ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକଙ୍କ ୧୦୨ ତମ ଜୟନ୍ତୀ, ଭବାନୀ ବାବୁ ଥିଲେ ସାମାଜିକ ନେତା

ଭୁବନେଶ୍ୱର: ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକଙ୍କ ୧୦୨ ତମ ଜୟନ୍ତୀ ଅବସରରେ ‘ପ୍ରେରଣା ଦିବସ’ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଜୟଦେବ ଭବନରେ ଚିତ୍ରାଙ୍କନ ପ୍ରତିଯୋଗିତା ଓ ଭବାନୀ କଥା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଲେ, ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ଥିଲେ ଭବାନୀ ଚରଣ ପଟ୍ଟନାୟକ। ଭବାନୀ ବାବୁଙ୍କ ସହିତ ଜଡ଼ିତ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଆଲୋଚନା କରି କହିଲେ ତାଙ୍କ ସରଳ ଜୀବନ ଅନେକଙ୍କୁ ପ୍ରଭାବିତ କରିଥିଲା। ଶେଷ ଜୀବନ ପର୍ଯ୍ୟନ୍ତ ସେ ସମାଜ ସେବାରେ ବ୍ରତୀ ଥିଲେ। ଯାହା ବିରଳ। ମୁଖ୍ୟବକ୍ତା ଭାରତ ସରକାରଙ୍କ ପୂର୍ବତନ ନିର୍ବାଚନ ଆୟୋଗ ଉପଦେଷ୍ଟା ଡ. ଭଗବାନ ପ୍ରକାଶ ଭବାନୀ ଚରଣ ପଟ୍ଟନାୟକ ସ୍ମାରକୀ ବକ୍ତୃତା ପ୍ରଦାନ କରି କହିଲେ ସ୍ବର୍ଗତ ପଟ୍ଟନାୟକ କେବଳ ଜଣେ ରାଜନେତା ନଥିଲେ, ଜଣେ ସାମାଜିକ ନେତା ଥିଲେ। ସମଗ୍ର ଜୀବନ ସମାଜର ଉନ୍ନତି ପାଇଁ ଉତ୍ସର୍ଗ କରିଥିଲେ।

କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଭବାନୀ ବାବୁ ନିମାପଡ଼ା ଗାନ୍ଧୀ ଭାବେ ବେଶ୍ ପରିଚିତ ଥିଲେ ବୋଲି କହିଥିଲେ। ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ ସଭାପତି ସଂଗ୍ରାମ କେଶରୀ ପାଇକରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଦ୍‌ଭାବନା କର୍ମୀ ମଧୁସୂଦନ ଦାସ ଭବାନୀ କଥାର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶୋଭନୀୟ ଆନ୍ଦୋଳନର ଅଧ୍ୟକ୍ଷା ଅରୁନ୍ଧତୀ ଦେବୀ, ବିଶିଷ୍ଟ ଗାନ୍ଧୀବାଦୀ ପ୍ରହଲ୍ଲାଦ ସିଂହ, ମାନବାଧିକାର କର୍ମୀ ମନୋଜ ଜେନା ପ୍ରମୁଖ ଯୋଗଦେଇ ପରିବେଶ ସୁରକ୍ଷାରେ ମୋର ଭୂମିକା ଶୀର୍ଷକ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ବେଣୁଧର ସେନାପତି, ଚିତ୍ତରଞ୍ଜନ ମହାନ୍ତି, ବିକ୍ରମ ନାୟକ, ଶ୍ରୀ ସୋମ, ମନସ୍ୱିନୀ ପରିଡ଼ା, ହର ପ୍ରସାଦ ମହାପାତ୍ର, ବିକ୍ରମ ମହାପାତ୍ର, ଆର ପି ଦ୍ବିବେଦୀ, ସରୋଜ କୁମାର ସା, ହେମନ୍ତ କୁମାର ଦାସ, କେଶବ ସେନାପତି, ଶିବାନୀ ନାୟକ, ଜୟରାମ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର