେ ଲିପ୍ତ ବୋଲି ଅଭିଯୋଗ କରି ଶାହ କହିଛନ୍ତି, ମୋଦୀଜୀ ବିପର୍ଯ୍ୟୟ ସମୟରେ ୩୨୦୦ କୋଟି ଟଙ୍କା ପଠାଇଥିଲେ କିନ୍ତୁ ସେମାନେ ଏଥିରୁ ସିଂହଭାଗ ଅର୍ଥ ଚଳୁକଲେ। ହିମାଚଳରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ନେତାମାନେ ବିଧାନସଭାରୁ ସେମାନଙ୍କ ଇସ୍ତଫା ଦେଇ ସାରିଛନ୍ତି। ତେବେ ସେମାନେ ବିଜେପି ପ୍ରାର୍ଥୀ ଭାବେ ପୁଣିଥରେ ନିର୍ବା‌ଚିତ ହେବେ। ଏହାପରେ ହିମାଚଳରେ କଂଗ୍ରେସ ସରକାର ତାସ୍‌ ଘର ଭଳି ଭାଙ୍ଗିଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର