ଅଜ୍ଞାତ ଅଭିଯୁକ୍ତ ବିରୋଧରେ ସୁରାକ୍‌ ପାଇନି ସିବିଆଇ!

ଇତିଶ୍ରୀ ପ୍ରଧାନ ହତ୍ୟାକାଣ୍ଡ ମାମଲା

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ରାୟଗଡ଼ା ଜିଲ୍ଲା ଟିକିରି ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ଘଟଣାର ଅଜ୍ଞାତ ଅଭିଯୁକ୍ତ ବିରୋଧରେ ସିବିଆଇ କୌଣସି ସୁରାକ ପାଇପାରିନଥିବା କୁହାଯାଉଛି। ନିକଟରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ସିବିଆଇର ଚୂଡ଼ାନ୍ତ ରିପୋର୍ଟରୁ ଏହା ଜଣାପଡ଼ିଛି। ସୁତରାଂ ଏହି ମାମଲାର ଶୁଣାଣି କିମ୍ବା ତଦନ୍ତ ଜାରି ରହିବ କି ନାହିଁ ତାହା ଆସନ୍ତାକାଲିର ଶୁଣାଣିରେ ସ୍ପଷ୍ଟ ହେବ। ସୁତ୍ର ଅନୁସାରେ ଏହି ମାମଲାର ତଦନ୍ତ ଚୂଡ଼ାନ୍ତ ହୋଇ ସାରିଥିବାରୁ ମାମଲାକୁ ବନ୍ଦ କରିବା ପାଇଁ ସିବିଆଇ ଆବେଦନ କରିବ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଇତିଶ୍ରୀ ହତ୍ୟାକାଣ୍ଡର ଅଜ୍ଞାତ ଅଭିଯୁକ୍ତକୁ ଚିହ୍ନଟ ଓ ଧରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରାଯାଇଥିବା ସିବିଆଇର ଚୂଡ଼ାନ୍ତ ରିପୋର୍ଟରେ ଉଲ୍ଲେଖ ରହିଛି। ତଦନ୍ତ କାଳରେ ଏ ସମ୍ପର୍କିତ ଅନେକ ନଥିପତ୍ର ସିବିଆଇ ସଂଗ୍ରହ କରିବା ସହ ୨୩୩ ସାକ୍ଷୀଙ୍କୁ ପଚରାଉଚୁରା କରି ସେମାନଙ୍କ ବୟାନ ରେକର୍ଡ କରିଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି। ଅଜ୍ଞାତ ଅଭିଯୁକ୍ତ ସମ୍ପର୍କରେ ତଥ୍ୟ ହାସଲ ପାଇଁ ବିଭିନ୍ନ ସୂତ୍ର ମୁତୟନ ସହ ସ୍ଥାନୀୟ ଲୋକଙ୍କୁ ଗୁରୁତ୍ୱପୂର୍ଣ୍ଣ ଠିକ୍‌ ସୂଚନା ଓ ତଥ୍ୟ ପ୍ରଦାନ ପାଇଁ ସଚେତନ କରାଯାଇଥିଲା। ତେବେ ଏତେ ସତ୍ତ୍ୱେ ଅଜ୍ଞାତ ଅଭିଯୁକ୍ତ ସମ୍ପର୍କରେ କୌଣସି ପ୍ରକାର ବିଶ୍ୱାସଯୋଗ୍ୟ ସୂଚନା ମିଳିପାରିନାହିଁ ବୋଲି ସିବିଆଇ ଦର୍ଶାଇଛି।

ଘଟଣାସ୍ଥଳକୁ ନୂଆଦିଲ୍ଲୀ ସ୍ଥିତ ସେଣ୍ଟ୍ରାଲ ଫରେନ୍ସିକ୍‌ ସାଇନ୍ସ ଲାବରୋଟୋରି ଟିମ୍‌ର ବିଶେଷଜ୍ଞ ଦଳ ପରିଦର୍ଶନ କରି ଅଜ୍ଞାତ ଅଭିଯୁକ୍ତ ସମ୍ପର୍କରେ ତଥ୍ୟ ହାସଲ ପାଇଁ ପ୍ରୟାସ କରି ବିଫଳ ହୋଇଛନ୍ତି। ନୂଆଦିଲ୍ଲୀ ଏମ୍ସ ଦ୍ୱାରା ଗଠିତ ମେଡିକାଲ ବୋର୍ଡ ଦ୍ୱାରା ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ଅନ୍ୟାନ୍ୟ ରେକର୍ଡର ପରୀକ୍ଷା କରାଯାଇଥିଲେ ହେଁ ତଦନ୍ତକାରୀ ଦଳକୁ କିଛି ସୁଫଳ ମିଳିନଥିଲା। ଏହାବାଦ୍‌ ଅଭିଯୁକ୍ତ ସମ୍ପର୍କରେ ଠିକ୍‌ ସୂଚନା ପ୍ରଦାନ ପାଇଁ ଘୋଷଣା କରାଯାଇଥିବା ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ କାମଦେଲାନି। ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଚୂଡ଼ାନ୍ତ ରିପୋର୍ଟରେ ଇତିଶ୍ରୀ ଏବଂ ଅଭିଯୁକ୍ତ ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୋବାଇଲ ଫୋନ୍‌ର କଲ୍‌ ଡିଟେଲ ଯାଞ୍ଚ କରାଯାଇଥିଲେ ହେଁ ସେଥିରୁ ମଧ୍ୟ କୌଣସି ସୁରାକ୍‌ ମିଳିପାରିନାହିଁ। ଇତିଶ୍ରୀଙ୍କ ସହ ଶେଷ ଥର କଥା ହୋଇଥିବା ଶିବଶଙ୍କର ମହାକୁଡ଼କୁ ସିବିଆଇ ଜେରା ସହିତ ପଲିଗ୍ରାଫି ଟେଷ୍ଟ୍‍ କରିଥିଲା। ହେଲେ ଏଥିରୁ ମଧ୍ୟ ଅଜ୍ଞାତ ଅଭିଯୁକ୍ତ ସମ୍ପର୍କରେ କୌଣସି ସୁରାକ୍‌ ମିଳିପାରିନଥିଲା। ଏହାବାଦ୍‌ ଅଭିଯୁକ୍ତ ନେତ୍ରାନନ୍ଦ ଦଣ୍ଡସେନାଙ୍କୁ ଗୁଜରାଟ ସ୍ଥିତ ଗାନ୍ଧୀନଗର ଡାଇକ୍ଟରେଟ୍‌ ଅଫ ଫରେନ୍ସିକ୍‌ ସାଇନ୍ସକୁ ନାର୍କୋ ଆନାଲିସିସ୍‌ ପାଇଁ ନିଆଯାଇଥିଲା। ମାତ୍ର ସେଥି ପାଇଁ ନେତ୍ରାନନ୍ଦ ଶାରୀରିକ ଭାବେ ଅକ୍ଷମ ଥିବା ସିବିଆଇ କହିଛି।

ଉଲ୍ଲେଖଯୋଗ୍ୟ, ସାରା ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଇତିଶ୍ରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ସୁପ୍ରିମକୋର୍ଟ ୨୦୧୫ ଜାନୁଆରି ୨୦ରେ ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ବେଙ୍ଗାଲୁରୁର ଆଇନ ଛାତ୍ରୀ ସୁଦୀପ୍ତ ଲେଙ୍କାଙ୍କ ଜନସ୍ୱାର୍ଥ ମାମଲାକୁ ବିଚାର କରି ସୁପ୍ରିମକୋର୍ଟ ଏପରି ନିର୍ଦ୍ଦେଶ ଦେଇଥିଲେ। ତେବେ ଆସନ୍ତାକାଲି ଏହି ମାମଲାର ଶୁଣାଣି ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଦୁଇ ଜଣିଆ ଖଣ୍ଡପୀଠରେ ହେବ।

ସମ୍ବନ୍ଧିତ ଖବର