ରୁଷିଆରେ ଆତଙ୍କବାଦୀ ଆକ୍ରମଣ, ୧୯ ମୃତ

ମସ୍କୋ : ରୁଷିଆର ମୁସଲିମ ବହୁଳ ଦକ୍ଷିଣ ଦାଗେସ୍ତାନ ଅଞ୍ଚଳରେ ରବିବାର ସଶସ୍ତ୍ର ଆତଙ୍କବାଦୀମାନେ ୧୯ରୁ ଅଧିକ ପୁଲିସ ଅଧିକାରୀ ଏବଂ ଜଣେ ପାଦ୍ରୀଙ୍କ ସମେତ ଅନେକ ସାଧାରଣ ନାଗରିକଙ୍କୁ ହତ୍ୟା କରିଛନ୍ତି। ଖ୍ରୀଷ୍ଟିଆନ ଉତ୍ସବ ପେଣ୍ଟେକୋଷ୍ଟ ଚାଲିଥିବାବେଳେ ଦୁର୍ବୃତ୍ତମାନେ ଗୁଳିକାଣ୍ଡ କରିଥିଲେ । ଏହାର ଜବାବରେ ପୁଲିସ ମାଖାଚକାଲାରେ ୪ ଜଣ ଏବଂ ଡବେଣ୍ଟରେ ୨ ଜଣ ବନ୍ଧୁକଧାରୀଙ୍କୁ ଗୁଳିକରି ମାରିଦେଇଛି।

ଏହି ଘଟଣାରେ ୧୬ରୁ ଅଧିକ ଲୋକ ଆହତ ହୋଇଛନ୍ତି ଓ ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ମୃତ ପାଦ୍ରୀଙ୍କ ନାମ ନିକୋଲାଇ କୋଟେଲନିକୋଭ ବୋଲି ଜଣାଯାଇଛି ।

ଦାଗେସ୍ତାନ ଗଭର୍ଣ୍ଣର ସେର୍ଗେଇ ମେଲିକୋଭ ସୋମବାର ସକାଳେ ଏକ ଭିଡିଓ ବିବୃତିରେ କହିଛନ୍ତି ଯେ ବନ୍ଧୁକଧାରୀମାନେ ଦୁଇଟି ସହରର ଦୁଇଟି ଚର୍ଚ୍ଚ, ଗୋଟିଏ ସିନାଗାଗ ଏବଂ ଏକ ପୋଲିସ ପୋଷ୍ଟ ଉପରକୁ ଗୁଳି ଚଳାଇଥିଲେ। ରୁଷିଆର ଜାତୀୟ ଆତଙ୍କବାଦ ନିରୋଧୀ କମିଟି କହିଛି ଯେ ସଶସ୍ତ୍ର ଉଗ୍ରବାଦର ଇତିହାସ ଥିବା ମୁଖ୍ୟତଃ ମୁସଲମାନ ଅଞ୍ଚଳକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଛି। ସେ ଏହି ଆକ୍ରମଣକୁ ଆତଙ୍କବାଦୀ କାର୍ଯ୍ୟ ବୋଲି ବର୍ଣ୍ଣନା କରିଛନ୍ତି। ଏହି ଘଟଣା ପରେ ସୋମବାର, ମଙ୍ଗଳବାର ଓ ବୁଧବାର ଅଞ୍ଚଳରେ ଶୋକ ଦିବସ ଘୋଷଣା କରାଯାଇଛି।

 

ସମ୍ବନ୍ଧିତ ଖବର