ମହଙ୍ଗା ହେଲା ମୋବାଇଲ୍‌ ରିଚାର୍ଜ: ଟାରିଫ୍‌ରେ ୨୫% ପର୍ଯ୍ୟନ୍ତ ବୃଦ୍ଧି କଲା ଜିଓ

ମୁମ୍ବାଇ: ଦେଶରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ସହ ମହଙ୍ଗା ଯୁଗ ଆରମ୍ଭ ହୋଇଯାଇଛି। ପୂର୍ବରୁ ଯେଭଳି ପୂର୍ବାନୁମାନ କରାଯାଇଥିଲା, ସେହି ଅନୁସାରେ ଟେଲିକମ୍ କମ୍ପାନି ‌ଶୁଳ୍କରେ ବୃଦ୍ଧି ଆରମ୍ଭ କରିଛନ୍ତି। ମୁକେଶ ଅମ୍ବାନିଙ୍କ ସଂସ୍ଥା ରିଲାଏନ୍ସ ଜିଓ ପକ୍ଷରୁ ବିଭିନ୍ନ ପ୍ରକାର ରିଚାର୍ଜ ପ୍ଲାନ୍‌ର ମୂଲ୍ୟରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘୋଷଣା କରାଯାଇଛି। ଏହି ନୂଆ ଯୋଜନାଗୁଡ଼ିକ ଜୁଲାଇ ୩ଠରୁ କାର୍ଯ୍ୟକାରୀ ହେବ। ସ୍ପେକ୍ଟ୍ରମ୍ ନିଲାମ ଶେଷ ହେବାର ଗୋଟିଏ ଦିନ ପରେ ଟେଲିକମ୍ ଶୁଳ୍କ ବଢ଼ିଛି। ଆଗାମୀ ଦିନରେ ଏୟାରଟେଲ୍, ଭୋଡାଫୋନ୍ ଆଇଡିଆ ଭଳି ସଂସ୍ଥା ମଧ୍ୟ ସେମାନଙ୍କ ଟାରିଫ୍‌ ବଢ଼ାଇବେ ବୋଲି ଆଶା କରାଯାଉଛି।

ଜିଓର ମାସିକିଆ ପ୍ଲାନ୍‌ ମଧ୍ୟରେ ୧୫୫ ଟଙ୍କିଆ ପ୍ଲାନ୍‌ର ଦାମ୍ ୧୮୯ ଟଙ୍କା ହୋଇଥିବା ବେଳେ ୨୦୯ ଟଙ୍କିଆ ଦାମ୍‌ ୨୪୯ ଟଙ୍କା, ୨୩୯ ଟଙ୍କିଆ ଦାମ୍‌ ୨୯୯ ଟଙ୍କା, ୨୯୯ ଟଙ୍କିଆ ଦାମ୍ ୩୪୯ ଟଙ୍କା, ୩୪୯ ଟଙ୍କା ଦାମ୍ ୩୯୯ ଟଙ୍କା ଏବଂ ୩୯୯ ଟଙ୍କିଆ ପ୍ଲାନ୍ ଦାମ୍ ୪୪୯ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି, ଦୁଇ ମାସିଆ ୪୭୯ ଟଙ୍କିଆ ପ୍ଲାନ୍‌ର ଦାମ୍ ୫୭୯ ଟଙ୍କା ହୋଇଥିବା ବେଳେ ୫୩୩ ଟଙ୍କିଆ ପ୍ଲାନ୍‌ର ଦାମ୍ ୬୨୯ ଟଙ୍କାକୁ ବୃଦ୍ଧି ପାଇଛି। ଜିଓର ତିନି ମାସିଆ ପ୍ଲାନ୍‌ ଭିତରେ ୩୯୫ ଟଙ୍କିଆ ପ୍ଲାନ୍‌ର ଦାମ୍ ୪୭୯ ଟଙ୍କା ହୋଇଥିବା ବେଳେ ୬୬୬ ଟଙ୍କିଆର ଦାମ୍‌ ୭୯୯ ଟଙ୍କା, ୭୧୯ ଟଙ୍କିଆର ୮୫୯ ଟଙ୍କା ଏବଂ ୯୯୯ ଟଙ୍କିଆ ପ୍ଲାନ୍‌ର ଦାମ୍ ୧୧୯୯ ଟଙ୍କା ହୋଇଛି।

ଜିଓର ୧୫୫୯ ଟଙ୍କିଆ ବାର୍ଷିକ ପ୍ଲାନ୍‌ର ଦାମ୍ ୧୮୯୯ ଟଙ୍କା ହୋଇଥିବା ବେଳେ ୨୯୯୯ ଟଙ୍କିଆ ପ୍ଲାନ୍‌ର ଦାମ୍ ୩୫୯୯ ଟଙ୍କା ହୋଇଛି। ଡାଟା ଆଡ୍‌ ଅନ୍ ପ୍ୟାକ୍ ଓ ପୋଷ୍ଟପେଡ୍‌ ପ୍ୟାକ୍‌ଗୁଡ଼ିକର ଦାମ୍ ମଧ୍ୟ ବଢ଼ିଛି। ଟେଲିକମ୍ କମ୍ପାନିଗୁଡ଼ିକର ଗ୍ରାହକ ପିଛା ରାଜସ୍ବ ବିଶ୍ବର ଅନ୍ୟତମ ସର୍ବନିମ୍ନ ଥିଲା। ସେଥିରେ ବୃଦ୍ଧି ଆଣିବା ଲାଗି କମ୍ପାନିଗୁଡ଼ିକ ଶୁଳ୍କ ବଢ଼ାଇବେ ବୋଲି ଆଶା କରାଯାଉଥିଲା। ଅନ୍ୟପକ୍ଷରେ ୫ଜି ଭିତ୍ତିଭୂମି ବିକାଶ କରିବା ଲାଗି କମ୍ପାନିଗୁଡ଼ିକୁ ବିପୁଳ ପରିମାଣର ପାଣ୍ଠି ଦରକାର ପଡ଼ୁଛି। ଗ୍ରାହକଙ୍କ ଜରିଆରେ ତାହା ଯୋଗାଡ଼ କରିବା କମ୍ପାନିଗୁଡ଼ିକ ଲାଗି ଅପରିହାର୍ଯ୍ୟ ହୋଇପଡ଼ିଥିଲା।

ସମ୍ବନ୍ଧିତ ଖବର