ନିଟ୍ ପରୀକ୍ଷା କେଳେଙ୍କାରୀ: ସଂସ୍କାର ପାଇଁ ବିଶେଷଜ୍ଞ କମିଟି

ଏନ୍‌ଟିଏ ମୁଖ୍ୟ ବହିଷ୍କୃତ

ନୂଆଦିଲ୍ଲୀ: ନିଟ୍ (ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା) ଏବଂ ୟୁଜିସି ନେଟ୍‌ ବିବାଦ ମଧ୍ୟରେ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ସ୍ବଚ୍ଛ, ସହଜ ଓ ସୁରୁଖୁରୁରେ ପରୀକ୍ଷା ପରିଚାଳନା କରିବାପାଇଁ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଜାତୀୟ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ଏନ୍‌ଟିଏ (ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି)ରେ ସଂସ୍କାର ଆଣିବାପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଏହି କମିଟି ଗଠନ କରିଛନ୍ତି। ଉକ୍ତ କମିଟି ପରୀକ୍ଷା ପ୍ରକ୍ରିୟାରେ ସଂସ୍କାର ଆଣିବାପାଇଁ ସୁପାରିସ କରିବ ଏବଂ ଡାଟା ସିକ୍ୟୁରିଟି ପ୍ରୋଟୋକଲ୍‌କୁ ସୁଦୃଢ଼ କରିବ। ଏନ୍‌ଟିଏର ଗଠନ ଏବଂ କାର୍ଯ୍ୟାନ୍ବୟନ ପ୍ରକ୍ରିୟା‌ରେ ସଂସ୍କାର ଆଣିବାପାଇଁ କମିଟି ପରାମର୍ଶ ଦେବ। କମିଟି ୨ ମାସ ମଧ୍ୟରେ ଶିକ୍ଷା ମନ୍ତ୍ରାଳୟରେ ଏହାର ରିପୋର୍ଟ ଦାଖଲ କରିବେ ବୋଲି କୁହାଯାଇଛି।

ପୂର୍ବତନ ଇସ୍ରୋ ମୁଖ୍ୟ କେ ରାଧାକ୍ରିଷ୍ଣନ୍‌ ଏହି ୭ ଜଣିଆ କମିଟିର ମୁଖ୍ୟ ରହିବେ। କମିଟିରେ ଡା. ରଣଦୀପ ଗୁଲେରିଆ, ପ୍ରଫେସର ବି ଜେ ରାଓ, ପ୍ରଫେସର ରାମମୂର୍ତ୍ତି କେ, ପଙ୍କଜ ବଂସଲ, ଆଦିତ୍ୟ ମିତ୍ତଲ ଏବଂ ଗୋବିନ୍ଦ ଜୈସ୍ବାଲ ମଧ୍ୟ ଅଛନ୍ତି। ଶିକ୍ଷା ମନ୍ତ୍ରାଳୟ ଅନୁଯାୟୀ ଉଚ୍ଚସ୍ତରୀୟ କମିଟି
ପରୀକ୍ଷା ପ୍ରକ୍ରିୟାକୁ ଟିକିନିଖି ଯାଞ୍ଚ କରିବେ ଏବଂ ପରୀକ୍ଷା ପଦ୍ଧତିରେ ଉନ୍ନତି ଆଣିବାପାଇଁ ଯଥୋଚିତ ପଦକ୍ଷେପ ଗ୍ରହଣ କରିବାପାଇଁ ସୁପାରିସ କରିବେ। ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିଶ୍ରୁତି ଦେଇଥିଲେ ଯେ କୌଣସି ପ୍ରକାର ଅନିୟମିତତା ପାଇଁ ଏନ୍‌ଟିଏ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। ନିଟ୍‌ ପରୀକ୍ଷାର ଦିନକ ପୂର୍ବରୁ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ ବିବାଦ ଲାଗି ରହିଥିବା ବେଳେ ଏବଂ ଉକ୍ତ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲେ ସୁଦ୍ଧା‌ ସରକାର ନିଟ୍‌ ପରୀକ୍ଷା ବାତିଲ କରିବେ ନାହିଁ ବୋଲି ଆଜି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ପଶ୍ନପତ୍ର ପ୍ରଘଟ ଘଟଣା କେବଳ କିଛି ନିର୍ଦ୍ଦିଷ୍ଟ ଛାତ୍ରଙ୍କୁ ପ୍ରଭାବିତ କରିଛି। ତେଣୁ ପରୀକ୍ଷା ବାତିଲ କରିବା ଦ୍ବାରା ଅତ୍ୟନ୍ତ ପରିଶ୍ରମ କରି ସଠିକ୍‌ ଢଙ୍ଗରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଲକ୍ଷଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହେବେ।

ପ୍ରଧାନ କହିଛନ୍ତି ଯେ ୨୦୦୪ ଏବଂ ୨୦୧୫ରେ ବଡ଼ ଧରଣର ପ୍ରଶ୍ନପତ୍ର ପ୍ରଘଟ ହୋଇଥିବାରୁ ସେ ସମୟରେ ନିଟ୍‌ ପରୀକ୍ଷା ବାତିଲ କରାଯାଇଥିଲା। କିନ୍ତୁ ଚଳିତ ଥର କେବଳ ବିହାରରେ କିଛି ସ୍ଥାନୀୟ ଛାତ୍ରଛାତ୍ରୀ ଏହି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଫାଇଦା ଉଠାଇଛନ୍ତି। ମାମଲାରେ ଗିରଫ ହୋଇଥିବା କିଛି ଅଭିଯୁକ୍ତଙ୍କୁ ବିହାରରେ ଜେରା କରାଯାଉଛି। ତେବେ ଏହି ମାମଲାରେ ସୁପ୍ରିମକୋର୍ଟ ଶୁଣାଣି କରୁଛନ୍ତି ଏବଂ କୋର୍ଟ ଯାହା ନିଷ୍ପତ୍ତି ନେବେ ତାହା ଚୂଡ଼ାନ୍ତ ହେବ ବୋଲି ପ୍ରଧାନ କହିଛନ୍ତି । ଉଲ୍ଲେଖଯୋଗ୍ୟ, ୬୭ ଜଣ ଛାତ୍ର ନିଟ୍‌-ୟୁଜି ପରୀକ୍ଷାରେ ସମାନ ୭୨୦ ନମ୍ବର ରଖିବାରୁ ଏହାକୁ ନେଇ ବିବାଦ ହୋଇଛି। ଏନ୍‌ଟିଏ ଏହ‌ି ମାମଲାରେ ସ୍ପଷ୍ଟୀକରଣ ଦେଇ କହିଛି ‌ଯେ ଭୁଲ୍‌ ପ୍ରଶ୍ନପତ୍ର ଏବଂ ପରୀକ୍ଷାର୍ଥୀମାନେ ବିଳମ୍ବରେ ପ୍ରଶ୍ନପତ୍ର ପାଇବାରୁ ସେମାନେ କିଛି ଛାତ୍ରଙ୍କୁ ଗ୍ରେସ ମାର୍କ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ପାଖାପାଖି ୨୪ ଲକ୍ଷ ଛାତ୍ର ନିଟ୍‌-ୟୁଜି ୨୦୨୪ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ।

ପୂର୍ବତନ ଇସ୍ରୋ ମୁଖ୍ୟ କେ ରାଧାକ୍ରିଷ୍ଣନ କମିଟି ମୁଖ୍ୟ
ନିଟ୍‌ ପରୀକ୍ଷା ବାତିଲ ହେବନି: ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ନିଟ୍ (ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା) ଏବଂ ୟୁଜିସି ନେଟ୍‌ ପରୀକ୍ଷା ଅନିୟମିତତା ନେଇ ବଡ଼ ଧରଣର ବିବାଦ ଲାଗି ରହିଥିବା ବେଳେ ଆଜି କେନ୍ଦ୍ର ସରକାର ଏନ୍‌ଟିଏ (ଜାତୀୟ ପରୀକ୍ଷା ପରିଚାଳନାକାରୀ ସଂସ୍ଥା)ମୁଖ୍ୟଙ୍କୁ ବହିଷ୍କାର କରିଛନ୍ତି। ଏନ୍‌ଟିଏ ମହାନିର୍ଦ୍ଦେଶକ ସୁବୋଧ କୁମାର ସିଂହଙ୍କୁ ସରକାର ହଟାଇବା ସହ ତାଙ୍କ ସ୍ଥାନରେ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ପ୍ରଦୀପ ସିଂହ ଖାରୋଲାଙ୍କୁ ନିଯୁକ୍ତ କରିଛନ୍ତି। ନିଟ୍ ଓ ୟୁଜିସି-ନେଟ୍ ଭଳି ଶୀର୍ଷସ୍ତରୀୟ ଜାତୀୟ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଏହି ସଂସ୍ଥା ବିରୋଧରେ ଏବେ ବିଭିନ୍ନ ଛାତ୍ର ସଂଗଠନ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି। ନିଟ୍ ପରୀକ୍ଷା ସମୟରେ ଅନିୟମିତତା ଏବଂ ଗ୍ରେସ୍ ମାର୍କ ଦେବା ଅଭିଯୋଗରେ ଏନ୍‌ଟିଏ ପୂର୍ବରୁ ମଧ୍ୟ ଯାଞ୍ଚର ସମ୍ମୁଖୀନ ହୋଇଥିଲା। ଆଜି ଏନ୍‌ଟିଏ ମୁଖ୍ୟଙ୍କୁ ବହିଷ୍କାର କରିବା ସହ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି।

 

ସମ୍ବନ୍ଧିତ ଖବର