ଆଜି ଉପନିର୍ବାଚନ: ୬ ରାଜ୍ୟରେ ଶକ୍ତି ପରୀକ୍ଷା

ଗୁଜରାଟ, ହିମାଚଳ ପ୍ରଦେଶ ନିର୍ବାଚନ ପୂର୍ବରୁ ସେମିଫାଇନାଲ୍‌, ବିହାର, ମହାରାଷ୍ଟ୍ର ଉପରେ ନଜର

ନୂଆଦିଲ୍ଲୀ: ଆଜି ୬ ରାଜ୍ୟର ୭ ବିଧାନସଭା ଆସନରେ ଉପନିର୍ବାଚନ ହେବ। ୬ ରାଜ୍ୟରେ ବିଜେପି ଏବଂ ଆଞ୍ଚଳିକ ଦଳମାନଙ୍କ ମଧ୍ୟରେ ଜୋରଦାର ଲଢ଼େଇ ହେଉଛି। ଗୁଜରାଟ ଏବଂ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର,ବିହାର, ଉତ୍ତରପ୍ରଦେଶ, ଓଡ଼ିଶା, ‌ତେଲେଙ୍ଗାନା ଏବଂ ହରିୟାଣାରେ ବିଧାନସଭା ଉପନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି। ମହାରାଷ୍ଟ୍ର ଏବଂ ବିହାରରେ କ୍ଷମତା ବଦଳିବାପରେ ଉଭୟ ରାଜ୍ୟରେ ପ୍ରଥମ ଉପନିର୍ବାଚନ ହେବାକୁ ଯାଉଛି। ମହାରାଷ୍ଟ୍ରର ଅନ୍ଧେରି ପୂର୍ବ ଆସନରେ ଉପନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ। ଶିବସେନା ବିଧାୟକ ରମେଶ ଲଟ୍‌କେଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡ଼ିଥିଲା।

ରମେଶ ଲଟ୍‌କେଙ୍କ ପତ୍ନୀ ରୁତୁଜା ଲଟ୍‌କେଙ୍କୁ ଶିବସେନା ଏହି ଆସନରେ ପ୍ରାର୍ଥୀ କରିଛି। ବିଜେପି ଏହି ଆସନରେ ପ୍ରାର୍ଥୀ ଦେଇଥିଲେ ମଧ୍ୟ ପରେ ପ୍ରତ୍ୟାହାର କରିନେଇଛି। ବିହାରର ମୋକମା ଏବଂ ଗୋପାଳଗଂଜରେ ଉପନିର୍ବାଚନ ହେବ। ମୋକମାରେ ଆର୍‌ଜେଡି ଏବଂ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ହରିୟାଣାର ଆଦମପୁରରେ ମଧ୍ୟ ଉପନିର୍ବାଚନ ହେବ। କଂଗ୍ରେସ ବିଧା‌ୟକ କୁଲଦୀପ ବିଷ୍ଣୋଇ ଇସ୍ତଫା ଦେଇ ବିଜେପିରେ ଯୋଗ ଦେବାପରେ ଏହି ଆସନରେ ନିର୍ବାଚନ ଦରକାର ପଡ଼ିଥିଲା। ଏହି ଆସନରେ ବିଜେପି, କଂଗ୍ରେସ, ଆପ୍‌ ଏବଂ ଆଇଏନ୍‌ଏଲଡି ପ୍ରାର୍ଥୀ ଦେଇଛନ୍ତି। ସେହିଭଳି ଉତ୍ତରପ୍ର‌ଦେଶର ଗୋଲା ଗୋକରନ୍ନାଥ, ଓଡ଼ିଶାର ଧାମନଗର ଏବଂ ତେଲେଙ୍ଗାନାର ମୁନୁଗୋଡ଼ାରେ ମଧ୍ୟ ଉପନିର୍ବାଚନ ହେବ। ଆସନ୍ତା ୬ ତାରିଖରେ ଭୋଟଗଣତି ହେବ।

ସମ୍ବନ୍ଧିତ ଖବର