ସେ ମୋ ପୁଅକୁ ମାରିଦେଲା: ପୋର୍ସେ ଦୁର୍ଘଟଣା ମାମଲାରେ କହିଲେ ମୃତକଙ୍କ ମାଆ

ପୁ‌ଣେ: ପୋର୍ସେ ଦୁର୍ଘଟଣା ମାମଲାରେ ଅଭିଯୁକ୍ତକୁ ଜାମିନ ମିଳିବା ଘଟଣା ନେଇ ବିବାଦ ତେଜିବା‌ ପରେ ଆଜି ଅଭିଯୁକ୍ତର ଜାମିନ ରଦ୍ଦ କରାଯାଇଛି। ଏବେ ଏହି ଘଟଣାରେ ନିଜର ମତ ରଖିଛନ୍ତି ମୃତକ ଅନିଷ ଅୱାଧିଆଙ୍କ ମାଆ ସବିତା ଅୱାଧିଆ।

ମୃତକଙ୍କ ମାଆ ଲୁହ ଛଳ ଛଳ ଆଖିରେ କହିଛନ୍ତି, ‘‘ସେ ମୋ ପିଲାର ଜୀବନ ନେଇଗଲା। ମୋ ପିଲା ମୋଠାରୁ ଦୂର ହୋଇଗଲା। ମୁଁ ଏବେ କେବେ ବି ମିଳିପାରିବିନି। ଏଥିରେ ସେ ପିଲାର ଭୁଲ୍‌ ଅଛି। ତାକୁ ହତ୍ୟାକାରୀ ବୋଲି ବି କହିପାରନ୍ତି। କାରଣ ଯଦି ସେ ଆଜି ଏତେ ବଡ଼ ଭୁଲ୍‌ କରିନଥାନ୍ତା ତ କାହାର ବି ଜୀବନ ଯାଇନଥାନ୍ତା। ଯଦି ଟିକେ ବି ତା ପରିବାର ଲୋକ ତାକୁ ମନା କରିଥାନ୍ତେ ଗାଡ଼ି ଚଲାଇବାକୁ ତ ଆଜି ମ‌ୋ ପୁଅ ଜୀବିତ ଥାଆନ୍ତା। ଏହା ଏକ ହତ୍ୟା।’’

ଜୁଭେନାଇଲ ଜଷ୍ଟିସ ବୋର୍ଡ ୧୭ ବର୍ଷୀୟ ଅଭିଯୁକ୍ତକୁ ଜାମିନ ପ୍ରଦାନ କରିବାର ୩ ଦିନ ପରେ ଆଜି ଜାମିନ ରଦ୍ଦ କରିଛନ୍ତି। ଜୁଭେନାଇଲ ଜଷ୍ଟିସ ବୋର୍ଡ ଅଭିଯୁକ୍ତକୁ ଜୁନ୍‌ ୫ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି। ଜୁନ୍‌ ୫ ପର୍ଯ୍ୟନ୍ତ ଅଭିଯୁକ୍ତ ବାଳ ସୁଧାର ଗୃହରେ ରହିବ। ଉଲ୍ଲ‌େଖଯୋଗ୍ୟ, ପୁଣେରେ ଜଣେ ଧନୀ ବ୍ୟବସାୟୀଙ୍କ ନାବାଳକ ପୁଅ ତା’ ବାପାଙ୍କ ଦାମୀ ପୋର୍ସେ କାର୍‌ ନିଶାସକ୍ତ ଅବସ୍ଥାରେ ହାଇସ୍ପିଡ୍‌ରେ ଚଲାଇଥିଲା ଏବଂ ୨ ଜଣ ସଫ୍ଟୱେର ଇଞ୍ଜିନିୟରଙ୍କ ଉପରେ ଚଢ଼ାଇ ମାରି ଦେଇଥିଲା। ଏହି ମାମଲାରେ ସେ ଗିରଫ ହୋଇଥିଲେ ମଧ୍ୟ ଜୁଭେନାଇଲ ଜଷ୍ଟିସ ଆଇନ ଅଧୀନରେ ତାକୁ ମାତ୍ର ୧୫ ଘଣ୍ଟା ମଧ୍ୟରେ ଜାମିନ ମିଳିଯାଇଥିଲା।

ସମ୍ବନ୍ଧିତ ଖବର