କଟକ: କଟକ ଲୋକସଭା ଆସନରେ ଏଥର ଜୋରଦାର ଲଢେଇ ହେବ । ବିଜେଡି ଏଠାରୁ ଷଷ୍ଠ ଥର ଲାଗି ଭର୍ତ୍ତୃହରି ମହତାବଙ୍କୁ ପ୍ରାର୍ଥୀ କରିଛି। ଭର୍ତ୍ତୃହରି ବୁଧବାର ଦଳୀୟ ସମର୍ଥକଙ୍କ ଗହଣରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ବିଜୁ ଜନତା ଦଳ ପକ୍ଷରୁ ଖଣ୍ଡପଡା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ତଥା ବରିଷ୍ଠ ବିଜେଡି ନେତୃବୃନ୍ଦଙ୍କ ଉପସ୍ଥିତିରେ ଭର୍ତ୍ତୃହରି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଭର୍ତ୍ତୃହରିଙ୍କ ବିରୋଧରେ ବିଜେପିରୁ ପ୍ରାକ୍ତନ ପୁଲିସ ଡିଜି ପ୍ରକାଶ ମିଶ୍ର ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋଙ୍କୁ ପ୍ରାର୍ଥୀ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି କଟକ-ଚୌଦ୍ୱାର ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସୌଭିକ ବିଶ୍ୱାଳ । ନିଜ ସମର୍ଥକଙ୍କ ସହ ବିରାଟ ଶୋଭାଯାତ୍ରାରେ ଆସି ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
କଟକ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ର ମଧ୍ୟ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେପି କର୍ମକର୍ତାଙ୍କ ସହ ରାଲିରେ ସେ ଆଜି ପ୍ରାର୍ଥୀପତ୍ର ଭରିଥିଲେ । ବରିଷ୍ଠ ଆଇପିଏସ ପ୍ରକାଶ ମିଶ୍ର ଗତ କିଛିଦିନ ତଳେ ବିଜେପିରେ ମିଶିବା ପରେ କଟକ ଲୋକସଭା ପାଇଁ ଦଳ ତାଙ୍କୁ ଟିକେଟ ଦେଇଛି ।
ସେହିପରି କଂଗ୍ରେସ ପକ୍ଷରୁ କଟକ ଲୋକସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପଂଚାନନ କାନୁନଗୋ । ସେ ଗତ ଜାନୁଆରୀରେ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଥିଲେ । ଏହା ପରେ କଟକରୁ ତାଙ୍କୁ ଟିକେଟ ଦେଇଛି କଂଗ୍ରେସ । ଗତଥର ଏଠାରୁ କଂଗ୍ରେସ ଅପରାଜିତା ମହାନ୍ତିଙ୍କୁ ଟିକେଟ ଦେଇଥିଲା । ସେ ତୃତୀୟ ସ୍ଥାନରେ ଥିଲେ ।