ନିଟ୍ କେଳେଙ୍କାରୀ: ସିବିଆଇ ଜାଲରେ ଦୁଇ, ବିହାରରୁ ଧରାପଡ଼ିଲେ, ୬ ଏଫ୍ଆଇଆର୍ ରୁଜୁ

ସ୍କୁଲ ଅଧ୍ୟକ୍ଷଙ୍କୁ ଜେରା

ନୂଆଦିଲ୍ଲୀ: ବିହାରର ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପ୍ରଥମ ଥର ପାଇଁ ପାଟନାର ମନୀଷ କୁମାର ଓ ଆଶୁତୋଷ ନାମକ ଦୁଇ ଜଣଙ୍କୁ ଗିରଫ କରିଛି। ସିବିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମନୀଷ କୁମାର ତାଙ୍କ କାର୍‌ରେ ଛାତ୍ରଛାତ୍ରୀଙ୍କୁ ଖାଲିପଡ଼ିଥିବା ଏକ ସ୍କୁଲ୍‌କୁ ନେଇଥିଲେ। ସେଠାର ପିଲାମାନଙ୍କୁ ଲିକ୍ ହୋଇଥିବା ପ୍ରଶ୍ନପତ୍ର ସହିତ ଉତ୍ତର ଲେଖା ଦିଆଯାଇଥିଲା। ସେଠାରେ ଅତି କମ୍‌ରେ ୨୪ ଜଣ ଛାତ୍ରଛାତ୍ରୀଙ୍କୁ ଲିକ୍ ହୋଇଥିବା ପ୍ରଶ୍ନପତ୍ର ଦିଆଯାଇଥିଲା । ଆଶୁତୋଷ ତାଙ୍କ ବାସଭବନରେ ଏହି ଛାତ୍ରଛାତ୍ରୀଙ୍କ ପାଇଁ ରହିବା ବ୍ୟବସ୍ଥା କରିଥିଲେ। ଏଜେନ୍ସି ପକ୍ଷରୁ ଗୁରୁବାର ଦୁଇଜଣଙ୍କୁ ପଚରାଉଚରା ପାଇଁ ଡକାଯାଇଥିଲା ଏବଂ ଜେରା ପରେ ସେମାନଙ୍କୁ ଗିରଫ କରାଯାଇଛି।

ନିଟ୍ ପେପର ଲିକ୍ ମାମଲାରେ ସିବିଆଇ ଆଜି ସୁଦ୍ଧା ୬ଟି ଏଫ୍ଆଇଆର୍ ରୁଜୁ କରିଥିବା ବେଳେ ବିଭିନ୍ନ ରାଜ୍ୟରେ ଖୋଳତାଡ଼ ଜାରି ରଖିଛି। ସିବିଆଇ ବିହାରରେ ୨ ଜଣଙ୍କୁ ଗିରଫ କରିବା ପୂର୍ବରୁ ମହାରାଷ୍ଟ୍ର ଓ ଦିଲ୍ଲୀରେ ମଧ୍ୟ କିଛି ଲୋକଙ୍କୁ ଅଟକ ରଖିଥିଲା। ଏମାନଙ୍କ ମଧ୍ୟରେ ଜଣେ ପରୀକ୍ଷାର୍ଥୀ ମଧ୍ୟ ଅଛନ୍ତି, ଯିଏ କହିଛନ୍ତି ଯେ ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ସେ ଏବଂ ଅନ୍ୟ କିଛି ଛାତ୍ର ପ୍ରଶ୍ନପତ୍ରର ଏକ କପି ପାଇଥିଲେ।
ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ପରିଚାଳିତ ସ୍ନାତକ ମେଡିକାଲ ପାଠ୍ୟକ୍ରମ ପାଇଁ ପ୍ରାୟ ୨୪ ଲକ୍ଷ ଛାତ୍ରଛାତ୍ରୀ ମେ ୫ ତାରିଖରେ ନିଟ୍-ୟୁଜି ୨୦୨୪ ପରୀକ୍ଷା ଦେଇଥିଲେ। ନିର୍ଦ୍ଧାରିତ ସମୟର ୧୦ ଦିନ ପୂର୍ବରୁ ଜୁନ୍ ୪ ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲେ ହେଁ ୧୫୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ପ୍ରଶ୍ନପତ୍ର ଲିକ୍ ଓ ଗ୍ରେସ୍ ମାର୍କ ଅଭିଯୋଗ ଆସିବା ପରେ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏନ୍‌ଟିଏକୁ ଏହି ମାମଲାରେ ସୁପ୍ରିମ୍ କୋର୍ଟ କଡ଼ା ସମାଲୋଚନା କରିବା ସହ ନୋଟିସ୍‌ ଜାରି କରିଛନ୍ତି।

ବିହାର ନିଟ୍ ପେପର ଲିକ୍ ଘଟଣାର ଦୁଇ ଅଭିଯୁକ୍ତଙ୍କୁ ୩ ଦିନିଆ ସିବିଆଇ ରିମାଣ୍ଡରେ ପଠାଇ ଦିଆଯାଇଥିବା ବେଳେ ପେପର୍‌ ଲିକ୍‌ ପ୍ରସଙ୍ଗ ମଧ୍ୟ ଏକ ବଡ଼ ରାଜନୈତିକ ବିବାଦରେ ପରିଣତ ହୋଇଛି । ଇଣ୍ଡି ମେଣ୍ଟ ସଂସଦର ଚଳିତ ଅଧିବେଶନରେ ଏହି ପ୍ରସଙ୍ଗରେ ସରକାରକୁ ଘେରିବାକୁ ପ୍ରସ୍ତୁତ ହେଉଥିବା ବେଳେ ସରକାର ମଧ୍ୟ ବିରୋଧୀଙ୍କ ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି। ସଂସଦରେ ଏ ବାବଦ ଯେ କୌଣସି ପ୍ରଶ୍ନର ଜବାବ ଦେବାକୁ ଆମେ ପ୍ରସ୍ତୁତ ଅଛୁ ବୋଲି ଆଜି ସରକାର ସ୍ପଷ୍ଟ କରିଛନ୍ତି। ନିଟ୍ ୨୦୨୪ ପରୀକ୍ଷାର ଜିଲ୍ଲା ସଂଯୋଜକ ଥିବା ଝାଡ଼ଖଣ୍ଡର ହଜାରୀବାଗସ୍ଥିତ ଓଏସିସ୍ ସ୍କୁଲ୍‌ର ପ୍ରଧାନଶିକ୍ଷକଙ୍କୁ ସିବିଆଇର ଏକ ସ୍ବତନ୍ତ୍ର ଟିମ୍ ବୁଧବାର ପଚରାଉଚରା କରିଛି। ହଜାରୀବାଗ ଜିଲ୍ଲାର ଚରହୀ ସହରରେ ଥିବା ସିସିଏଲ୍ ଗେଷ୍ଟ ହାଉସରେ ପ୍ରଧାନଶିକ୍ଷକଙ୍କ ସମେତ ବିଦ୍ୟାଳୟର ଅନ୍ୟ କିଛି କର୍ମଚାରୀଙ୍କୁ ମଧ୍ୟ ଜେରା କରାଯାଇଥିଲା। ହଜାରୀବାଗରେ ପ୍ରଶ୍ନପତ୍ରରେ କୌଣସି ପ୍ରକାର ତ୍ରୁଟିକୁ ଅସ୍ୱୀକାର କରିବା ସହ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ ବୋଲି ଓଏସିସ୍ ସ୍କୁଲର ପ୍ରଧାନଶିକ୍ଷକ ଡ. ଏହସାନୁଲ ହକ୍ କହିଛନ୍ତି। ସୂଚନା ଅନୁଯାୟୀ, ସିବିଆଇର ଏକ ୮ ଜଣିଆ ଟିମ୍ ଝାଡ଼ଖଣ୍ଡର ହଜାରୀବାଗ ଜିଲ୍ଲାରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ)ର ମୁଖ୍ୟ ଶାଖାକୁ ଯାଇଥିଲେ, କାରଣ ବ୍ୟାଙ୍କର ମ୍ୟାନେଜର ନିଟ୍-ୟୁଜି ୨୦୨୪ ପରୀକ୍ଷା ପ୍ରଶ୍ନପତ୍ରର ରକ୍ଷକ ଥିଲେ। ଏକ ଇ-ରିକ୍ସାରେ ଜଣେ କୋରିଅର୍ ସର୍ଭିସ୍ ଅପରେଟରଙ୍କ ଦ୍ୱାରା ବ୍ୟାଙ୍କକୁ ପ୍ରଶ୍ନପତ୍ର ପଠାଯାଇଥିଲା।

ପାଟନାର ସ୍ୱତନ୍ତ୍ର ସିବିଆଇ ଅଦାଲତ ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାର ଦୁଇ ଅଭିଯୁକ୍ତଙ୍କୁ ୩ ଦିନ ପାଇଁ ସିବିଆଇ ରିମାଣ୍ଡକୁ ପଠାଇ ଦେଇଛନ୍ତି। କୁଖ୍ୟାତ ସଞ୍ଜୀବ କୁମାର ଓରଫ ଲୁଟନ ମୁଖିଆ ଗ୍ୟାଙ୍ଗ ସହ ଜଡ଼ିତ ଚିଣ୍ଟୁ କୁମାର ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ନିଜ ମୋବାଇଲ୍ ଫୋନରେ ପିଡିଏଫ୍ ଫର୍ମାଟରେ ନିଟ୍-ୟୁଜିର ସମାଧାନ ହୋଇଥିବା ଉତ୍ତରଖାତା ପାଇଥିବା ଅଭିଯୋଗ ହୋଇଛି। ଏହି ଗ୍ୟାଙ୍ଗ ସହ ମୁକେଶ ମଧ୍ୟ ଜଡିତ ଥିବା ଜଣାପଡିଛି।

ସମ୍ବନ୍ଧିତ ଖବର