ରାଜକୋଟ ଗେମିଙ୍ଗ ଜୋନ ଅଗ୍ନିକାଣ୍ଡ ଘଟଣାରେ ୨୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ରାଜକୋଟ: ଗୁଜୁରାଟର ରାଜକୋଟର ଟିଆରପି ଗେମିଂ ଜୋନରେ ବ୍ୟାପକ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ଆଜି ଅପରାହ୍ନରେ ହୋଇଥିବା ଏହି ଅଗ୍ନିକାଣ୍ଡ ଘଟଣାକୁ ନେଇ ରାଜକୋଟ ପୁଲିସ କମିଶନର କହିଛନ୍ତି ଯେ ଅଗ୍ନିକାଣ୍ଡର କାରଣ କ’ଣ ତାହା ଆମେ ଅନୁସନ୍ଧାନ କରୁଛୁ। ଏହା ସହିତ ସହରର ସମସ୍ତ ଗେମିଂ ଜୋନ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି | ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖପ୍ରକାଶ କରିବା ସହ କହିଛନ୍ତି, “ରାଜକୋଟରେ ଘଟିଥିବା ଅଗ୍ନିକାଣ୍ଡରେ ମୁଁ ଅତ୍ୟଧିକ ଦୁଃଖିତ । ପ୍ରିୟଜନଙ୍କୁ ହରାଇଥିବା ସମସ୍ତଙ୍କ ସହ ମୋର ସମବେଦନା ଜଣାଉଛି। ଆହତମାନଙ୍କ ପାଇଁ ମୁଁ ପ୍ରାର୍ଥନା କରୁଛି।


ପ୍ରତ୍ୟକ୍ଷଦର୍ଶୀଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ ମୃତଦେହ ଏତେ ପରିମାଣରେ ପୋଡି ଯାଇଥିଲା ଯେ ସେମାନଙ୍କୁ ଚିହ୍ନିବା କଷ୍ଟକର ହୋଇପଡିଥିଲା। ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଗେମିଙ୍ଗ ଜୋନର ମାଲିକଙ୍କୁ ଗିରଫ କରାଯାଇଛି। ଗେମିଙ୍ଗ ଜୋନ୍ ମାଲିକ ଯୁବରାଜ ସିଂ ସୋଲଙ୍କି, ମନବିଜୟ ସିଂ ସୋଲଙ୍କିଙ୍କୁ ଗିରଫ କରାଯାଇଥିବାବେଳେ ଏବେ ବି ଉଦ୍ଧାର କାର୍ଯ୍ୟ ରହିଛି | ଆଉ କିଛି ଲୋକ ଏବେ ବି ଗେମିଙ୍ଗ ଜୋନ ଭିତରେ ଫସି ରହିଥିବାର ଆଶଙ୍କା ଅଛି | ପୁଲିସ କମିଶନର ରାଜୀବ ଭାର୍ଗଭ ଏବଂ କଲେକ୍ଟର ଆନନ୍ଦ ପଟେଲ କହିଛନ୍ତି ଯେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ | ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ କହିଛନ୍ତି ଯେ ରାଜକୋଟର ଗେମିଙ୍ଗ ଜୋନରେ ଅଗ୍ନିକାଣ୍ଡ ଘଟଣାରେ ତୁରନ୍ତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର