‘ସି-ଭୋଟର-ଇଣ୍ଡିଆ ଟୁଡେ’ ସର୍ଭେ : ଯୋଗୀ ଦେଶର ନଂ୧ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହେଉଛନ୍ତି ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । ‘ସି-ଭୋଟର’ ଏବଂ ‘ଇଣ୍ଡିଆ ଟୁଡେ’ର ମୁଡ୍ ଅଫ୍ ଦି ନେସନ୍ (ଏମ୍ଓଟିଏନ୍) ସର୍ଭେରୁ ଏହା ଜଣାପଡ଼ିଛି ।

୨୦୨୩ ଜୁଲାଇ ୧୫ରୁ ୨୦୨୩ ଅଗଷ୍ଟ ୧୪ ମଧ୍ୟରେ ଏହି ସର୍ଭେ କରାଯାଇଥିଲା। ଏହି ସର୍ଭେ ଅନୁଯାୟୀ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭାରତର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ ଅଛନ୍ତି। ତାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

ଏହି ସର୍ଭେରେ ଭାଗନେଇଥିବା ଲୋକମାନଙ୍କୁ ଦେଶର ବିଭିନ୍ନ ରାଜ୍ୟର ୩୦ ଜଣ ମୁଖ୍ୟମନ୍ତ୍ରୀଙ୍କ ନାମ ଦିଆଯାଇଥିଲା। ଲୋକପ୍ରିୟତା ଅନୁଯାୟୀ ଲୋକଙ୍କୁ ରେଟିଂ କରିବାକୁ କୁହାଯାଇଥିଲା । ରେଟିଂ ଅନୁସାରେ ୪୩ ପ୍ରତିଶତ ଲୋକ ଯୋଗୀ ଆଦିତ୍ୟନାଥଙ୍କୁ ୧ ନମ୍ବର ମୁଖ୍ୟମନ୍ତ୍ରୀର ମାନ୍ୟତା ଦେଇଛନ୍ତି । ତା’ପରେ ଅରବିନ୍ଦ କେଜ୍ରିୱାଲ ଆସୁଛନ୍ତି, ଯିଏକି ୧୯ ପ୍ରତିଶତ ଭୋଟ୍ ପାଇ ଦ୍ୱିତୀୟ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ ହୋଇଛନ୍ତି। ତାଲିକାର ୩ୟ ଓ ୪ର୍ଥ ସ୍ଥାନରେ ଯଥାକ୍ରମେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ  ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ରହିଛନ୍ତି ।

ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ୫ମ ସ୍ଥାନରେ ଅଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କୁ ମାତ୍ର ୩ ପ୍ରତିଶତ ଭୋଟ ମିଳିଥିବା ସର୍ଭେରୁ ଜଣାପଡ଼ପଡ଼ିଛି। ତେବେ ନିଜ ରାଜ୍ୟରେ ଲୋକପ୍ରିୟତା ଆଧାରରେ ସେ ଏକ ନମ୍ବର ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର