କାର୍ ଉପରେ ଆକ୍ରମଣ ଅଭିଯୋଗ କଲେ ରାଜ୍ୟପାଳ: ‘କେରଳ ମୁଖ୍ୟମନ୍ତ୍ରୀ ମୋତେ ଆଘାତ ଦେବାକୁ ଷଡ଼୍‌ଯନ୍ତ୍ର କରୁଛନ୍ତି’

ତିରୁଅନନ୍ତପୁରମ୍: କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ ସୋମବାର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ତାଙ୍କର ଶାରୀରିକ କ୍ଷତି ପାଇଁ ଷଡ଼୍‌ଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି। ଶାସକ ସିପିଆଇ(ଏମ୍)ର ଛାତ୍ର ଶାଖା ଏସ୍‌ଏଫ୍ଆଇର କର୍ମକର୍ତ୍ତାମାନେ ରାଜ୍ୟପାଳ ଗାଡ଼ି ଭିତରେ ଥିବା ବେଳେ ତାଙ୍କ ଗାଡ଼ି ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ କ୍ଷୁବ୍ଧ ହୋଇ ଖାନ୍ ଦାବି କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ବିଜୟନ ତାଙ୍କୁ ଶାରୀରିକ କ୍ଷତି ପହଞ୍ଚାଇବା ପାଇଁ ଲୋକଙ୍କୁ ପଠାଇଥିଲେ।

ରାଜ୍ୟପାଳଙ୍କ କହିବା ଅନୁସାରେ, ତାଙ୍କ ଗାଡ଼ିକୁ ଘେରାଉ କରାଯାଇଥିଲା ଏବଂ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବିକ୍ଷୋଭକାରୀମାନେ କଳା ପତାକା ଦେଖାଇ ଗାଡ଼ିକୁ ଧକ୍କା ଦେଇଥିଲେ। ରାଜଭବନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୩ଟି ସ୍ଥାନରେ ଖାନ୍‌ଙ୍କୁ କଳା ପତାକା ଦେଖାଯାଇଥିଲା ଏବଂ ଦୁଇ ଥର ବିକ୍ଷୋଭକାରୀମାନେ ତାଙ୍କ କାର୍‌କୁ ଧକ୍କା ଦେଇଥିଲେ। କଂଗ୍ରେସ, ୟୁଡିଏଫ୍ ବିରୋଧୀ ଏବଂ ବିଜେପି ମଧ୍ୟ ଏହି ଆକ୍ରମଣ ପଛରେ ମୁଖ୍ୟମନ୍ତ୍ରୀ ବିଜୟନଙ୍କ ହାତ ଥିବା ଅଭିଯୋଗ କରିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ଦାବି କରିଛି। ବିଜେପି ରାଜ୍ୟ ସଭାପତି କେ ସୁରେନ୍ଦ୍ରନ କହିଛନ୍ତି ଯେ ପୁଲିସର ମିଳିତ ସହଯୋଗରେ ଏହି ଘଟଣା ଘଟିଛି, ଯାହା ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାର ସଙ୍କେତ ଦେଉଛି। ସୂଚନାଯୋଗ୍ୟ, ବିଧାନସଭାରେ ପାରିତ ହୋଇଥିବା ବିଲ୍ ଉପରେ ନିଷ୍ପତ୍ତି ନେବାକୁ ନେଇ ରାଜ୍ୟପାଳ ଖାନ୍ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ଲାଗି ରହିଛି।

ସମ୍ବନ୍ଧିତ ଖବର