ବାହାର ରାସ୍ତା ଚକାଚକ୍‌, ଭିତର ଅଳିଆ ଆବର୍ଜନା

ଭୁବନେଶ୍ୱର: ବିଏମ୍‌ସି ଵାର୍ଡ ନମ୍ବର ୩୫। ରାଜଧାନୀର ଏକ ପ୍ରମୁଖ ସ୍ଥାନରେ ରହିଛି ଏହି ଵାର୍ଡ। ରାମ ମନ୍ଦିରଠାରୁ ଆରମ୍ଭ କରି ପ୍ରଦର୍ଶନୀ ପଡ଼ିଆ, କେଶରୀ ଟକିଜ୍‌, ଲେବର କମିସନ ଅଫିସ ତଥା କ୍ୟାପିଟାଲ୍‌ ହାଇସ୍କୁଲ୍ ଓ ସେଣ୍ଟ୍ରାଲ ସ୍କୁଲ୍‌ ଆଦି ଏହି ଵାର୍ଡ ଅନ୍ତର୍ଗତ। ଆଞ୍ଚଳିକ ଲୋକଙ୍କ କହିବା ଅନୁଯାୟୀ, ୱାର୍ଡରେ ବହୁ କାମ ଅଧାପନ୍ତରିଆ କାମ ହୋଇଛି। ୱାର୍ଡରେ ବିକାଶମୂଳକ କାର୍ଯ୍ୟ ନାଁକୁ ମାତ୍ର ହୋଇଛି। ଗରିବ ଲୋକଙ୍କୁ ସ୍ବାସ୍ଥ୍ୟ କାର୍ଡର ସୁବିଧା ମିଳୁନଥିବା ସହ ସରକାରଙ୍କ ସ୍ବାସ୍ଥ୍ୟକାର୍ଡ ସଂପର୍କରେ ଲୋକମାନଙ୍କୁ ସୂଚନା ଦିଆଯାଇ ନାହିଁ କି ଅଧିକାଂଶଙ୍କ କାର୍ଡର ନବୀକରଣ ହୋଇନାହିଁ।

କେବଳ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକୁ ଚକାଚକ୍‌ କରାଯାଉଛି। ଗଳି ରାସ୍ତାରେ ଅଳିଆ ଆବର୍ଜନା ପଡ଼ି ରହୁଛି, ଅନେକ ରାସ୍ତା ଖାସ କରି ଲୋହିଆ ଏକାଡେମି ରୋଡ୍‌ ଆଦି ରାତିରେ ଅଧିକାଂଶ ସମୟ ଧରି ଅନ୍ଧାର ରହୁଛି। ଠିକଣା ଢ଼ଙ୍ଗରେ କାମ ହୋଇ ନଥିବାରୁ ଏହା ଲୋକଙ୍କ ହିତରେ ଲାଗୁ ନାହିଁ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ବିରୋଧୀଙ୍କ ଅଭିଯୋଗ ଅନୁଯାୟୀ ସ୍ବେରେଜ୍ କାମ ଏପର୍ଯ୍ୟନ୍ତ ଶେଷ ହୋଇପାରିଲା ନାହିଁ।

ରାସ୍ତା ଓ ଡ୍ରେନ୍‌ ସମସ୍ୟା ସୁଧୁରିଛି

ରାସ୍ତା, ଡ୍ରେନ୍‌ର ପ୍ରାୟ ୯୫ ପ୍ରତିଶତ କାମ ସରିଛି। କର୍ପୋରେଟର୍‌ ଭାବେ ନିର୍ବାଚିତ ହେବାର ଏକ ବର୍ଷ ଭିତରେ ବାୟାବାବା ମଠ ନିକଟରେ ଥିବା ନିକି ହୋମିଓ କ୍ଲିନିକ୍‌ଠାରୁ ସ୍ବେରେଜ୍ କାମ, ଭୁବନେଶ୍ୱରୀ ମନ୍ଦିର ଗଳି, ମେଡ଼ିକାଲ ହସ୍ପିଟାଲ ରାସ୍ତା କାମ ଶେଷ ହୋଇଛି। ବାୟାବାବା ବସ୍ତି ୬ଟି ଡ୍ରେନ୍‌ ନିର୍ମାଣ କରାଯାଇଛି। ୨୫ବର୍ଷ ଧରି ଚାରୁ ଅଶୋକା ଆପାର୍ଟମେଣ୍ଟ ସାମ୍ନା ଡ୍ରେନ ମୁକୁଳା ପଡ଼ିଥିବା ବେଳେ ଏହାକୁ ବନ୍ଦ କରାଯାଇଛି। ଏଥିସହ କେଶରୀ ଟକିଜ୍ ସାମ୍ନାରେ ଏକ ହାଇମାଷ୍ଟ ଲାଇଟ୍‌ ସହ ଭିନ୍ନଭିନ୍ନ ସ୍ଥାନରେ ୩୦ରୁ ଅଧିକ ଷ୍ଟ୍ରିଟ୍‌-ଲାଇଟ୍‌ ଲାଗିଛି। ୩ଟି ପେଭର୍‌ ବ୍ଲକ୍‌ ରୋଡ୍‌ କରାଯିବା ସହ ଲେବର କଲୋନି ରୋଡ୍‌ରେ ନୂଆ ରାସ୍ତା କାମ ହୋଇଛି। ବୁଦ୍ଧ ମନ୍ଦିରର ରୂପରେଖ ବଦଳିଛି।

ପ୍ରିୟା ଲାଇନ୍‌, ହାଉସିଂବୋର୍ଡ ଲାଇନ୍‌ ଓ ମାଳ କଲୋନିରେ ଡ୍ରେନ୍‌ ତିଆରି ହେବ। ଆଗକୁ ଓମ୍‌ଫେଡ ଛକ ପ୍ରଦର୍ଶନୀ ପଡ଼ିଆ କଡ଼ରେ ଵାଟର ଏଟିଏମ୍‌ କରାଯିବ। ଆଲୋକ ସ୍କୁଲ୍‌ ରୋଡ୍‌ରେ ଥିବା ସବ୍‌-ଷ୍ଟେସନ୍‌କୁ ସ୍ଥାନାନ୍ତର କରାଯିବ। ୩ଟି ପାର୍କ ସହ ଏଥିରେ ମୁକ୍ତାକାଶ ବ୍ୟାୟାମ ହେବ, ଵାର୍ଡ ଅଫିସ ଓ କମ୍ୟୁନିଟି ସେଣ୍ଟର ହେବାର ପ୍ରସ୍ତାବ ଦିଆଯାଇଛି।
-ରଞ୍ଜୁଲତା ରାୟ, କର୍ପୋରେଟର

ସମ୍ବନ୍ଧିତ ଖବର