ତ୍ରୁଟିପୂର୍ଣ୍ଣ ଚିକିତ୍ସାରୁ ରୋଗୀ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା

ଭୁବନେଶ୍ବର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ କ୍ୟାପିଟାଲ ହସ୍ପିଟାଲରେ ରବିବାର ବିଳମ୍ବିତ ରାତିରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି। ମୃତକ ହେଲେ, ଭିଙ୍ଗାରପୁର ଅଞ୍ଚଳର ସିଦ୍ଧିନାଥ ସାହୁ। ସେ ଜଣେ ପୋଷ୍ଟମାଷ୍ଟର। ଏହାକୁ ନେଇ କ୍ୟ‌ାପିଟାଲ ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରିବାରଲୋକଙ୍କ ଅଭିଯୋଗ ଅନୁଯାୟୀ, ରବିବାର ରାତିରେ ସିଦ୍ଧିନାଥ ଏକ ବିବାହ ଭୋଜିରୁ ଘରକୁ ଫେରିବା ପରେ ତାଙ୍କର ଭୀଷଣ ବାନ୍ତି ହୋଇଥିଲା। ତେଣୁ ରାତି ପ୍ରାୟ ୨ଟାରେ ସିଦ୍ଧିନାଥଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠା‌ରେ ତାଙ୍କୁ କାଜୁଆଲଟିରେ ଏକ ଇଂଜେକ୍ସନ୍‌ ଦିଆଯିବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ପରିବାର ଲୋକ ହୋହଲ୍ଲା କରିଥିଲେ। ତେବେ ହସ୍ପିଟାଲ ଫାଣ୍ଡି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ତେବେ ସିଦ୍ଧିନାଥଙ୍କ ଏପରି ମୃତ୍ୟୁକୁ ପରିବାର ଲୋକ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏ ସଂପର୍କରେ କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି ଏ ନେଇ କୌଣସି ଅଭିଯୋଗ ହୋଇନାହିଁ। ସୂଚନାଯୋଗ୍ୟ, ସିଦ୍ଧିନାଥ ୫ ବର୍ଷ ହେଲା ଗ୍ରାମୀଣ ପୋଷ୍ଟମାଷ୍ଟର ଭାବେ କାର୍ଯ୍ୟରତ ଥିଲେ। ଏବେ ସେ ଧଉଳି ଥାନା ଅନ୍ତର୍ଗତ ନୂଆଗାଁ (କଲ୍ୟାଣପୁରଶାସନ ) ଡାକଘରେ କାମ କରୁଥିଲେ। ଆଜି ତାଙ୍କ ଶବ ଗାଁରେ ପହଞ୍ଚିବା ପରେ ଅପରାହ୍ନରେ ଶବ ଗ୍ରାମରେ ପହଞ୍ଚିବା ପରେ ଗାଁ ମଶାଣିରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା।

ସମ୍ବନ୍ଧିତ ଖବର