‘ଫନି’ର ୨ ମାସ ପରେ: ବିଚିତ୍ର ସ୍ଥିତିରେ ଷ୍ଟ୍ରିଟ୍‌ ଲାଇଟ୍

କେଉଁଠି ଜଳୁନି, କେଉଁଠି ଲିଭୁନି

ଭୁବନେଶ୍ୱର/ଚନ୍ଦ୍ରଶେଖରପୁର: ଫନିକୁ ପୂରିଛି ୬୦ ଦିନ। ଲଘୁଚାପ ବର୍ଷା ଓ ମୌସୁମୀ ସ୍ପର୍ଶରେ ରାଜଧାନୀ ସମେତ ଉପକଣ୍ଠରେ ସବୁଜିମା ଫେରିଥିବା ବେଳେ ଭିତ୍ତିଭୂମି ମଧ୍ୟ ସଜାଡ଼ି ହେଉଛି। ଅତ୍ୟାବଶ୍ୟକ ସେବା ମଧ୍ୟରେ ଟେଲିଫୋନ୍‌ ଓ ବିଜୁଳି ଯୋଗାଣ ସ୍ବାଭାବିକ କରିବା ପାଇଁ ବିଭାଗ ଉଦ୍ୟମ ଜାରି ରଖିଛି। ମୋବାଇଲ ଓ ଇଣ୍ଟରନେଟ୍‌ ସେବା ସମ୍ପୂର୍ଣ୍ଣ ବ୍ୟବସ୍ଥିତ ହୋଇନଥିବା ବେଳେ ବିଦ୍ୟୁତ୍‌ ସେବାକୁ ନେଇ ଏକ ବିଚିତ୍ର ସ୍ଥିତି ଉଭା ହୋଇଛି। ସହରର କୋଣ ଅନୁକୋଣରେ ବିଦ୍ୟୁତ୍‌ ସରବରାହ ବ୍ୟାଘାତ ହେଉଛି। ଦିନରୁ ସନ୍ଧ୍ୟା ଓ ସନ୍ଧ୍ୟାରୁ ରାତି, ବିଜୁଳି ଲୁଚକାଳି ଖେଳୁଛି। ଏମିତି ଜାଗା ନାହିଁ, ଯେଉଁଠି ଲାଇନ୍‌ କଟୁନାହିଁ। ଫନି ପରଠାରୁ ଏଭଳି ହୋଇଛି ଯେ ଷ୍ଟ୍ରିଟ୍‌ ଲାଇଟ୍‌ କେଉଁଠି ଜଳୁନି, ଆଉ କେଉଁଠି ଜଳୁଛି ଯେ ଲିଭୁନି। ଦିନ ରାତି ୨୪ ଘଣ୍ଟା ଜଳୁଛି ଷ୍ଟ୍ରିଟ୍‌ ଲାଇଟ୍‌। ଅନ୍ଧାର ଥିବା ଅଞ୍ଚଳ ମଧ୍ୟରେ ବଡ଼ଗଡ଼ କେନାଲ ରୋଡ୍‌, ଇନ୍‌ଫୋସିଟି ଅଞ୍ଚଳ, ଆଚାର୍ଯ୍ୟ ବିହାର ରୋଡ୍‌, ବରମୁଣ୍ଡା ଅଞ୍ଚଳ ପ୍ରମୁଖ ରହିଛି। ରାତି ହେଲେ ରାସ୍ତାରେ ଅନ୍ଧାର ରାଜୁତି କରୁଥିବା ବେଳେ ଦୁର୍ଘଟଣା ଓ ଲୁଟେରାଙ୍କ ଆତଙ୍କ ଯାତ୍ରୀଙ୍କୁ ଛାନିଆ କରୁଛି। ଦିନ ସାରା ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁଥିବା ଅଞ୍ଚଳ ଭିତରେ ମଞ୍ଚେଶ୍ବର, ୟୁନିଟ୍‌-୮ ଗୋଷ୍ଠୀ କେନ୍ଦ୍ର ଗଳି ପ୍ରମୁଖ ରହିଥିବା ବେଳେ କେତେକ ଅଞ୍ଚଳରେ ମଧ୍ୟାହ୍ନ ପର୍ଯ୍ୟନ୍ତ ଲାଇଟ୍‌ ଜଳି ରହୁଛି।

‌ମେ’ ୩ ତାରିଖରେ ହୋଇଥିବା ଫନି ବାତ୍ୟାରେ ରାଜଧାନୀରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଭିତ୍ତିଭୂମି ମଧ୍ୟରେ ବିଦ୍ୟୁତ୍‌ ବିଭାଗର ସର୍ବାଧିକ କ୍ଷତି ହୋଇଥିବା ଆକଳନ କରାଯାଇଥିଲା। ରାଜଧାନୀବାସୀଙ୍କୁ ୭ ଦିନ ଯନ୍ତ୍ରଣା ଦେବା ପରେ ବିଜୁଳି ଉପଲବ୍ଧ ହୋଇଥିଲା। ହେଲେ ସେବେଠାରୁ ସମସ୍ୟା ପିଛା ଛାଡ଼ି ନଥିଲା। ଭୋଲ୍‌ଟେଜ୍‌ରେ ଅସ୍ଥିରତା, ଲମ୍ବା ସମୟ ଧରି ସଂଯୋଗ ବିଚ୍ଛିନ୍ନ, ହଠାତ୍‌ ଅଧିକ ଭୋ‌ଲ୍‌ଟେଜ୍‌ ପ୍ରବାହିତ ହେବା ଭଳି ସମସ୍ୟା ଲାଗି ରହିଥିଲା। ପ୍ରାଥମିକତା ଆଧାରରେ ଘରକୁ ବିଜୁଳି ସଂଯୋଗ ଦିଆଯାଇଥିବା ବେଳେ ପରେ ପରେ ଷ୍ଟ୍ରିଟ୍‌ ଲାଇଟ୍‌କୁ ସଂଯୋଗ ଦିଆଯାଇଥିଲା‌। ତେବେ ଅନେକ ଷ୍ଟ୍ରିଟ୍‌ ଲାଇଟ୍ ଖୁଣ୍ଟ ଭାଙ୍ଗି ପଡ଼ିଥିବାରୁ ସମ୍ପୃକ୍ତ ଅଞ୍ଚଳରେ ମରାମତି ହେବା ପରେ ସଂଯୋଗ ଦେବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ ଦୁଇମାସ ପରେ ମଧ୍ୟ ଏହି ମରାମତି ହୋଇପାରି ନାହିଁ। ଫଳରେ ବିଜୁଳି ସଂଯୋଗ ମଧ୍ୟ ଦିଆଯାଇ ପାରିନାହିଁ।

ବଡ଼ଗଡ଼ କେନାଲ ରୋଡ୍‌କୁ ଲାଗି ରହିଥିବା ଓସ୍କାର ସିଟି ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁନାହିଁ। ଏହି ଅଞ୍ଚଳରେ ପୁଲିସ ପାଟ୍ରୋଲିଂ ଅଭାବରୁ ଅନ୍ଧାରର ସୁଯୋଗ ନେଇ ଲୁଟେରା ମାତିଛନ୍ତି। ସନ୍ଧ୍ୟା ହେଲେ ଏଠାକାର ବାସିନ୍ଦା ଚଳପ୍ରଚଳ କରିବାକୁ ଭୟ କରୁଛନ୍ତି। ରାସ୍ତା ଖରାପ ଥିବା ବେଳେ ବର୍ଷା ଲାଗି ରହିଥିବାରୁ ସେଠାରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଦୁର୍ଘଟଣା ସାଙ୍ଗକୁ ଲୁଟେରାଙ୍କ ଆତଙ୍କ ସ୍ଥାନୀୟ ବାସିନ୍ଦାଙ୍କ ନିଦ ହଜାଇଛି। ସେହିଭଳି ଏଜୁକେସନ୍ ହବ୍ ଭାବରେ ପ୍ରତିଷ୍ଠା ଲାଭ କରିଥିବା ଇନ୍‌ଫୋସିଟି ଅଞ୍ଚଳର ଅବସ୍ଥା ତଦ୍ରୂପ। ଶିଖରଚଣ୍ଡି-କିଟ୍ ମୁଖ୍ୟ ରାସ୍ତା ‘ଫନି’ ପରଠାରୁ ଅନ୍ଧାର। ଫଳରେ ଅସାମାଜିକ କାର୍ଯ୍ୟକଳାପ ବଢ଼ିଛି। ବାତ୍ୟା ପରଠାରୁ ଇନ୍‌ଫୋସିଟି ଥାନାରେ‌ ଇଣ୍ଟରନେଟ୍ ଓ ଲ୍ୟାଣ୍ଡ ଲାଇନ୍ ଟେଲିଫୋନ୍ ସଂଯୋଗ ହୋଇପାରି ନାହିଁ। ଏହା ସହ ଥାନା ପରିସର ମଧ୍ୟ ଅନ୍ଧାର ରହିଛି। ଅନ୍ଧାର ଯୋଗୁଁ ଲୋକମାନେ ଅସାମାଜିକ ତତ୍ତ୍ବଙ୍କ ଶିକାର ହେଉଛନ୍ତି। ଥାନା ସହ ଯେଗାଯୋଗ ବିଚ୍ଛିନ୍ନ ଥିବାରୁ ଲୋକମାନଙ୍କ ପାଇଁ ଘୋର୍‌ ସମସ୍ୟା ସୃଷ୍ଟି ହୋଇଛି। ଗତକାଲି ରାତିରେ ରାସ୍ତା କଡ଼ରେ ବସିଥିବା କେତେକ ଛାତ୍ରୀଙ୍କୁ କିଛି ଯୁବକ ଅସଦାଚରଣ ଓ ଲୁଟ୍ ଉଦ୍ୟମ କରୁଥିବା ବେଳେ ସେଠାରେ ପାଟ୍ରୋଲିଂ କରୁଥିବା ପିସିଆର୍ ଛାତ୍ରୀମାନଙ୍କୁ ଉଦ୍ଧାର କରିଥିଲା। ଅନ୍ଧାରର ସୁଯୋଗରେ ଏଠାରେ ଛିନ୍‌ତାଇ ମଧ୍ୟ ବଢ଼ିଛି। ଏହି ସବୁ ଜାଗାରେ ଷ୍ଟ୍ରିଟ୍‌ ଲାଇଟ୍‌ ଜଳି ନଥିବା ବେଳେ କେତେକ ଜାଗାରେ ଲିଭୁ ନାହିଁ। ସେହି ସବୁ ଜାଗା ମଧ୍ୟରେ ୟୁନିଟ୍‌-୮ ଗୋଷ୍ଠୀକେନ୍ଦ୍ର ଗଳି ଓ ମଞ୍ଚେଶ୍ବର ଛକରେ ରହିଛି। ଏଠାରେ ଦିନରାତି ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁଛି। ତେବେ ଏହାକୁ ବନ୍ଦ କରିବା ଦାୟିତ୍ବ ବିଏମ୍‌ସିର କହି ସେସୁ ଏଡ଼ାଇ ଯାଉଥିବା ବେଳେ ଜଳୁନଥିବା ଷ୍ଟ୍ରିଟ୍‌ ଲାଇଟ୍‌ଗୁଡ଼ିକୁ ଜଳାଇବା ପାଇଁ ଉଦ୍ୟମ ଜାରି ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର