ଦଳୀୟ ପୁରୁଷ କର୍ମୀଙ୍କୁ ଯୌନ ଉତ୍ପୀଡ଼ନ, ପ୍ରଜ୍ବଳଙ୍କ ଭାଇ ଗିରଫ

ବେଙ୍ଗାଲୁରୁ: ଘରର ଚାକରାଣୀକୁ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହୋଇଥିବା ଜେଡିଏସ୍‌ ସାଂସଦ ପ୍ରଜ୍ବଳ ରେବାନ୍ନାଙ୍କ ଭାଇ ତଥା ବିଧାନପରିଷଦ ସଦସ୍ୟ ସୂରଯଙ୍କ ବିରୋଧରେ ଅନୁରୂପ ଦୁଷ୍କର୍ମ ଅଭିଯୋଗ ଆସିଛି। ଚାକିରି ଦେବାର ପ୍ରତିଶ୍ରୁତି ଦେଇ ସୂରଜ ଦୁଷ୍କର୍ମ ଓ ଯୌନଶୋଷଣ କରିଛନ୍ତି ବୋଲି ଜଣେ ୨୭ ବର୍ଷୀୟ ଯୁବକ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ସୂରଯଙ୍କୁ ଗିରଫ କରାଯାଇଛି।

ପୀଡ଼ିତଙ୍କ ଅଭିଯୋଗ ଅନୁସାରେ, ଜୁନ୍‌ ୧୬ ତାରିଖ ଅପରାହ୍‌ଣ ୬ଟାରୁ ୬ଟା ୧୫ ମଧ୍ୟରେ ହସନ୍‌ର ଗନ୍ନିକାଡ଼ା ଫାର୍ମହାଉସ୍‌ରେ ଭେଟିବାକୁ ସୂରଯ ତାଙ୍କୁ ଡାକିଥିଲେ। ନିର୍ଦ୍ଧାରିତ ସମୟରେ ପୀଡ଼ିତ ଫାର୍ମହାଉସ୍‌ରେ ପହଞ୍ଚିଥିଲେ। ଫାର୍ମହାଉସ୍‌ର ପ୍ରକୋଷ୍ଠରେ ପହଞ୍ଚିବା ପରେ ସୂରଯ ତାଙ୍କୁ କବାଟ ଦେବାକୁ କହିଥିଲେ। ଏହାପରେ ତାଙ୍କ କାନ୍ଧରେ ହାତ ରଖି କାନକୁ ଚୁମ୍ବନ ଦେବାକୁ ଲାଗିଥିଲେ। ପୀଡ଼ିତଙ୍କ ଓଠକୁ କାମୁଡ଼ି ଧରିବା ସହ ଯଦି ତାଙ୍କୁ ସହଯୋଗ କରନ୍ତି ତେବେ ତାଙ୍କୁ ଚାକିରି ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବିରୋଧ କଲେ ନିଜର ରାଜନୈତିକ ପ୍ରଭାବ ଦ୍ବାରା ତାଙ୍କୁ ହତ୍ୟା କରିବାକୁ ପଛେଇବେ ନାହିଁ ବୋଲି ଧମକ ମଧ୍ୟ ଦେଇଥିଲେ। ଏହାପରେ ତାଙ୍କୁ ନିଜର ଶୟନକକ୍ଷକୁ ଟାଣି ନେଇଯାଇଥିଲେ।

ସେଠାରେ ତାଙ୍କ ଗାଲକୁ କାମୁଡ଼ିବା ସହ ଅପ୍ରାକୃତିକ ଦୁଷ୍କର୍ମ କରିଥିଲେ। ପୀଡ଼ିତ ଜଣକ ଏଥିରେ କାନ୍ଦି ପକାଇଥିଲେ ଓ ତାଙ୍କୁ ଛାଡ଼ି ଦେବା ପାଇଁ ଅନୁରୋଧ କରିଥିଲେ। ଏଥିରେ ସୂରଯ କହିଥିଲେ ଯେ ସେ (ପୀଡ଼ିତ) ପ୍ରଥମ ଥର ଏଭଳି ଅପ୍ରାକୃତିକ ସମ୍ପର୍କ ରଖୁଥିବାରୁ ଅସୁବିଧା ହେଉଛି, ପରବର୍ତ୍ତୀ ସମୟରେ ଏହା ସହଜ ହୋଇଯିବ। ଦୁଷ୍କର୍ମ ପରେ ପୀଡ଼ିତଙ୍କୁ ବିଦାୟ ଦେବା ବେଳେ ‘ହାଲୁକା ହେବାକୁ’ ପରାମର୍ଶ ଦେଇ ଗୁଡ୍‌ନାଇଟ୍‌ ମଧ୍ୟ କହିଥିଲେ। ଗିରଫ ସୂରଯ ନିଜ ପ୍ରତି ଲାଗିଥିବା ଅଭିଯୋଗକୁ ମିଥ୍ୟା ଓ ରାଜନୈତିକ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ସମ୍ପୃକ୍ତ ପୀଡ଼ିତ ବ୍ୟକ୍ତିଜଣକ ତାଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରିଥିଲା। ମାମଲା ପ୍ରତ୍ୟାହାର କରିବାକୁ ୫ କୋଟି ଟଙ୍କା ମାଗିଥିଲା। ସୂରଯଙ୍କ ଅଭିଯୋଗ ଅନୁସାରେ, ପୁଲିସ ଜୁନ୍‌ ୨୧ ତାରିଖରେ ଉକ୍ତ ପୀଡ଼ିତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ବରନ୍‌ ‘ରାଜନୈତିକ ଷଡ଼ଯନ୍ତ୍ର’ ପ୍ରସଙ୍ଗରେ କହିଛନ୍ତି ଯେ ଅଭିଯୋଗ ଆସିବା ପରେ ଆଇନାନୁସାରେ ପଦକ୍ଷେପ ନିଆଯାଇଛି। ଏହାବ୍ୟତୀତ ‘ଷଡ଼ଯନ୍ତ୍ର’ ସମ୍ପର୍କରେ ସେ କିଛି ଜାଣନ୍ତି ନାହିଁ।

ସମ୍ବନ୍ଧିତ ଖବର