ବଦଳୁନି ବଦଭ୍ୟାସ: ବଢ଼ୁଛି ଦୁର୍ଘଟଣା

ଭୁବନେଶ୍ବର: କମିସନରେଟ ପୁଲିସ ଅଞ୍ଚଳର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ସହର ଭିତରେ ହିଁ ଚଳିତ ମାସ ୪ରୁ ଅଧିକ ମୁଣ୍ଡଗଡ଼ିଲାଣି। ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟା ଆହୁରି ଅଧିକ। ବେପରୁଆ ଗାଡ଼ି ଚାଳନା ଓ ରାସ୍ତାକଡ଼ରେ ବେଆଇନ୍ ପାର୍କିଂ ପାଇଁ ଘଟିଥିବା ଦୁର୍ଘଟଣା ଏହି କ୍ଷୟକ୍ଷତିର କାରଣ।

ଗତ ୭ ତାରିଖ ରାତି ପ୍ରାୟ ୯ଟାରେ ସତ୍‌ସଙ୍ଗ ବିହାର ଛକରେ ଯେଉଁ ଦୁର୍ଘଟଣା ଘଟିଲା, ତା’ ପଛରେ କାରଣ ବସ୍‌ଗୁଡ଼ିକର ବେଆଇନ ପାର୍କିଂ ବୋଲି ଅନେକ ପ୍ରତ୍ୟକ୍ଷଦର୍ଶୀ ଅଭିଯୋଗ କରିଛନ୍ତି। ସେମାନଙ୍କ ଭିତରୁ ଜଣଙ୍କର କହିବା ଅନୁସାରେ, ସେଦିନ ସତ୍‌ସଙ୍ଗ ବିହା‌ରର ସେହି ସ୍ଥାନରେ ୪ରୁ ଅଧିକ ବସ୍‌ ଯାତ୍ରୀ ଉଠାଇବାକୁ ରାସ୍ତା ମାଡ଼ି ବସିଥିଲେ। ଏହାସହ ଗୋଟିଏ ଲେନ୍‌ରେ ଓଭର୍‌ବ୍ରିଜ୍ ଉପରୁ ଆସୁଥିବା ଗାଡ଼ିଗୁଡ଼ିକ ଦ୍ରୁତଗତି‌ରେ ଯାଉଥିବାରୁ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ଜ‌ଣେ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ପିଲା ଓ ଜଣେ ମହିଳା ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଅନେକ ସମୟରେ ବସ୍‌ଗୁଡ଼ିକ ଦୁଇଟି ଲେନ୍‌କୁ ସଂପୂର୍ଣ୍ଣ ଭାବେ ମାଡ଼ି ବସୁଛନ୍ତି। ଅଧିକ ଯାତ୍ରୀ ପାଇବାକୁ ସେମାନଙ୍କ ଭିତରେ ପ୍ରତିଯୋଗିତା ମଧ୍ୟ ହେଉଛି। ସେମାନଙ୍କୁ ବାରଣ କରିବାକୁ କେହି ନାହାନ୍ତି। ଟ୍ରାଫିକ୍ ପୁଲିସ ଘଟଣାସ୍ଥଳରେ ଥିଲେ ମଧ୍ୟ ନିରବ ରହୁଛନ୍ତି। ବସ୍‌ଗୁଡ଼ିକ ଆଗପଛ ହୋଇ ମନଇଚ୍ଛା ଯାତ୍ରୀ ଉଠାଉଛନ୍ତି। ତେଣୁ ଏହି ଛକରେ ପ୍ରାୟ ସବୁବେଳେ ଟ୍ରାଫିକ ଜାମ୍ ରହୁଛି ଓ ଦୁର୍ଘଟଣା ଘଟୁଛି। ଏହି ଅସୁବିଧା‌ କେ‌ବଳ ସତ୍‌ସଙ୍ଗ ବିହାରରେ ନୁହେଁ, ସେହି ରାସ୍ତାର ପ୍ରାୟ ସବୁସ୍ଥାନରେ ଏଭଳି ସମସ୍ୟା ରହିଛି। ପଳାସୁଣି, ନୂଆପଲ୍ଲୀ, ଜୟଦେବବିହାର ସହ ଅନ୍ୟ ସ୍ଥାନମାନଙ୍କରେ ବସ୍‌ଗୁଡ଼ିକ ଏମିତି ରାସ୍ତା ମଝିରେ ଠିଆହୋଇ ଯାତ୍ରୀ ଉଠାଉଛନ୍ତି। ଫଳରେ ‌ପାଖରେ ଥିବା ସର୍ଭିସ ରୋଡ୍‌ ସହ ସେହି ରାସ୍ତାରେ ଗହଳି ବୃଦ୍ଧି ପାଉଛି। ଅଧିକ ଯାତ୍ରୀ ଥିବା ସମୟରେ ‌ସେ ସ୍ଥାନର ଗହଳି ନିହାତି ବିଶୃଙ୍ଖଳ ହୋଇ ନିୟନ୍ତ୍ରଣ ବାହାରକୁ ଚାଲି ଯାଉଛି। ପୁଣି ସହର ଭିତରେ ହୋଇଥିଲେ ହେଁ ରାଜପଥରେ ଗାଡ଼ିଚାଳକମାନେ ମନଇଚ୍ଛା ଗାଡ଼ି ଚଳାଉଛନ୍ତି। ଲେନ୍‌ ଡ୍ରାଇଭିଂ ପାଇଁ ବାରମ୍ବାର କମିସନରେଟ ପୁଲିସ ଓ ପରିବହନ ବିଭାଗ ସଚେତନ କରୁଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ତେଣୁ ଦୁର୍ଘଟଣା ବୃଦ୍ଧି ପାଉଥିବା ସାଧାରଣରେ ଅଭିଯୋଗ ହେଉଛି।

ତେବେ ଏହାକୁ ବିଭାଗ ସ୍ବୀକାର କରୁନାହିଁ। ଏ ବାବଦ‌ରେ ଟ୍ରାଫିକ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ପଚରାଯିବାରୁ ସେ କହିଲେ, ସହର ଭିତରେ ଜାତୀୟ ରାଜପଥରେ ଥିବା ସବୁ ବସ୍‌ଷ୍ଟପ୍‌ରେ ଟ୍ରାଫିକ୍ କର୍ମଚାରୀ ରହୁଛନ୍ତି। ବସ୍‌ ଆସିଲେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଛାଡ଼ିବାକୁ ନି‌ର୍ଦ୍ଦେଶ ଦିଆଯାଉଛି। ଏଥି‌‌ରେ ଖିଲାପ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହାସହ ଜାତୀୟ ରାଜପଥରେ କ୍ୟାମେରା ଲଗାଯାଇ ଯେଉଁମାନେ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଛନ୍ତି, ସେମାନଙ୍କର ଚାଲାଣ କଟାଯାଉଛି।

ସମ୍ବନ୍ଧିତ ଖବର