କଳିଙ୍ଗ ଷ୍ଟୁଡିଓରେ ସଞ୍ଚାର ହେଉଛି ଜୀବନ: ୨୦୦ କୋଟି ଟଙ୍କା ଖର୍ଚ୍ଚରେ ଚାଲିଛି ନବୀକରଣ

ଖଣ୍ଡଗିରି,୨୨/୬(ଇମିସ): ପ୍ରାୟ ୨୫ ବର୍ଷ ହେଲା ଏକପ୍ରକାର ଅବ୍ୟବହୃତ ହୋଇ ପଡ଼ିଥିବା କଳିଙ୍ଗ ଷ୍ଟୁଡିଓ ଏବେ ନୂଆ ଜୀବନ ପାଉଛି। କେବେ ଲିଭୁ ନଥିବା ଏ ଷ୍ଟୁଡିଓର ଆଲୁଅ ଏକ ଲମ୍ବା ଅମାବାସ୍ୟାର ଅନ୍ଧକାର ପରେ ପୁଣି ଜଳିବାକୁ ଯାଉଛି। ୨୦୦ କୋଟି ଟଙ୍କାରେ ରୂପାନ୍ତରୀକରଣ ହେଉଥିବା କଳିଙ୍ଗ ଷ୍ଟୁଡିଓର ନବକଳେବର ବାହାରୁ ଯେତିକି ଆକର୍ଷଣୀୟ, ଭିତରୁ ଆହୁରି ଚମତ୍କାର ହୋଇଛି। ବଡ଼ ଫିଲ୍ମସିଟି ଶୈଳୀରେ ପ୍ରସ୍ତୁତ ହେଉଥିବା ଏହି ସରକାରୀ ଷ୍ଟୁଡିଓଟି ଉଭୟ ପର୍ଯ୍ୟଟକ ଓ ଚଳଚ୍ଚିତ୍ର ନିର୍ମାତାଙ୍କୁ ଦୃଷ୍ଟିରେ ରଖି ନିର୍ମାଣ କରା ଯାଉଛି। ଏନ୍‌ଟ୍ରାନ୍ସ ପ୍ଲାଜା ଓ ସେଥିରେ ଟିକେଟ୍ କାଉଣ୍ଟର, ଲକର୍, ସିକ୍ୟୁରିଟି ଅଫିସ, ରେସ୍ତୋରାଁ, କାଫେ, ଡିସ୍କୋ ଫ୍ଲୋର୍ ଓ ପ୍ରାଥମିକ ଚିକିତ୍ସାଳୟ ଆଦିର କାମ ଶେଷ ହୋଇଛି। କମ୍ୟୁନିଟି ହଲ୍ ବି ସରିଛି। ସୁଟିଂ ଫ୍ଲୋର୍ କାମ ପାଖାପାଖି ସରିବା ଉପରେ। ବରଫ ଦୁନିଆ, ମେଜ୍ ଅଫ୍ ମିରର୍ସ, ୧୨-ଡି ମୁଭି ମ୍ୟାଜିକ୍, ହଣ୍ଟେଡ୍ ହାଉସ୍ କାମ ଶେଷ ହୋଇଛି। ଆମାଜନ ଜଙ୍ଗଲ, ବିମାନ ବନ୍ଦର, ରେଳ ଷ୍ଟେସନ, ବଜାର ଓ ଆହୁରି କେତେ କ’ଣ ତିଆରି ଚାଲିଛି। ‘ଟେକ୍ ଜୋନ୍’ରେ ତିଆରି ହେବାକୁ ଥିବା ସାଉଣ୍ଡ ରେକର୍ଡିଂ ରୁମ୍, ଡବିଂ ମିକ୍ସିଂ ରୁମ୍, ୩୫୦ ଦର୍ଶକଙ୍କ ପ୍ରେକ୍ଷାଳୟ, ଡିଆଇ ଷ୍ଟୁଡିଓ, ଅଡିଓ ଭିଜୁଆଲ୍ ରୁମ୍, ସାଉଣ୍ଡ କଣ୍ଟ୍ରୋଲ ରୁମ୍, ଆନିମେସନ ୱାର୍କଷ୍ଟେସନ, ମୁଭି ଏଡିଟିଂ ରୁମ୍, ରିହର୍ସାଲ ରୁମ୍, ସାଉଣ୍ଡ ପ୍ରୁଫ୍ ରୁମ୍, ଫଟୋଗ୍ରାଫି ଜୋନ୍, ୱାକ୍ସ ମ୍ୟୁଜିୟମ୍, ୨୫ଟି ପ୍ରପ୍ ଷ୍ଟୋର୍ ଓ ଫିଲ୍ମ ପାଇଁ ଆବଶ୍ୟକ ମିଟିଂ ହଲ୍ କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗାଁର ଦୃଶ୍ୟ, ପୋଖରୀ ଦୃଶ୍ୟ କାମ ସରିଯାଇଥିବାରୁ ଷ୍ଟୁଡିଓର ରୂପ ବଦଳି ଯାଇଛି। କିଛି ମାସ ‌ତଳେ ଯେଉଁଠି ମୋରମର ଶୁଖିଲା ପାହାଡ଼ ଥିଲା, ଆଜି ସେଠି ଏକ ନୂଆ ଦୁନିଆ ଠିଆ ହୋଇଛି। ତେବେ ନିର୍ମାଣ କାମ ପୂରା ହୋଇଗଲେ ଓ ଅସଲ କାମ ଆରମ୍ଭ ହୋଇଗଲେ, ଏହା ଚଳଚ୍ଚିତ୍ର ନିର୍ମାତା, କଳାକାର ଓ ନିର୍ଦ୍ଦେଶକଙ୍କର ଆବଶ୍ୟକତାକୁ କେତେ ପୂରଣ କରି ପାରୁଛି, ଦେଖିବାର କଥା।

ସୂଚନାଯୋଗ୍ୟ ଯେ, ୮୦ ଓ ୯୦ ଦଶକରେ କଳିଙ୍ଗ ଷ୍ଟୁଡ଼ିଓକୁ ନେଇ ଓଡ଼ିଆ ଫିଲ୍ମ ଦୁନିଆ ଅନେକ ସ୍ବପ୍ନ ଦେଖିଥିଲା। ନିର୍ମାତାମାନେ ଆଉ ରାଜ୍ୟ ବାହାରକୁ ଯାଇ ଖର୍ଚ୍ଚାନ୍ତ ହେବେନି ବୋଲି କୁହା ଯାଇଥିଲା। ଭୁବନେଶ୍ବରରେ ହିଁ ଗୋଟିଏ ସ୍ଥାନରେ ସୁଟିଂ ଓ ପୋଷ୍ଟ-ପ୍ରଡକ୍ସନ ସଂକ୍ରାନ୍ତ ଅନେକ ଅତ୍ୟାଧୁନିକ ସୁବିଧା ଦିଆଯିବାର ପ୍ରତିଶ୍ରୁତି ଥିଲା। ତାହା ଅନେକାଂଶରେ ପୂରଣ ମଧ୍ୟ ହୋଇଥିଲା। ଓଡ଼ିଆ ଫିଲ୍ମ ନିର୍ମାତାଙ୍କ ସମେତ ଏକଦା କଲିକତା, ମାଡ୍ରାସ ସହିତ ଦକ୍ଷିଣ ଭାରତ ଓ ଉତ୍ତରପୂର୍ବ ରାଜ୍ୟର ଅନେକ ଫିଲ୍ମ ନିର୍ମାତା ତାଙ୍କ କାମ ପାଇଁ ଏଠାକୁ ଆସୁଥିଲେ। ଦିନରାତି କାମ ଚାଲୁଥିବାରୁ କୁହା ଯାଉଥିଲା, କଳିଙ୍ଗ ଷ୍ଟୁଡିଓରେ କେବେ ଆଲୁଅ ଲିଭେନି। କିନ୍ତୁ ୧୯୯୯ ମହାବାତ୍ୟାରେ ଷ୍ଟୁଡିଓ ଭାଙ୍ଗିରୁଜି ଗଲା। ତା’କୁ ଆଉ ସଜଡ଼ା ଗଲାନି। ପୁଣି ଆଧୁନିକ ନୂଆ ଟେକ୍ନୋଲୋଜି ସହିତ ଏଠାକାର ବ୍ୟବସ୍ଥାର ବିକାଶ କରାଗଲାନି। ଫଳରେ ଷ୍ଟୁଡିଓ ଅନେକାଂଶରେ ଅଲୋଡ଼ା ହୋଇଗଲା।

ତେବେ ଏହାର ନବୀକରଣ ପାଇଁ ୨୦୨୨ ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏହା ୧୦ ହଜାର ଲୋକଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରିବ ବୋଲି ଆକଳନ ହୋଇଥିଲା। ତେବେ ଏହା ପ୍ରସ୍ତୁତ ହେବ‌‌ାପରେ ପୋଷ୍ଟ ପ୍ରଡକ୍ସନରେ ଆବଶ୍ୟକ ଅତ୍ୟାଧୁନିକ ଯନ୍ତ୍ରପାତିର ଅଭାବଠାରୁ ଆରମ୍ଭକରି ଆକାର ଛୋଟ ହୋଇଥିବାରୁ ସୁଟିଂ ସମସ୍ୟ‌‌ା, ଗୋଟିଏ ସେଟ୍‌କୁ ଏକାଧିକ ଚଳଚ୍ଚିତ୍ରରେ ବ୍ୟବହାର ହେବାର ଆଶଙ୍କା, ସ୍ଥାନ ଅତି ସୀମିତ ହୋଇଥିଲେ ବି ରାମୋଜୀ ଫିଲ୍ମସିଟି ଭଳି ଏହାକୁ ପର୍ଯ୍ୟଟନ ଦୃଷ୍ଟିକୋଣରୁ ବିକଶିତ କରା ଯାଉଥିବାରୁ ଫିଲ୍ମ ସୁଟିଂରେ ବାଧା ସୃଷ୍ଟିହେବା ଭଳି ଅନେକ ଦିଗକୁ ନେଇ ଏବେ ଆଶଙ୍କା କରାଯାଉଛି। ଏସବୁକୁ କର୍ତ୍ତୃପକ୍ଷ କିଭଳି ସାମ୍‌ନା କରିବେ, ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର