କ୍ୟାପିଟାଲ ହସ୍ପିଟାଲ ପିଜିଆଇ, ଟ୍ରମା କେୟାର ପାଇଁ ମାଷ୍ଟର ପ୍ଲାନ୍

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ହେବାକୁ ଥିବା ପୋଷ୍ଟ ଗ୍ରାଜୁଏଟ୍‌ ଇନଷ୍ଟିଚ୍ୟୁଟ୍‌(ପିଜିଆଇ), ଟ୍ରମା କେୟାର ପାଇଁ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ‌ ହେବ। ଆସନ୍ତା ୧୫/୨୦ ବର୍ଷକୁ ନଜରରେ ରଖି ହସ୍ପିଟାଲର କିଭଳି ନିର୍ମାଣ ହେବ, ତାହା ଉପରେ ମାଷ୍ଟର୍‌ ପ୍ଲାନ୍‌ରେ ପ୍ରାଥମିକତା ଦିଆଯାଇଛି। ଅଧିକ ଭଙ୍ଗାଗଢ଼ା କରିବା ବଦଳରେ କିଭଳି ଏକକାଳୀନ ଏକାଧିକ ବିଲ୍ଡିଂ ନିର୍ମାଣ କରାଯାଇପାରିବ, ତାହା ସରକାର ବିଚାର କରୁଛନ୍ତି। ନିକଟରେ ପିଜିଆଇ ପକ୍ଷରୁ ମୃତ୍ତିକା ପରୀକ୍ଷଣ ଶେଷ ହୋଇଛି। ମାତ୍ର ଆଇଆଇଟି ମାଡ୍ରାସ୍‌ ଦ୍ବାରା ଏହାର ସ୍ବତନ୍ତ୍ର ଡିଜାଇନ୍‌ କରାଇବା ଲାଗି ରାଜ୍ୟ ସରକାର ଚିନ୍ତା କରୁଥିବା ସୂଚନା ମିଳିଛି।

୨୦୨୨/୨୩ ଶିକ୍ଷାବର୍ଷରୁ କ୍ୟାପିଟାଲ ହସ୍ପିଟାଲରେ ପିଜି ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏହାସହ ହସ୍ପିଟାଲ ପରିସରରେ ଦୀର୍ଘଦିନରୁ ଏକ ଟ୍ରମା କେୟାର୍‌ ସେଣ୍ଟର୍‌, ଜନସ୍ବାସ୍ଥ୍ୟ ପରୀକ୍ଷାଗାର ଆଦି ନିର୍ମାଣ ପାଇଁ ଦୀର୍ଘଦିନରୁ ଯୋଜନା ହୋଇଛି। ନିକଟରେ ଏଥିପାଇଁ ଟେଣ୍ଡର୍‌ କରାଯିବା ସହ ଏଲ୍‌ ଆଣ୍ଡ ଟି ଏହାର ନିର୍ମାଣ ଦାୟିତ୍ବ ନେଇଛି। ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିସନ୍‌ ଜରିଆରେ ଏହାର ନିର୍ମାଣ କାର୍ଯ୍ୟ କରାଯାଉଥିବା ବେଳେ ଏଥିପାଇଁ ୨୨୯କୋଟି ଟଙ୍କା ଖର୍ଚ୍ଚ କରାଯିବ। ଆସନ୍ତା ୨ ବର୍ଷ ଭିତରେ ଏହାର ନିର୍ମାଣ କାର୍ଯ୍ୟ ଶେଷ କରିବାର ଲକ୍ଷ୍ୟ ରହିଛି। ସେହିପରି ପିଜିଆଇ ସହ ଟ୍ରମା କେୟାର ଓ ସର୍ଜରି କମ୍ପ୍ଲେକ୍ସ ଟର୍ଣ୍ଣ-କି ଜରିଆରେ ନିର୍ମାଣ କରିବା ଲାଗି ସରକାର ନିଷ୍ପତ୍ତି ନେଇଥିବା ଗତ ୭ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟଯନ୍ତ୍ରୀ(କୋଠା)ଙ୍କୁ ଚିଠି ଲେଖାଯାଇଛି।

ସ୍ବତନ୍ତ୍ର ଡିଜାଇନ୍‌ କରିପାରେ ଆଇଆଇଟି ମାଡ୍ରାସ୍

ପିଜିଆଇ ପାଇଁ ଦୁଇଟି ଲେଖାଏଁ ୫ ମହଲା(ଜି+୫) ବିଲ୍ଡିଂ ନିର୍ମାଣ କରାଯିବ। ଗୋଟିଏ ପ୍ରାଶାସନିକ ଓ ଅନ୍ୟଟି ଏକାଡେମିକ୍ ବ୍ଲକ୍ ରହିବ। ଏହାସହ ସିନିଅର୍‌ ରେସିଡେଣ୍ଟ ଡାକ୍ତରଙ୍କ ପାଇଁ ୩ଟି ସ୍ବତନ୍ତ୍ର ୫ ମହଲା ବିଶିଷ୍ଟ ବିଲ୍ଡିଂ ନିର୍ମାଣ କରାଯିବ। ହସ୍ପିଟାଲ ପରିସରରେ ରାଜ୍ୟସ୍ତରୀୟ ଜନସ୍ବାସ୍ଥ୍ୟ ଲାବରୋଟାରି, ଫୁଡ୍‌ କମ୍ପ୍ଲେକ୍‌ସ ଓ ସବ୍‌ଷ୍ଟୋର୍‌ ଆଦିର ନିର୍ମାଣ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଆଜି ଏ ସଂକ୍ରାନ୍ତରେ ଏକ ଉଚ୍ଚସ୍ତରୀୟ ବୈଠକ ବସିବା ସହ ଏସବୁ ଉପରେ ଆଲୋଚନା ହୋଇଛି।

କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି, ରାଜ୍ୟ ସରକାର ଏକ ଦୀର୍ଘସ୍ଥାୟୀ ବ୍ୟବସ୍ଥା ନେଇ ମାଷ୍ଟର୍‌ ପ୍ଲାନ୍ ପ୍ରସ୍ତୁତ କରୁଛନ୍ତି। ସେ ସଂପର୍କରେ ଆଜି ଆଲୋଚନା ହୋଇଥିଲା। ଆସନ୍ତା ସପ୍ତାହରେ ମାଷ୍ଟର୍‌ ପ୍ଲାନ୍ ସଂପର୍କରେ ବିସ୍ତୃତ ରିପୋର୍ଟ ମିଳି ପାରିବ। ପିଜିଆଇ ଓ ଟ୍ରମା ପାଇଁ ମୃତ୍ତିକା ପରୀଣକ୍ଷ କାର୍ଯ୍ୟ‌ ଶେଷ ହୋଇଥିବା ବେଳେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ଆଇଆଇଟି ମାଡ୍ରାସ୍‌କୁ ପିଜିଆଇ ପାଇଁ ସ୍ବତନ୍ତ୍ର ଡିଜାଇନ୍‌ ଦେବା ସଂପର୍କରେ ଯେଉଁ ଆଲୋଚନା ହେଉଛି, ତାହାର ସୂଚନା ନ ଥିବା ଡା. ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର