ବିବେକ ରାମସ୍ବାମୀଙ୍କୁ ହତ୍ୟା ଧମକ, ଅଭିଯୁକ୍ତ ଗିରଫ

ନ୍ୟୁୟର୍କ: ରପବ୍ଲିକାନ ଦଳ ପକ୍ଷରୁ ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରେ ଥିବା ଭାରତୀୟ ଆମେରିକୀୟ ବିବେକ ରାମସ୍ବାମୀଙ୍କୁ ହତ୍ୟା ଧମକ ମିଳିଛି। ଜୈବପ୍ରଯୁକ୍ତି କ୍ଷେତ୍ରର ୩୮ ବର୍ଷୀୟ ଉଦ୍ୟୋଗୀ ରାମସ୍ବାମୀ ଏବଂ ତାଙ୍କ ପ୍ରଚାର ଅଭିଯାନରେ ସାମିଲ ବ୍ୟକ୍ତିମାନଙ୍କୁ ଜଣେ ୩୦ ବର୍ଷୀୟ ଯୁବକ ହତ୍ୟା ଧମକ ଦେଇଛି। ନ୍ୟୁ ହାମ୍ପସାୟାର ଅନ୍ତର୍ଗତ ଡୋଭରର ଟାଇଲର ଆଣ୍ଡରସନ ନାମକ ବ୍ୟକ୍ତିକୁ ଶନିବାର ଗିରଫ କରାଯାଇଛି ବୋଲି ଆଟର୍ଣ୍ଣିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି।

ଏଫବିଆଇ ପକ୍ଷରୁ କୁହାଯାଇଛି ଯେ ରାମସ୍ବାମୀଙ୍କ ପ୍ରଚାର କମିଟି ପକ୍ଷରୁ ଭୋଟରମାନଙ୍କୁ ଏକ ବାର୍ତ୍ତା ଗତ ଶୁକ୍ରବାର ପଠାଯାଇଥିଲା। ସେମାନଙ୍କ ମଧ୍ୟରେ ଆଣ୍ଡରସନ୍‌ ଥିଲା। ସେହି ବାର୍ତ୍ତାର ଉତ୍ତରରେ ଆଣ୍ଡରସନ ଲେଖିଥିଲା ରାମସ୍ବାମୀଙ୍କୁ ମୁଣ୍ଡକୁ ଗୁଳି କରି ହତ୍ୟା କରିବା ପାଇଁ ଏହା ମୋ ପାଇଁ ଆଉ ଏକ ସୁଯୋଗ। ଏପରିକି ପୋର୍ଟସମାଉଥ୍‌ ପ୍ରଚାର କାର୍ଯ୍ୟକ୍ରମରେ ଯେଉଁମାନେ ଯୋଗଦେବେ ସେମାନଙ୍କୁ ମଧ୍ୟ ହତ୍ୟା କରିବେ ବୋଲି ସେ କହିଥିଲେ। ଅଭିଯୁକ୍ତ ଆଣ୍ଡରସନକୁ ଗିରଫ କରାଯିବା ସହିତ ତା’ ଫୋନ ଏବଂ ବନ୍ଧୁକ ଜବତ କରାଯାଇଛି।

ସମ୍ବନ୍ଧିତ ଖବର