ରାହୁଲ ଗାନ୍ଧୀ ନିବେଶକମାନଙ୍କୁ ବିଭ୍ରାନ୍ତ କରୁଛନ୍ତି : ପିୟୁଷ ଗୋଏଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଗୁରୁବାର ସନ୍ଧ୍ୟାରେ ଅଭିଯୋଗ କରିଛନ୍ତି ଯେ ବିଜେପିର ଶୀର୍ଷ ନେତାମାନେ ଷ୍ଟକ ବଜାର ଦୁର୍ନୀତି ଘଟାଇଛନ୍ତି ଏବଂ ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଶାହା ସିଧାସଳଖ ସମ୍ପୃକ୍ତ ଅଛନ୍ତି। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବିଜେପି କହିଛି ଯେ ଏହା ସେମାନଙ୍କ ପରାଜୟର ନିରାଶା।

ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୀୟୂଷ ଗୋଏଲ କହିଛନ୍ତି, ଆଜି ରାହୁଲ ଗାନ୍ଧୀ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଓ ଆମ ନେତାଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣିଛନ୍ତି, ଏହା ସ୍ପଷ୍ଟ ଦର୍ଶାଉଛି ଯେ ଲୋକସଭା ନିର୍ବାଚନରେ ବିରୋଧୀଙ୍କ ପରାଜୟର ନିରାଶାରୁ ରାହୁଲ ଗାନ୍ଧୀ ମୁକୁଳି ପାରିନାହାନ୍ତି। ଏବେ ରାହୁଲ ଗାନ୍ଧି ବଜାର ନିବେଶକଙ୍କୁ ବିଭ୍ରାନ୍ତ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି। ତୃତୀୟ ପାଳିରେ ମୋଦୀଙ୍କ ଆଗମନକୁ ନେଇ ରାହୁଲ ଗାନ୍ଧି ଅସନ୍ତୁଷ୍ଟ ଥିବା ଜଣାପଡିଛି । ସେଥିପାଇଁ ସେ (ରାହୁଲ ଗାନ୍ଧି) ନିଜ ବୟାନ ଦେଇ ବିଦେଶୀ ଓ ଘରୋଇ ନିବେଶକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି।

ରାହୁଲ ଗାନ୍ଧିଙ୍କ ଅଭିଯୋଗର ଜବାବ ଦେଇ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଆଶ୍ୱାସନା ଦେଇଛନ୍ତି ଯେ ଆମର ଅର୍ଥନୈତିକ ବ୍ୟବସ୍ଥା ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବିଭିନ୍ନ ସମୟରେ ପରିବର୍ତ୍ତନ ଆସିଲେ ଇକ୍ୱିଟି ବଜାରରେ ପରିବର୍ତ୍ତନ ଆସିଥାଏ। ବିଗତ ୧୦ ବର୍ଷ ମଧ୍ୟରେ ଆମର ମାର୍କେଟ୍ କ୍ୟାପ୍ ୩ ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇଛି। ବିଶ୍ୱର ୫ଟି ବୃହତ୍ତମ ଦେଶର ଲିଗ୍ ରେ ଭାରତର ଇକ୍ୱିଟି ବଜାର ସାମିଲ ହୋଇଛି।

ସମ୍ବନ୍ଧିତ ଖବର