ବିଧାନସଭାରେ ଅନୁସନ୍ଧାନ ରିପୋର୍ଟ ଉପସ୍ଥାପନ ପରେ ଲିକ୍‌ ହେଲା ଅଡିଓ କ୍ଲିପ୍‌; ପୁଣି ଜୟଲଳିତାଙ୍କ ମୃତ୍ୟୁ ରହସ୍ୟ ନେଲା ନୂଆ ମୋଡ଼

ଚେନ୍ନାଇ: ତାମିଲନାଡ଼ୁ ବିଧାନସଭାରେ ଚଳିତ ସପ୍ତାହ ପ୍ରାରମ୍ଭରେ ଅରୁମୁଗାସ୍ୱାମୀ କମିଶନଙ୍କ ରିପୋର୍ଟ ଉପସ୍ଥାପିତ ହେବା ପରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବୋଲି କୁହାଯାଉଥିବା ଏକ ଲିକ୍‌ ହୋଇଥିବା ଅଡିଓ କ୍ଲିପ୍‌ ଏବେ ଭାଇରାଲ୍‌ ହୋଇଛି। ଏହି ଘଟଣା ପରେ ପୁଣି ଥରେ ଜୟଲଳିତାଙ୍କ ମୃତ୍ୟୁ ରହସ୍ୟ ଏକ ନୂଆ ମୋଡ଼ ନେବା ସହ ବିବାଦୀୟ ହୋଇପଡ଼ିଛି।

ଏହି ରିପୋର୍ଟରେ ଜୟଲଳିତାଙ୍କ ମୃତ୍ୟୁ ପାଇଁ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ଶଶିକଳା, ତାଙ୍କ ସମ୍ପର୍କୀୟ ଡାକ୍ତର ଅଶିବ କୁମାର, ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସି ବିଜୟଭାସ୍କର ଏବଂ ପୂର୍ବତନ ସ୍ୱାସ୍ଥ୍ୟ ସଚିବ ରାଧାକ୍ରିଷ୍ଣନଙ୍କ ଦୋଷ ରହିଥିବା ଉଲ୍ଲେଖ ରହିଥିଲା। ଶଶିକଳା ଏହି ରିପୋର୍ଟକୁ ଅନୁମାନ ଉପରେ ଆଧାରିତ ବୋଲି କହି ନିଜର ପ୍ରତିକ୍ରିୟା ପ୍ରକାଶ କରିଥିଲେ ଏବଂ ଜୟଲଳିତାଙ୍କ ମୃତ୍ୟୁକୁ ରାଜନୀତିକରଣ କରାଯାଉଛି ବୋଲି ଅଭିଯୋଗ କରିଥିଲେ।
ଏହା ମଧ୍ୟରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଜୟଲଳିତାଙ୍କ ବୋଲି କୁହାଯାଉଥିବା ଏକ ଅଡିଓ କ୍ଲିପ୍‌ ଏବେ ଭାଇରାଲ୍‌ ହୋଇଛି। ଅଡିଓରେ, ଜୟଲଳିତା ବିରକ୍ତ ହେଉଥିବା, କ୍ରମାଗତ କାଶୁଥିବା ଏବଂ ଅଭିଯୋଗ କରୁଥିବାର ଶୁଣିବାକୁ ମଳୁଛି, ଯେତେବେଳେ ହସ୍ପିଟାଲର ଜଣେ କର୍ମଚାରୀ ତାଙ୍କ ସ୍ୱାସ୍ଥ୍ୟ ସଂପର୍କିତ ତଥ୍ୟ ରେକର୍ଡ କରିବାକୁ ଚେଷ୍ଟା କରୁଛନ୍ତି।

ସେହିପରି ଚେନ୍ନାଇରେ ତାଙ୍କର ପ୍ରେସ୍‌ ବୈଠକ ପରେ ଡାକ୍ତର ରିଚାର୍ଡ ବେଲେଙ୍କ ୨୦୧୭ର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି। ଭିଡିଓରେ ରିଚାର୍ଡ ବେଲ୍‌ କହୁଥିବା ଶୁଣିବାକୁ ମଳୁଛି ଯେ ଆରମ୍ଭରେ ସ୍ଥିତି ବଡ଼ ଗମ୍ଭୀର ଥିଲା। ଶଶିକଳା ପଚାରିଥିଲେ ଯେ ଜୟଲଳିତାଙ୍କ ବିଦେଶ ଯିବା ଆବଶ୍ୟକ କି? ଡାକ୍ତର କହୁଛନ୍ତି ଯେ ସେ ନିହାତି ଯିବା ଆବଶ୍ୟକ ଏବଂ ସେମାନେ ଜୟଲଳିତାଙ୍କୁ ବିଦେଶ ନେବାକୁ ରାଜି ହୋଇଥିଲେ। କିନ୍ତୁ, ପରେ, ଜୟଲଳିତା ନିଜେ ଚିକିତ୍ସା ପାଇଁ ବିଦେଶ ଯିବାକୁ ଚାହିଁ ନଥିଲେ।

ଅରୁମୁଗାସ୍ୱାମୀ କମିଶନଙ୍କ ରିପୋର୍ଟ ଜୟଲଳିତାଙ୍କ ମୃତ୍ୟୁ ସମୟକୁ ନେଇ ଏକ ଘଣ୍ଟା ବିଳମ୍ବ, ଆଞ୍ଜିଓଗ୍ରାଫି କରାଯାଇ ନଥିବା ଏବଂ ଶଶିକଳା ଚିକିତ୍ସାରେ ହସ୍ତକ୍ଷେପ କରୁଥିବା ନେଇ ପ୍ରଶ୍ନ ଉଠାଇଛନ୍ତି।

ସମ୍ବନ୍ଧିତ ଖବର