ଚିଦମ୍ବରମଙ୍କ ହାଜତ ମିଆଦ ବଢ଼ିଲା, ସିବିଆଇ କୋର୍ଟରେ ଜାମିନ ଶୁଣାଣି ଆଜି

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବ ଅର୍ଥମନ୍ତ୍ରୀ ପି. ଚିଦମ୍ବରମଙ୍କ ଜାମିନ ଆବେଦନ ନେଇ ଆସନ୍ତାକାଲି ସିବିଆଇ କୋର୍ଟ ରାୟ ଶୁଣାଇବେ। ଆଜି ସୁପ୍ରିମ୍‌ କୋର୍ଟ ଚିଦମ୍ବରମଙ୍କ ହାଜତ ମିଆଦକୁ ଗୁରୁବାର ପର୍ଯ୍ୟନ୍ତ ବଢ଼ାଇଥିବାରୁ ସେ ଜେଲ୍‌ ଯିବାରୁ ସାମୟିକ ଭାବେ ବର୍ତ୍ତିଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଚିଦମ୍ବରମ ତଳ କୋର୍ଟରେ ପୁଣି ଜାମିନ ଆବେଦନ କରିଛନ୍ତି ଏବଂ ଆସନ୍ତାକାଲି ଅପରାହ୍ନ ସାଢ଼େ ୩ଟାରେ ସିବିଆଇ ଅଦାଲତରେ ଏହାର ଶୁଣାଣି ହେବ। ଚିଦମ୍ବରମଙ୍କ ପକ୍ଷରୁ ଓକିଲ କପିଲ ସିବଲ ଜାମିନ ଆବେଦନ ଦାଖଲ କରିଥିଲେ। ସ୍ବତନ୍ତ୍ର ବିଚାରପତି ଅଜୟ କୁମାର କୁହାଡ଼ ଏହି ଜାମିନ ଆବେଦନର ଶୁଣାଣି କରିବେ।

ଆଜି ଏହି ମାମଲାରେ ସୁପ୍ରିମ୍‌ କୋର୍ଟରେ ମଧ୍ୟ ତୀବ୍ର ଯୁକ୍ତିତର୍କ ହୋଇଥିଲା। ବରିଷ୍ଠ ଆଇନଜୀବୀ ସିବଲଙ୍କୁ ସୁପ୍ରିମ୍‌ କୋର୍ଟ କହିଥିଲେ, ଏହି ମାମଲାରେ ଚିଦମ୍ବରମଙ୍କୁ ଉପଯୁକ୍ତ ଅଦାଲତରେ ଜାମିନ ଆବେଦନ କରିବାକୁ ହେବ। ତଳ କୋର୍ଟରେ ଯଦି ତାଙ୍କର ଜାମିନ ଆବେଦନ ଖାରଜ ହୁଏ ତା’ହେଲେ ବୁଧବାର ଦିନ କୋର୍ଟ ପୁଣି ଏହି ମାମଲାରେ ଶୁଣାଣି କରିବେ ବୋଲି କହିଥିଲେ। ୭୪ ବର୍ଷୀୟ ଚିଦମ୍ବରମଙ୍କୁ ଜେଲ୍‌ ନ ପଠାଇ ଗୃହ ବନ୍ଦୀ ଭାବେ ରଖିବାକୁ ସିବଲ ଯୁକ୍ତି କରିଥିଲେ।

ଆଜି ତଳ କୋର୍ଟରେ ଚିଦମ୍ବରଙ୍କ ପୁନଃ ଜାମିନ ଆବେଦନକୁ ସିବିଆଇ ଜୋର୍‌ଦାର ବିରୋଧ କରିଛି। ସଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ ଯେ ଜାମିନ ଆବେଦନ ଉପରେ ଜବାବ ରଖିବା ପାଇଁ ୧୦ ଦିନର ନୋଟିସ୍‌ ଆବଶ୍ୟକ। ଶୁଣାଣି ସମୟରେ ସିବିଆଇ କୋର୍ଟ ବିଚାରପତି ତଦନ୍ତକାରୀ ଅଫିସରଙ୍କୁ ପଚାରି‌ଥିଲେ ସୁପ୍ରିମ୍‌ କୋର୍ଟ ଏହି ମାମଲାରେ କିଭଳି ଆଦେଶ ଦେଇଛନ୍ତି। ଏ ନେଇ ଡିଏସ୍‌ପି ପାର୍ଥସାରଥୀ କୋର୍ଟଙ୍କୁ କହିଥିଲେ ଯେ ଯଦି ଜାମିନ ଆବେଦନ ନେଇ ରାୟ ଆସିପାରିବ ନାହିଁ ତା’ହେଲେ ଅଭିଯୁକ୍ତଙ୍କୁ ପୁଲିସ ହାଜତରେ ରଖିବାକୁ କୁହାଯାଇଛି । ଚିଦମ୍ବରଙ୍କୁ ଆଇଏନ୍‌ଏକ୍ସି ମିଡିଆ ଦୁର୍ନୀତି ମାମଲରେ କୌଣସି ଆଶ୍ବସ୍ତି ନଦେବା ପାଇଁ ସିବିଆଇ ଆଜି ଯୁକ୍ତି ରଖିଥିଲା।

ସମ୍ବନ୍ଧିତ ଖବର