ମଇଁଷି ଓ ଷଣ୍ଢଙ୍କୁ ହତ୍ୟା କରାଯାଉଥିବା ବେଳେ ଗୋ-ହତ୍ୟା କଲେ ଭୁଲ୍‌ କ’ଣ: କର୍ଣ୍ଣାଟକ ମନ୍ତ୍ରୀ କେ. ଭେଙ୍କଟେଶ

ବେଙ୍ଗାଲୁରୁ: ଯଦି ମଇଁଷି ଓ ଷଣ୍ଢଙ୍କୁ ହତ୍ୟା କରାଯାଇ ପାରୁଛି ତେବେ, ଗୋ-ହତ୍ୟା କଲେ ଅସୁବିଧା କ’ଣ ବୋଲି ଶନିବାର ଦିନ କର୍ଣ୍ଣାଟକ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ବିଜ୍ଞାନ ମନ୍ତ୍ରୀ କେ. ଭେଙ୍କଟେଶ ପଚାରିଛନ୍ତି।

ସେ କହିଛନ୍ତି, ବୁଢ଼ା ହୋଇଯାଇଥିବା ଗୋରୁମାନଙ୍କର ରକ୍ଷଣାବେକ୍ଷଣ କରିବା ଏବଂ ମୃତ ଗୋରୁମାନଙ୍କୁ ଫିଙ୍ଗିବାରେ କୃଷକମାନ‌େ ସମସ୍ୟାରେ ପଡୁଛନ୍ତି। ଏହି ରାଜ୍ୟର କୃଷକମାନଙ୍କର ବୃହତ୍ତର ସ୍ବାର୍ଥ ପ୍ରତି ଧ୍ୟାନ ଦିଆଯାଇ ଏହି ବିଲ୍‌ରେ ସଂଶୋଧନ କରାଯିବ।

‘କର୍ଣ୍ଣାଟକ ପ୍ରିଭେନ୍‌ସନ୍‌ ଅଫ୍‌ କାଓ ସ୍ଲଗ୍‌ଟର୍‌ ଆଣ୍ଡ୍‌ ପ୍ରିଭେନ୍‌ସନ୍‌ ଅଫ୍‌ କ୍ୟାଟ୍‌ଲ୍‌ (ଆମେଣ୍ଡ୍‌ମେଣ୍ଟ୍‌) ବିଲ୍‌, ୨୦୨୦’ ଭଳି କଠୋର ଆଇନ ପ୍ରଣୟନ ବିଷୟରେ ଶାସକ କଂଗ୍ରେସ ଚିନ୍ତା କରୁଥିବା ବେଳେ ମନ୍ତ୍ରୀ ଭେଙ୍କଟେଶ ଉପରୋକ୍ତ କଥା କହିଛନ୍ତି। ତତ୍‌କାଳୀନ ‘ବିଜେପି’ ସରକାର ଅମଳରେ ୨୦୨୧ରେ ରାଜ୍ୟ ବିଧାନସଭାରେ ଏହି ବିଲ୍‌ ପାସ୍‌ କରାଯାଇଥିଲା।

ରାଜ୍ୟରେ ସମ୍ପୂର୍ଣ୍ଣ ଗୋ-ହତ୍ୟା ନିଷିଦ୍ଧ କରିବା କଥା ଏହି ବିଲ୍‌ରେ ଉଲ୍ଲେଖ ଅଛି। ଏହାଛଡ଼ା, ଗୋରୁ ଚୋରାଚାଲାଣ, ବେଆଇନ ଗୋରୁ ପରିବହନ, ଗୋରୁ ଉପରେ ଅତ୍ୟାଚାର ଏବଂ ଗୋରୁ ହତ୍ୟା କରୁଥିବା ବ୍ୟକ୍ତିମାନଙ୍କୁ କଠୋର ଶାସ୍ତି ଦିଆଯିବ ବୋଲି ଏଥିରେ ବ୍ୟବସ୍ଥା କରାଯାଇଥିଲା।

୨୦୨୦ ଡିସେମ୍ବର ମାସରେ ‘ବିଜେପି’ ସରକାର କର୍ଣ୍ଣାଟକ ବିଧାନସଭାରେ ଏହି ବିଲ୍‌ ପାସ୍‌ କରିବା ସମୟରେ ପ୍ରତିବାଦ ପ୍ରଦର୍ଶନ କରି କଂଗ୍ରେସ କକ୍ଷ ତ୍ୟାଗ କରିଥିଲା।

ସମ୍ବନ୍ଧିତ ଖବର