ଓ୍ଵାଶିଂଟନ: ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବାରୁ ପୁଣି ଥରେ ପାକିସ୍ତାନକୁ ଅପମାନିତ ହେବାକୁ ପଡିଛି। ଆମେରିକାର ରିପବ୍ଲିକାନ୍ ପାର୍ଟିର ସାଂସଦ ସ୍କଟ୍ ପେରି ଆମେରିକାରେ ପାକିସ୍ତାନର ନୂଆ ରାଜଦୂତ ମାସୁଦ୍ ଖାନଙ୍କୁ ସମାଲୋଚନା କରି କହିଛନ୍ତି, ମାସୁଦ୍ ଖାନ୍ ଜିହାଦୀ ଓ ଆତଙ୍କବାଦୀଙ୍କ ସମର୍ଥକ ଅଟନ୍ତି। ଏହା ସହିତ ବାଇଡେନ୍ ସରକାରଙ୍କୁ ସେ ପ୍ରସ୍ତାବ ଦେଇଛନ୍ତି ଯେ ତାଙ୍କର ନିଯୁକ୍ତିକୁ ଖାରଜ କରାଯାଉ।

Advertisment

ଗତ ସପ୍ତାହରେ ଜୋ ବାଇଡେନଙ୍କୁ ପଠାଇଥିବା ଚିଠିରେ ସ୍କଟ୍ ପେରି ଲେଖିଥିଲେ, ମାସୁଦ୍ ଖାନ୍ ଆତଙ୍କବାଦୀଙ୍କ ପ୍ରତି ସହାନୁଭୂତି ରଖୁଥିବା ‘ଜେହାଦୀ’  ଅଟନ୍ତି। ସେ ଆମେରିକାର ହିତ ସହ ଆମର ଭାରତୀୟ ସହଯୋଗୀଙ୍କ ସୁରକ୍ଷାକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି। ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ମାସୁଦ୍ ଖାନଙ୍କ ନିଯୁକ୍ତିକୁ ଅତିଶୀଘ୍ର ପ୍ରତ୍ୟାହାର କରାଯାଉ।

ଆମେରିକା ବର୍ତ୍ତମାନ ମାସୁଦ୍ ଖାନଙ୍କ ନିଯୁକ୍ତିକୁ କିଛି ଦିନ ପାଇଁ ରୋକି ଦେଇଛି। ତେବେ ସ୍କଟ୍ ପେରି କହିଛନ୍ତି, ନିଯୁକ୍ତିକୁ କିଛି ଦିନ ପାଇଁ ରୋକିବା ଯଥେଷ୍ଟ ନୁହେଁ, ତାଙ୍କ ନିଯୁକ୍ତିକୁ ଖାରଜ କରାଯିବା ଉଚିତ। ସ୍କଟ୍ ପେରିଙ୍କ ଅନୁସାରେ ମାସୁଦ୍ ଖାନ ହିଜବୁଲ୍ ମୁଜାହିଦ୍ଦିନ ସମେତ ଅନେକ ଆତଙ୍କବାଦୀ ସଙ୍ଗଠନକୁ ପ୍ରଶଂସା କରିଛନ୍ତି। ସେ ଯୁବକମାନଙ୍କୁ ବୁରହାନ୍ ଓ୍ଵାନି ପରି ଆତଙ୍କବାଦୀଙ୍କ ପଥରେ ଚାଲିବାକୁ ମଧ୍ୟ ଉସୁକାଇଛନ୍ତି।

ଏହା ସହିତ ସେ ଲେଖିଛନ୍ତି ପାକିସ୍ତାନ ଏକ ସୁପର୍ ଆତଙ୍କବାଦୀ ଦେଶ ଭାବେ ପରିଚୟ ହାସଲ କରିଛି । କିଛି ଦିନ ପୂର୍ବରୁ ଟେକ୍ସାସର ସିନେଗଗରେ ପାକିସ୍ତାନର ଆତଙ୍କବାଦୀ ଆଫିୟା ସିଦ୍ଦିକିଙ୍କୁ ଖଲାସ କରିବା ପାଇଁ ଆକ୍ରମଣ କରାଯାଇଥିଲା ଓ ମସୁଦ୍ ଖାନ ତାକୁ ଖଲାସ କରିବା ପାଇଁ ମଧ୍ୟ ଦାବି କରିଛନ୍ତି।

ରାଓ୍ଵଲକୋଟର ପସ୍ତୁନ୍ ପରିବାରରୁ ଆସିଥିବା ମସୁଦ୍ ଖାନ୍ ଜଣେ କଠୋରପନ୍ଥୀ ଭାବେ ପରିଚିତ। ସେ ନିଜର କାର୍ଯ୍ୟ ଆମେରିକାରେ ପାକିସ୍ତାନର ଦୂତବାସରୁ କରିଥିଲେ। ସେ ପରଭେଜ୍ ମୁଶାରଫଙ୍କ ଶାସନ ସମୟରେ ପାକିସ୍ତାନର ବିଦେଶ କାର୍ଯ୍ୟାଳୟର ପ୍ରବକ୍ତା ଭାବରେ ମଧ୍ୟ କାମ କରିଥିଲେ।

ତେଣେ ସ୍କଟ ପେରି ମଧ୍ୟ ଅନେକ ସମୟରେ ବିବାଦରେ ରହଥାନ୍ତି। ତାଙ୍କୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ସମର୍ଥକ କୁହାଯାଏ। ଗତବର୍ଷ ଜାନୁଆରି ୬ ତାରିଖରେ ଆମେରିକାର ସଂସଦ ଭବନରେ ହୋଇଥିବା ହିଂସାରେ ତାଙ୍କର ଭୂମିକା ଉପରେ ତଦନ୍ତ କରାଯାଉଛି।