ଭାରତ ହିନ୍ଦୁମାନଙ୍କ ଦେଶ, ଅନ୍ୟ ଦେଶରେ ଅତ୍ୟାଚାରିତ ହେଉଥିବା ହିନ୍ଦୁମାନେ ଭାରତ ଆସିପାରିବେ : ଆସାମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଭାରତ ହେଉଛି ହିନ୍ଦୁମାନଙ୍କ ଦେଶ । ସମଗ୍ର ବିଶ୍ବରେ ଯେଉଁ ହିନ୍ଦୁମାନେ ଅତ୍ୟାଚାରିତ ସେମାନେ ଭାରତକୁ ଫେରିଆସିବା ଉଚିତ । ଏପରି ମତ ରଖିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ।

ଟିଭି ଚ୍ୟାନେଲ ଟାଇମ୍ସ ନାଓ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ ‘ଇଣ୍ଡିଆନ’ ଶବ୍ଦ ୧୯୪୭ ମସିହାରୁ ଆସିଛି । କିନ୍ତୁ ତା ପୂର୍ବରୁ ୭ ହଜାର ବର୍ଷ ଧରି ଆମକୁ ହିନ୍ଦୁ କୁହାଯାଉଥିଲା । ଭାରତ ହେଉଛି ହିନ୍ଦୁମାନଙ୍କ ସଭ୍ୟତା । ଆମକୁ ଆମ ମୂଳ ସଭ୍ୟତାଠାରୁ କେହି ଅଲଗା କରିପାରିବେ ନାହିଁ ।

ନାଗରିକତା ସଂଶୋଧନ ଆଇନ ବା ସିଏଏ ସମ୍ପର୍କରେ ମତ ରଖି ସେ କହିଛନ୍ତି ଭାରତର କୌଣସି ବ୍ୟକ୍ତି ଏହାକୁ ବିରୋଧ କରିବା ଉଚିତ ନୁହେଁ । ଆଫଗାନିସ୍ତାନ ଘଟଣା ପରେ ସିଏଏ କେତେ ଜରୁରୀ ତାହା ସମସ୍ତଙ୍କର ହୃଦୟଙ୍ଗମ ହୋଇଯାଇଥିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବେଆଇନ ଅନୁପ୍ରବେଶକାରୀମାନେ ଆସାମର ସଂସ୍କୃତି ପ୍ରତି ଏକ ବଡ଼ ବିପଦ ସୃଷ୍ଟି କରିଛନ୍ତି । ସେମାନେ ଧାର୍ମ ଭିତ୍ତିରେ ରାଜନୀତି କରିବା ପରେ ସ୍ଥାନୀୟ ଲୋକେ ତାହାର ଜବାବ ଦେଉଛନ୍ତି ।

ଆସାମରେ ମଦ୍ରାସା ବଦଳରେ ମେଡିକାଲ କଲେଜ ତିଆରି ହେଉ ବୋଲି ସେ ଚାହାନ୍ତି । ମଦ୍ରାସା ଗୁଡ଼ିକୁ ସରକାରୀ ପାଣ୍ଠି ଯୋଗାଣ ବନ୍ଦ କରିଦିଆଯାଇଛି ବୋଲି ସେ କହିଛନ୍ତି । ଉତ୍ତର-ପୂର୍ବାଞ୍ଚଳ ଗତ ୫ ବର୍ଷ ହେଲାଏକ ଶାନ୍ତି ଓ ସ୍ଥିରତାର ଯୁଗରେ ପ୍ରବେଶ କରିଛି ବୋଲି ଶର୍ମା କହିଛନ୍ତି ।

ସମ୍ବନ୍ଧିତ ଖବର