ହାଇକୋର୍ଟଙ୍କ ସ୍ଥଗିତାଦେଶ ବିରୋଧରେ ସୁପ୍ରିମ୍‌କୋର୍ଟ ଗଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲ୍‌ରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମନି ଲଣ୍ଡରିଂ ମାମଲାରେ ହାଇକୋର୍ଟଙ୍କ ଜାମିନ ସ୍ଥଗିତାଦେଶକୁ ବିରୋଧ କରି ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଆବେଦନର ଶୁଣାଣି ନ ହେବା ପର୍ଯ୍ୟନ୍ତ ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ତଳ କୋର୍ଟ ଦେଇଥିବା ଜାମିନ ଉପରେ ରହିତାଦେଶ ବଳବତ୍ତର ରହିବ ବୋଲି ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ରାୟ ଶୁଣାଇଥିଲେ। ଜାମିନ ଉପରେ ଦିଲ୍ଲୀ ହାଇକୋର୍ଟଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରି କେଜ୍ରିୱାଲ ମାମଲାର ଜରୁରୀ ଶୁଣାଣି ନିମନ୍ତେ ସୁପ୍ରିମ୍‌କୋର୍ଟରେ ଆବେଦନ କରିଛନ୍ତି।

କେଜ୍ରିଵାଲଙ୍କୁ ରାଉଜ ଆଭେନ୍ୟୁ କୋର୍ଟ ଜାମିନ ପ୍ରଦାନ କରିବା ପରେ ଆପ୍‌ କର୍ମୀମାନେ ଉତ୍ସବ ମନାଇଥିଲେ। ତେବେ ସେ ତିହାର ଜେଲ୍‌ରୁ ବାହାରିବା ପାଇଁ ଯେଉଁ ସମୟସୀମା ଧାର୍ଯ୍ୟ ହୋଇଥିଲା ତାହାର କିଛି ଘଣ୍ଟା ପୂର୍ବରୁ ତାଙ୍କୁ ମିଳିଥିବା ଜାମିନକୁ ଇଡି ଚ୍ୟାଲେଞ୍ଜ କରିଥିଲା। ଶୁକ୍ରବାର ହାଇକୋର୍ଟ କହିଥିଲେ ଯେ, ଏଜେନ୍ସି ଆବେଦନର ଶୁଣାଣି ନ ହେବା ପର୍ଯ୍ୟନ୍ତ ନିମ୍ନ ଅଦାଲତଙ୍କ ଜାମିନ ଆଦେଶ କାର୍ଯ୍ୟକାରୀ ହୋଇପାରିବ ନାହିଁ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ମନି ଲଣ୍ଡରିଂ ଅଭିଯୋଗରେ ଇଡି ଗିରଫ କରିଥିଲା। ଅବକାରୀ ନୀତି ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମଦ ଲବିରୁ ଟଙ୍କା ପାଇଥିଲେ ଏବଂ ଏହା ଗୋଆରେ ଆମ୍ ଆଦମୀ ପାର୍ଟିର ନିର୍ବାଚନ ପ୍ରଚାର ପାଇଁ ବ୍ୟବହାର ହୋଇଥିଲା ବୋଲି ଇଡି ଅଭିଯୋଗ କରିଛି। ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ପୂର୍ବରୁ ସୁପ୍ରିମ୍ କୋର୍ଟ ଦେଇଥିବା ଅନ୍ତରୀଣ ଜାମିନ ସମୟକୁ ବାଦ୍‌ ଦେଲେ କେଜ୍ରିୱାଲ ମାର୍ଚ୍ଚ ୨୧ ତାରିଖରୁ ଜେଲରେ ଅଛନ୍ତି।

କେଜ୍ରିଵାଲଙ୍କୁ ଜାମିନ ଦେବା ପାଇଁ ନିମ୍ନ ଅଦାଲତ ଦେଇଥିବା ଆଦେଶ ବିକୃତ ଏବଂ ଏଥିରେ ଗମ୍ଭୀର ପ୍ରକ୍ରିୟାଗତ ଅନିୟମିତତା ରହିଛି ବୋଲି ଇଡି ସଦ୍ୟତମ ପିଟିସନରେ ଦର୍ଶାଇଛି। ଅଦାଲତଙ୍କ ଏହି ଆଦେଶ ଭୁଲ୍ ତଥ୍ୟ ଉପରେ ଆଧାରିତ ହୋଇଥିବାରୁ ଏହା ତ୍ରୁଟିପୂର୍ଣ୍ଣ ବୋଲି ମଧ୍ୟ ହାଇକୋର୍ଟ କହିଛନ୍ତି। ଇଡି ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ (ଏଏସ୍‌ଜି) ଏସ୍ ଭି ରାଜୁ କହିଥିଲେ, ଭୁଲ ତଥ୍ୟ ଏବଂ ଭୁଲ ତାରିଖ ଆଧାରରେ ତଳକୋର୍ଟ ଜାମିନ ଦେବାକୁ ନିଷ୍ପତ୍ତି ନେଇଥିଲେ। ହାଇକୋର୍ଟ ମଧ୍ୟ ଏହି ମାମଲାରେ କେଜ୍ରିୱାଲଙ୍କଠାରୁ ଜବାବ ମାଗିଥିଲେ।

ସମ୍ବନ୍ଧିତ ଖବର