ନୀତୀଶଙ୍କୁ ଦିଲ୍ଲୀ ପଠାଇବୁ, ତେଜସ୍ବୀଙ୍କୁ ବିହାର ଦାୟିତ୍ବ ଦେବୁ: ଲାଲୁ ଯାଦବ

ପାଟନା: ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଆଜି ଦଳର ସଭାପତି ନିର୍ବାଚନ ପାଇଁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏଥି ସହ ନାମାଙ୍କନପତ୍ର ଦାଖଲ କରିବା ପରେ ସେ ବିରୋଧୀଙ୍କୁ ଏକଜୁଟ କରିବା ଓ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଦିଲ୍ଲୀ ପଠାଇବା ବିଷୟରେ କହିଛନ୍ତି।

ସେ କହିଛନ୍ତି ଯେ, ବିଜେପିକୁ ହଟାଇବାକୁ ପଡିବ। ଏଥିପାଇଁ ସମସ୍ତ ବିରୋଧୀ ଦଳଙ୍କୁ ଏକାଠି କରିବାକୁ ପଡିବ। ମୁଁ ଚାହୁଁଛି ତେଜସ୍ୱୀ ଯାଦବ ବିହାର କଥା ବୁଝନ୍ତୁ ଏବଂ ନୀତୀଶ ଦିଲ୍ଲୀ ଯାଆନ୍ତୁ। ଏଭଳି କହି ସେ ବିହାରରେ ମୁଖ୍ୟମନ୍ତ୍ରୀ ବଦଳି ପାରନ୍ତି ବୋଲି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ସୋନିଆ ଗାନ୍ଧୀଙ୍କ ସହ ହୋଇଥିବା ବୈଠକ ବିଷୟରେ କହିବାକୁ ଯାଇ ଲାଲୁ ଯାଦବ କହିଛନ୍ତି ଯେ, ଆମେ ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ଯାଇଥିଲୁ, ଫଟୋ ଉଠାଇବାକୁ ନୁହେଁ। ତାଙ୍କ ସହ ହୋଇଥିବା କଥାବାର୍ତ୍ତା ଭଲ ଥିଲା। ନିର୍ବାଚନ ପରେ ତାଙ୍କୁ ପୁଣି ଭେଟିବି।

ତେବେ କିଛି ଦିନ ପୂର୍ବରୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ବିଜେପି ସାଂସଦ ସୁଶୀଲ ମୋଦୀ କହିଥିଲେ ଯେ, ଆରଜେଡି ସୁପ୍ରିମୋ ଲାଲୁ ଯାଦବ ନୀତୀଶ କୁମାରଙ୍କୁ କେତେବେଳେ ହଟାଇ ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିଦେବେ, ତାହା କେହି କହିପାରିବେ ନାହିଁ। ଆଜି ଲାଲୁ ଦେଇଥିବା ବୟାନ ପରେ ସୁଶୀଲଙ୍କ ଏହି କଥା ଆଗକୁ ସତ ହେବ ବୋଲି  ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର