ନୂ୍ଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିରୋଧୀ ଦଳମାନଙ୍କ ଉପରେ କଡ଼ା ପ୍ରହାର କରିଛନ୍ତି। ମଧ୍ୟପ୍ରଦେଶର ଭୋପାଳରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଆଜି ଏପ୍ରିଲ ୧ ତାରିଖରେ ଆମ କଂଗ୍ରେସ ବନ୍ଧୁମାନେ ନିଶ୍ଚିତ ଭାବେ ଏକ ଟିପ୍ପଣୀ ଦେବେ ଯେ ‌ମୋଦୀ ସମସ୍ତଙ୍କୁ ଏପ୍ରିଲ ଫୁଲ୍‌ କରିଛନ୍ତି। କିନ୍ତୁ ଆପଣ ଦେଖନ୍ତୁ, ଏହି ଟ୍ରେନ୍‌ ଏପ୍ରିଲ ୧ରେ ଆରମ୍ଭ ହେଲା।

Advertisment

ଏହା ଆମ ଦକ୍ଷତା ଓ ଆମ ଆତ୍ମବିଶ୍ବାସର ଏକ ପ୍ରତୀକ। ମୋଦୀ କହିଛନ୍ତି, ପୂର୍ବ ସରକାର ଭୋଟ୍‌ ବ୍ୟାଙ୍କ ପାଇଁ ଧ୍ରୁବୀକରଣରେ ଏତେ ବ୍ୟସ୍ତ ଥିଲା ଯେ ସେମାନେ ଲୋକଙ୍କ ମଙ୍ଗଳ ପାଇଁ ସମୟ ପାଇନାହାନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ କିଛି ଲୋକ ମୋ ଭାବମୂର୍ତ୍ତିକୁ ନଷ୍ଟ କରିବାପାଇଁ ଯେକୌଣସି ସ୍ତରକୁ ଯାଇପାରନ୍ତି ଏବଂ ସେମାନେ ସେମାନଙ୍କ ଲକ୍ଷ୍ୟ ସାଧନ ପାଇଁ ସୁପାରୀ ବି ଦେଉଛନ୍ତି। ୨୦୧୪ରୁ କିଛି ଲୋକ ସର୍ବସାଧାରଣରେ ମୋର ଭାବମୂର୍ତ୍ତିକୁ ନଷ୍ଟ କରିବା ସଂକ୍ରାନ୍ତ ସେମାନଙ୍କ ଲକ୍ଷ୍ୟ ଘୋଷଣା କରିଛନ୍ତି। ଏଥିପାଇଁ ସେମାନେ ଅନ୍ୟମାନଙ୍କୁ ସୁପାରୀ ଦେଉଛନ୍ତି।

କିଛି ଲୋକ ଭାରତ ଭିତରେ କାମ କରୁଥିବାବେଳେ ଅନ୍ୟ କିଛି ଲୋକ ବିଦେଶରେ ଏହି କାମ କରୁଛନ୍ତି। କିନ୍ତୁ ସେମାନେ ଜାଣନ୍ତିନି ଯେ ଭାରତର ଗରିବ, ଦଳିତ ଓ ଅନଗ୍ରସରମାନେ ମୋର ସୁରକ୍ଷା କବଚ। ଏଥିପାଇଁ ‌ସେମାନେ ହତାଶ ହୋଇ ନୂଆ ନୂଆ ଅପକୌଶଳ କରୁଛନ୍ତି। ଏବେ ସେମାନେ ମୋର କବର ଖୋଳିବା ପାଇଁ ଘୋଷଣା କରିଛନ୍ତି। କିନ୍ତୁ ଦେଶବାସୀ ସେମାନଙ୍କୁ ଉଚିତ ଜବାବ ଦେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।