ରାହୁଲ ଗାନ୍ଧିଙ୍କ ଯୋଗ୍ୟତାକୁ ନେଇ ନିରାଶ ହୋଇଥିଲେ ପ୍ରଣବ ମୁଖାର୍ଜୀ: ‘ଏଏମ୍, ପିଏମ୍ ମଧ୍ୟରେ ଫରକ ଜାଣନ୍ତିନି’

ପ୍ରଣବଙ୍କ ଝିଅ ଲେଖିଥିବା ଜୀବନୀରେ ଦାବି

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀଙ୍କ ଦ୍ୱାରା ଲିଖିତ ଜୀବନୀ ପୁସ୍ତକ ‘ପ୍ରଣବ ମାଇ ଫାଦର’ରୁ ଜଣାପଡ଼ିଛି ଯେ ପ୍ରଣବ ମୁଖାର୍ଜୀ ରାହୁଲ ଗାନ୍ଧିଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲେ ଏବଂ ତାଙ୍କର ବାରମ୍ବାର ଅନ୍ତର୍ଧାନ ହେବାକୁ ନେଇ ନିରାଶ ହୋଇଥିଲେ। ପୂର୍ବତନ କଂଗ୍ରେସ ନେତ୍ରୀ ଶର୍ମିଷ୍ଠା ଉକ୍ତ ପୁସ୍ତକରେ ରାହୁଲ ଗାନ୍ଧିଙ୍କୁ ନେଇ ତାଙ୍କ ପିତାଙ୍କ ମନ୍ତବ୍ୟ ଏବଂ ଗାନ୍ଧି ପରିବାର ସହ ତାଙ୍କ ସମ୍ପର୍କକୁ ନେଇ ତାଙ୍କର ଆଭିମୁଖ୍ୟ ପ୍ରକାଶ କରିଛନ୍ତି। ଦିନେ ସକାଳେ ମୋଗଲ ଗାର୍ଡେନ (ବର୍ତ୍ତମାନ ଅମୃତ ଉଦ୍ୟାନ)ରେ ପ୍ରଣବଙ୍କ ପ୍ରାତଃଭ୍ରମଣ ସମୟରେ ରାହୁଲ ତାଙ୍କୁ ଭେଟିବାକୁ ଆସିଥିଲେ। ବାସ୍ତବରେ ରାହୁଲ ସନ୍ଧ୍ୟାରେ ପ୍ରଣବଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ତାଙ୍କ (ରାହୁଲଙ୍କ) କାର୍ଯ୍ୟାଳୟ ତାଙ୍କୁ ସୂଚନା ଦେଇଥିଲା ଯେ ବୈଠକ ସକାଳେ ହେଉଛି। ମୁଁ ଜଣେ ଏଡିସିଙ୍କଠାରୁ ଘଟଣା ବିଷୟରେ ଜାଣିବାକୁ ପାଇଲି।

ଯେତେବେଳେ ମୁଁ ମୋ ବାପାଙ୍କୁ ପଚାରିଲି, ସେ ମନ୍ତବ୍ୟ ଦେଇଥିଲେ, ଯଦି ରାହୁଲଙ୍କ କାର୍ଯ୍ୟାଳୟ ‘ଏଏମ୍’ ଓ ‘ପିଏମ୍’ ମଧ୍ୟରେ ପ୍ରଭେଦ ଜାଣିପାରିବ ନାହିଁ, ତେବେ ସେମାନେ ଦିନେ ପିଏମ୍‌ଓ ଚଳାଇବାକୁ କିପରି ଆଶା କରିବେ?
ଏହି ପୁସ୍ତକରେ ପ୍ରଣବ ମୁଖାର୍ଜୀଙ୍କ ଡାଏରଇର କିଛି ପୃଷ୍ଠାର ଉଦ୍ଧୃତାଂଶ ରହିଛି, ଯେଉଁଥିରେ ସମସାମୟିକ ଭାରତୀୟ ରାଜନୀତି ଉପରେ ତାଙ୍କର ଚିନ୍ତାଧାରା ରହିଛି। ପୁସ୍ତକରେ ଏପରି ଏକ ଘଟଣା ବିଷୟରେ ଉଲ୍ଲେଖ କରାଯାଇଛି, ଯାହା ପ୍ରଣବ ମୁଖାର୍ଜୀଙ୍କୁ ରାହୁଲ ଗାନ୍ଧିଙ୍କ ବିଷୟରେ ନିରାଶ କରିଥିଲା। ୨୦୧୪ ଡିସେମ୍ବର ୨୮ରେ ଦଳର ୧୩୦ତମ ପ୍ରତିଷ୍ଠା ଦିବସରେ ଏଆଇସିସିରେ ପତାକା ଉତ୍ତୋଳନ ସମାରୋହରେ ସେ ଅନୁପସ୍ଥିତ ଥିଲେ। ପ୍ରଣବ ମୁଖାର୍ଜୀ ତାଙ୍କ ଡାଏରିରେ ଉଲ୍ଲେଖ କରିଛନ୍ତି, ‘ରାହୁଲ ଏଆଇସିସି କାର୍ଯ୍ୟକ୍ରମରେ ଉପସ୍ଥିତ ନ ଥିଲେ। ଯେହେତୁ ସେ ସବୁ କିଛି ଏତେ ସହଜରେ ପାଇଲେ, ସେ ତାହାର ମୂଲ୍ୟ ଦିଅନ୍ତି ନାହିଁ। ସୋନିଆଜୀ ନିଜ ପୁଅକୁ ଉତ୍ତରାଧିକାରୀ କରିବାକୁ ଚାହୁଛନ୍ତି କିନ୍ତୁ ଯୁବକଙ୍କ କରିସ୍ମା ଓ ରାଜନୈତିକ ବୋଧର ଅଭାବ ସମସ୍ୟା ସୃଷ୍ଟି କରୁଛି। କ’ଣ ସେ ଲୋକଙ୍କୁ ପ୍ରେରଣା ଦେଇପାରିବେ? ମୁଁ ଜାଣେ ନାହିଁ।’ ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସହ ପ୍ରଣବଙ୍କ ସଂପର୍କ ଅତ୍ୟନ୍ତ ଘନିଷ୍ଠ ଥିଲା ଏବଂ ମୋଦୀ ସର୍ବଦା ବାବାଙ୍କ ପାଦ ଛୁଉଁଥିଲେ ବୋଲି ଶର୍ମିଷ୍ଠା କହିଛନ୍ତି। ଉଭୟ ଭିନ୍ନ ବିଚାରଧାରାର ହୋଇଥିବା ସତ୍ତ୍ବେ ଏତେ ସୁସଂପର୍କ ତାଙ୍କୁ ଆଶ୍ଚର୍ଯ୍ୟ କରୁଥିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର