ମହାରାଷ୍ଟ୍ର ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ: ସିନ୍ଦେ ସରକାର ରହିବ, ଉଦ୍ଧବଙ୍କୁ ଆଶ୍ବସ୍ତି ମିଳିଲାନି

ଆସ୍ଥା ଭୋଟ୍‌ ପାଇଁ ରାଜ୍ୟପାଳଙ୍କ ନିଷ୍ପତ୍ତି ବେଆଇନ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି ୨୦୨୨-ମହାରାଷ୍ଟ୍ର ରାଜନୈତିକ ସଙ୍କଟ ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ଏକନାଥ ସିନ୍ଦେ-ବିଜେପି ସରକାରକୁ ଆଜି ବଡ଼ ଆଶ୍ବସ୍ତି ପ୍ରଦାନ କରିଛି। କୋର୍ଟ କହିଛନ୍ତି, ମହାରାଷ୍ଟ୍ରରେ ଆମେ ମହା ବିକାଶ ଅଘାଡ଼ି (ଏମ୍‌ଭିଏ) ସରକାରକୁ ପୁନଃ ଅବସ୍ଥାପିତ କରିପାରିବୁ ନାହିଁ। ରାଜନୈତିକ ସଙ୍କଟ ଭିତରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସ୍ବେଚ୍ଛାକୃତ ଭାବେ ଇସ୍ତଫା ଦେଇଛନ୍ତି। ଠାକ୍‌ରେ ଆସ୍ଥା ଭୋଟ୍‌ ସାମ୍ନା ନକରି ଇସ୍ତଫା ଦେଇଥିବାରୁ ଆମେ ଏ କ୍ଷେତ୍ରରେ ତାଙ୍କୁ କୌଣସି ଆଶ୍ବସ୍ତି ପ୍ରଦାନ କରିପାରିବୁ ନାହିଁ। ଯେହେତୁ ଆମେ ଉଦ୍ଧବଙ୍କ ଇସ୍ତଫା ରଦ୍ଦ କରିପାରିବୁନି, ତେଣୁ ଏମ୍‌ଭିଏ ସରକାର ପୁଣିଥରେ କ୍ଷମତାକୁ ଆସିପାରିବ ନାହିଁ। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଏମ ଆର ଶାହ, କ୍ରୀଷ୍ଣା ମୁରାରି, ହିମା କୋହଲି ଏବଂ ପିଏସ୍‌ ନରସିଂହଙ୍କ ୫ ଜଣିଆ ଖଣ୍ଡପୀଠରେ ଆଜି ଏହି ମାମଲାର ଶୁଣାଣି ହୋଇଥିଲା।

ଉଦ୍ଧବଙ୍କୁ ଆଶ୍ବସ୍ତି ମିଳିଲାନି
ଆସ୍ଥା ଭୋଟ୍‌ ପାଇଁ ରାଜ୍ୟପାଳଙ୍କ ନିଷ୍ପତ୍ତି ବେଆଇନ
ବାଚସ୍ପତିଙ୍କ ଭୂମିକା ନେଇ ଶୁଣାଣି ବଡ଼ ଖଣ୍ଡପୀଠରେ ହେବ

ପ୍ରଧାନ ବିଚ‌ାରପତିଙ୍କ ନେତୃତ୍ବାଧୀନ ୫ ଜଣିଆ ଖଣ୍ଡପୀଠ ମହାରାଷ୍ଟ୍ରର ତତ୍କାଳୀନ ରାଜ୍ୟପାଳ ଏବଂ ବାଚସ୍ପତିଙ୍କ ଭୂମିକା ପାଇଁ ସେମାନଙ୍କ ଉପରେ ବର୍ଷିଛନ୍ତି। କୋର୍ଟ କହିଛନ୍ତି, ରାଜ୍ୟପାଳଙ୍କର ରାଜ‌ନୈତିକ କ୍ଷେତ୍ରକୁ ପ୍ରବେଶ କରିବା କିମ୍ବା ଦଳୀୟ ବିବାଦରେ ଅଂଶଗ୍ରହଣ କରିବାର କୌଣସି କ୍ଷମତା ନାହିଁ।ରାଜ୍ୟପାଳଙ୍କୁ ଯେଉଁ କ୍ଷମତା ମିଳିନାହିଁ ତାହା ସେ ବ୍ୟବହାର କରିପାରିବେନି। କେବଳ କିଛି ସଦସ୍ୟ ଶିବସେନା ଛାଡ଼ିବାକୁ ଚାହୁଥିବା ଆଧାରରେ ରାଜ୍ୟପାଳ ଏମ୍‌ଭିଏ ସରକାର ସଂଖ୍ୟାଗରିଷ୍ଠତା ହରାଇଥିବା ସିଦ୍ଧାନ୍ତରେ ପହଞ୍ଚିବା ଭୁଲ୍‌। ରାଜ୍ୟପାଳ ଆସ୍ଥା ଭୋଟ୍‌ ପାଇଁ ଘୋଷଣା କରିବା ବେଆଇନ ଥିଲା ବୋଲି କୋର୍ଟ କହିଛନ୍ତି। ଦଳୀୟ ବିବାଦର ସମାଧାନ ପାଇଁ ଆସ୍ଥା ଭୋଟ୍‌କୁ ଏକ ମାଧ୍ୟମ ଭାବେ ବ୍ୟବହାର କରିହେବନି ବୋଲି କୋର୍ଟ କହିଛନ୍ତି।

କୋର୍ଟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସ‌ିନ୍ଦେଙ୍କ ସମେତ ୧୬ ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ମନା କରିଦେଇଛନ୍ତି। ସିନ୍ଦେ ଗୋଷ୍ଠୀ ଦ୍ବାରା ସମର୍ଥିତ ପ୍ରାର୍ଥୀ ଗୋଗାୱାଲେଙ୍କୁ ଶିବସେନା ଦଳର ହ୍ବିପ୍‌ ନିଯୁକ୍ତ କରିବା ସଂକ୍ରାନ୍ତ ବାଚସ୍ପତିଙ୍କ ନିଷ୍ପତ୍ତି ବେଆଇନ ବୋଲି ମଧ୍ୟ କୋର୍ଟ କହିଛନ୍ତି। କିନ୍ତୁ ଏକନାଥ ସିନ୍ଦେଙ୍କୁ ସରକାର ଗଠନ କରିବା ପାଇଁ ଆମନ୍ତ୍ରିତ କରିବା ସଂକ୍ରାନ୍ତ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ବିଜେପି ସମର୍ଥନରେ ସିନ୍ଦେଙ୍କୁ ସରକାର ଗଠନ କରିବାପାଇଁ ରାଜ୍ୟପାଳ ଆମନ୍ତ୍ରିତ କରିବା ଯୁକ୍ତିଯୁକ୍ତ ବୋଲି କୋର୍ଟ କହିଛନ୍ତି। ଇତିମଧ୍ୟରେ ବାଚସ୍ପତିଙ୍କ ଭୂମିକା ବାବଦରେ ଶୁଣାଣି ବୃହତ୍ତର ଖଣ୍ଡପୀଠରେ ହେବ ବୋଲି କୋର୍ଟ କହିଛନ୍ତି।

ସମ୍ବନ୍ଧିତ ଖବର