କୃଷକ ପ୍ରତିବାଦସ୍ଥଳୀ ସିଂଘୁ ସୀମାନ୍ତରେ ହାତ କଟାଯାଇ ବାରିକେଡ୍‌ରେ ବନ୍ଧା ହୋଇଥିବା ଶବ ଉଦ୍ଧାର

ନୂଆଦିଲ୍ଲୀ: ଆଜି ସକାଳେ ଦିଲ୍ଲୀ ବାହାରେ ସିଂଘୁ ସୀମାନ୍ତ ଅନ୍ତର୍ଗତ କୃଷକ ପ୍ରତିବାଦସ୍ଥଳ ପାଖରେ ହାତ କଟାଯାଇ ବାରିକେଡ୍‌ରେ ବନ୍ଧା ହୋଇ ଝୁଲିଥିବା ଜଣେ ୩୫ ବର୍ଷିୟ ବ୍ୟକ୍ତିଙ୍କ ଶବ ଉଦ୍ଧାର କରାଯାଇଛି।

ଏହି ବର୍ବର କାଣ୍ଡ କୃଷକମାନଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିଥିବାରୁ ସେମାନେ ପ୍ରଥମେ ପୁଲିସକୁ ସେ ସ୍ଥାନକୁ ଛାଡୁ ନ ଥିଲେ। କିନ୍ତୁ, ପରେ କୁଣ୍ଡଳୀ ଥାନାର କର୍ମଚାରୀମାନେ ଶବ ଉଦ୍ଧାର କରି ନିକଟରେ ଥିବା ସିଭିଲ୍‌ ହସ୍ପିଟାଲ୍‌କୁ ନେଇଥିଲେ।

Image Courtesy of India Today

‘ଡିଏସ୍‌ପି’ ହଂସରାଜଙ୍କ କହିବା ଅନୁସାରେ, ଆଜି ସକାଳ ପ୍ରାୟ ୫ଟା ବେଳେ ସୋନିପତ ଅନ୍ତର୍ଗତ କୁଣ୍ଡଳୀରେ କୃଷକମାନଙ୍କ ପ୍ରତିବାଦ ଚାଲିଥିବା ସ୍ଥାନ ନିକଟରେ ଗୋଡ଼ହାତ କଟା ଯାଇ ଝୁଲୁଥିବା ଗୋଟାଏ ଶବ ଉଦ୍ଧାର କରାଯାଇଛି। ଏହି ଘଟଣା ପାଇଁ ଅଜ୍ଞାନ୍ତ ବ୍ୟକ୍ତିବିଶେଷଙ୍କ ବିପକ୍ଷରେ ‘ଏଫ୍‌ଆଇଆର୍‌’ ରେଜିଷ୍ଟ୍ରି କରାଯାଇଛି। ଆତତାୟୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଭାଇରାଲ୍‌ ହେଉଥିବା ଭିଡିଓ ତଦନ୍ତ ସାପେକ୍ଷ ଏବଂ ଗୁଜବ ତ ଏମିତି ଲାଗି ରହିବ।

ନିହାଙ୍ଗମାନେ ଉକ୍ତ ୩୫ ବର୍ଷିୟ ବ୍ୟକ୍ତିଙ୍କୁ ହତ୍ୟା କରିଥିବା କଥା ‘ସଂଯୁକ୍ତ କିଷାନ୍‌ ମୋର୍ଚ୍ଚା’ (ଏସ୍‌କେଏମ୍‌) ଅଭିଯୋଗ କରିଛି। ‘ଏସ୍‌କେଏମ୍‌’ ନେତା ବଲବୀର୍‌ ସିଂହ ରାଜେଓ୍ଵାଲା ଗଣମାଧ୍ୟମକୁ କହିଛନ୍ତି, ନିହାଙ୍ଗମାନେ ଏ କାଣ୍ଡ କରିଛନ୍ତି। ସେମାନେ ଏକଥା ସ୍ୱୀକାର କରିଛନ୍ତି। ପ୍ରାରମ୍ଭରୁ ହିଁ ନିହାଙ୍ଗମାନେ ଆମକୁ ଅସୁବିଧାରେ ପକାଇ ଆସୁଛନ୍ତି।

ସମ୍ବନ୍ଧିତ ଖବର