ଉତ୍ତରପ୍ରଦେଶରେ ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରି ଜିଲ୍ଲାର ଇସାନନଗର ଥାନା ଅନ୍ତର୍ଗତ ପକରିୟା ଗାଁରେ ଗତ ଶୁକ୍ରବାର ଜଣେ ୧୩ ବର୍ଷର ଦଳିତ ନାବାଳିକାକୁ ଗଣଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ ଏହି ଘୃଣ୍ୟ ଘଟଣାରେ ନେପାଳ ସୀମାନ୍ତ ଉକ୍ତ ଗ୍ରାମର ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି। ସୂଚନାନୁଯାୟୀ, ଶୁକ୍ରବାର ଅପରାହ୍ଣ ଗୋଟାଏ ବେଳେ ନାବାଳିକା ଜଣକ କୌଣସି କାରଣରୁ ଘରୁ ବାହାରକୁ ଯାଇଥିଲା ବେଳେ ତାହା ପରଠାରୁ ଆଉ ଫେରିନଥିଲେ। ପରିବାର ଲୋକେ ଆଖପାଖରେ ବହୁ ଖୋଜାଖୋଜି ପରେ ନିକଟ ଏକ ଆଖୁ କ୍ଷେତରେ ଘୋଷଡ଼ା ଦାଗ ଦେଖିଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ କ୍ଷେତ ଭିତରୁ ନାବାଳିକାର ଶବ ଉଦ୍ଧାର କରିଥିଲା। ତା’ ଗଳାକୁ ଚିପି ହତ୍ୟା କରାଯାଇଥିବା ଜଣାପଜଡ଼ିଛି। ବ୍ୟବଚ୍ଛେଦ ରିପୋର୍ଟରୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି। ଏହି ଘଟଣାକୁ ବିଏସ୍‌ପି ମୁଖ୍ୟ ମାୟାବତୀ ଟ୍ବିଟରରେ ତୀବ୍ର ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କଠୋର ଦଣ୍ଡ ଦାବି କରିଛନ୍ତି। ସେହିପରି ବିଜେପି ଶାସନ କାଳରେ ରାଜ୍ୟରେ ଦଳିତଙ୍କ ଉପରେ ଅତ୍ୟାଚାର ବଢ଼ିଚାଲିଛି ବୋଲି ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧିତ ଖବର