ସ୍ୱଚ୍ଛ ଜଳଧାରାରେ ଅସ୍ବଚ୍ଛ ପାଣି, ବ୍ୟବହାର କରିବାକୁ ଲୋକେ ଭୟ କରୁଛନ୍ତି

ବାଲିପାଟଣା: ବାଲିପାଟଣା ବ୍ଲକ ତୁରିନ୍ତିରା ପଞ୍ଚାୟତର ବାଗଲପୁର ଗ୍ରାମରେ ଦେଖା ଦେଇଛି ପିଇବା ପାଣି ସମସ୍ୟା। ସରକାରଙ୍କ ତରଫରୁ ଯୋଗା ଯାଇଥିବା ସ୍ୱଚ୍ଛ ଜଳଧାରା ପାନୀୟ ଜଳ ପ୍ରକଳ୍ପରୁ ବାହାରୁଛି ହଳଦିଆ ଲୌହଯୁକ୍ତ ପାଣି। ସ୍ୱଚ୍ଛ ଜଳଧାରା ପ୍ରକଳ୍ପ ହେବା ପରେ ଅଞ୍ଚଳବାସୀ ପିଇବା ପାଇଁ ଭଲ ପାଣି ମିଳିବ ବୋଲି ଆଶା କରିଥିଲେ। ମାତ୍ର ଏବେ ଲୋକ ପାଣି ପିଇବାକୁ ଭୟ କରୁଛନ୍ତି। ଏହି ସମସ୍ୟା ଦୀର୍ଘ ୫ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଲାଗି ରହିଛି। ସମସ୍ୟା ସମ୍ପର୍କରେ ଅନେକଥର ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିଥିବା ଗ୍ରାମବାସୀ କହିଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ପ୍ରକଳ୍ପରୁ ବାହାରୁଥିବା ପାଣି ଗୋରୁ ଗାଧୋଇବା ଏବଂ ଗଛରେ ଦେବା ଛଡ଼ା ଅନ୍ୟ କୌଣସି କାମରେ ଲାଗିପାରୁ ନାହିଁ। ଘରୋଇ ବ୍ୟବହାର ପାଇଁ ପାଣି ସମ୍ପୂର୍ଣ୍ଣ ଅନୁପଯୋଗୀ ହୋଇପଡ଼ିଛି। ଉକ୍ତ ପାଣିରେ ଲୁଗା ଧୋଇଲେ ଅସ୍ତରଣ ବସି ମାସେ ଦୁଇ ମାସରେ ଲୁଗା ନଷ୍ଟ ହୋଇଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପାଣିରେ ମୁହଁ ଧୋଇଲେ ଦାନ୍ତ କଳା ପଡ଼ିଯାଉଛି। ବାଗଲପୁର ମୌଜାର ହଜାର ହଜାର ଜନସାଧାରଣ ଏପରି ସମସ୍ୟା ଦୀର୍ଘ ଦିନ ହେବ ଭୋଗୁଛନ୍ତି।

ତୁରିନ୍ତିରା ସରପଞ୍ଚ ସୁଲୋଚନା ସ୍ୱାଇଁ ଘଟଣା ସମ୍ପର୍କରେ ଆରଡବ୍ଲୁଏସ୍ଏସ ଟୋଲ ଫ୍ରି ନମ୍ବରରେ ଅଭିଯୋଗ କରିବା ସହିତ ବିଭାଗୀୟ ମୁଖ୍ୟ ଯନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିଥିବା କହିଛନ୍ତି। ଏ ସମ୍ପର୍କରେ ସହକାରୀ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇନାହିଁ। ବାଲିପାଟଣା ପାନୀୟ ଜଳ ପ୍ରକଳ୍ପ ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀ ଘଟଣା ସମ୍ପର୍କରେ ତାଙ୍କ ପାଖରେ କୌଣସି ଅଭିଯୋଗ ହୋଇ ନ ଥିବା କହିଛନ୍ତି।

ସମ୍ବନ୍ଧିତ ଖବର