ପୁଲିସ ଯିବା ପରେ ଗ୍ୟାସମାସ୍କ ପିନ୍ଧି ବାହାରକୁ ଆସିଲେ ଇମ୍ରାନ

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ଘର ଆଖପାଖରୁ ସୁରକ୍ଷା ବାହିନୀ ପ୍ରତ୍ୟାହାର କରିବାର କିଛି ମିନିଟ୍ ପରେ ସେ ଗ୍ୟାସ୍ ମାସ୍କ ପିନ୍ଧି ବାହାରକୁ ଆସିଥିବା ଦେଖିବାକୁ ମିଳିଥିଲା । ସେ ନିଜ ଘର ବାହାରେ ଠିଆ ହୋଇ ସମର୍ଥକଙ୍କ ସହ କଥା ବାର୍ତ୍ତା କରୁଥିବା ଦେଖିବାକୁ ମିଳିଥିଲା । ବୁଧବାରଦିନ ଲାହୋର ହାଇକୋର୍ଟଙ୍କ ରାୟ ପରେ ପୁଲିସ ଓ ଅର୍ଦ୍ଧସାମରିକ ବାହିନୀ ଇମ୍ରାନଙ୍କ ବାସଭବନ ଘେରାଉ ଶେଷ କରି ପଛକୁ ହଟିଥିଲେ।

ଇମ୍ରାନଙ୍କୁ ଗିରଫ କରିବାକୁ ମଙ୍ଗଳବାରଦିନ ପୁଲିସ ଓ ପାକିସ୍ତାନ ରେଞ୍ଜର୍ସ ତାଙ୍କ ଲାହୋରସ୍ଥିତ ଜମାନ ପାର୍କରେ ପହଞ୍ଚିବା ପରେ ପିଟିଆଇ କର୍ମୀମାନେ ତାହାର ବିରୋଧ କରିଥିଲେ । ଏହି ବିରୋଧ କ୍ରମେ ପାକିସ୍ତାନର ଅନ୍ୟ ସହରକୁ ବି ବ୍ୟାପିଯାଇଥିଲା । ମଙ୍ଗଳବାର ବିଫଳ ହେବା ପରେ ପୁଲିସ ବୁଧବାରଦିନ ବି ନିଜର ଉଦ୍ୟମ ଜାରି ରଖିଥିଲା । ତେବେ ଆଜି ମଧ୍ୟ ପିଟିଆଇ କର୍ମୀମାନେ ଏହାକୁ ପ୍ରତିରୋଧ କରିଥିଲେ । ଏହା ପରେ ପିଟିଆଇ ନେତା ତଥା ପୂର୍ବତନ ମନ୍ତ୍ରୀ ଫଓ୍ବାଦ ଚୌଧୁରୀ ଲାହୋର ହୋଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ମାମଲାର ବିଚାର କରି ଲାହୋର ହାଇକୋର୍ଟ ଆସନ୍ତା କାଲି (ଗୁରୁବାର) ପୂର୍ବାହ୍ଣ ୧୦ଟା ପର୍ଯ୍ୟନ୍ତ ଇମ୍ରାନଙ୍କ ବିରୋଧରେ କୌଣସି ପ୍ରକାରର ପୁଲିସ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଛନ୍ତି । ପିଟିଆଇ ନେତା ଫୱାଦ ଚୌଧୁରୀଙ୍କ ଆବେଦନ ଉପରେ ପଞ୍ଜାବର ଇନ୍ସପେକ୍ଟର ଜେନେରାଲ, ମୁଖ୍ୟ ଶାସନ ସଚିବ ଏବଂ ଇସଲାମାବାଦ ପୋଲିସ (ଅପରେସନ) ମୁଖ୍ୟ ସେମାନଙ୍କୁ ସମନ କରିବା ପରେ ଲାହୋର ହାଇକୋର୍ଟ ଏହି ରୋକ ଲଗାଇଥିଲେ ।

ସମ୍ବନ୍ଧିତ ଖବର