ମୁଣ୍ଡ ନେବାକୁ ଆଁ କରିଛି ଡ୍ରେନ୍‌

ଘର ପାଖରେ ସାଙ୍ଗଙ୍କ ସହିତ ଖେଳୁ ଖେଳୁ ଶିଶୁଟିଏ ନଳାପାଣିରେ ଭାସିଗଲା! ସେମିତି ବାପାଙ୍କ ସହିତ ଟ୍ୟୁସନ୍‌ରୁ ଫେରୁଥିବା ସ୍କୁଲପିଲାଟିଏ ବି ନଳାପାଣିର ଶିକାର ପାଲଟିଥିଲା! – ଏସବୁ ଚିତ୍ର ଆଧୁନିକ ସମୟରେ କୌଣସି ରାଜ୍ୟର ରାଜଧାନୀକୁ ଶୋଭା ପାଏନାହିଁ। ଏମିତି ଘଟୁଥିବବୋଲି ବିଶ୍ବାସ ବି କରି ହୁଏନାହିଁ। କିନ୍ତୁ ବର୍ଷ ପରେ ବର୍ଷ ରାଜଧାନୀ ଭୁବନେଶ୍ବରର ନଳାମୁହଁରେ ଏମିତି ଲୋକଙ୍କ ଜୀବନ ଯାଉଛି। ସମସ୍ୟାର ସମାଧାନ ହେବା ବଦଳରେ ବଢୁଥିବା ଜନସଂଖ୍ୟା ଓ କୋଠାମାଳ କାରଣରୁ ବର୍ଷ ପରେ ବର୍ଷ ଏ ସମସ୍ୟା ଆହୁରି ଗୁରୁତର ରୂପ ଧାରଣ କରି ଚାଲିଛି। ଏସବୁ ଆଗରେ ହକି ବିଶ୍ବକପ୍‌ର ଆୟୋଜନ, ସ୍କାର୍ଟସିଟିର ମୁକୁଟ ବା ଶୀତତାପ ନିୟନ୍ତ୍ରିତ ସିଟିବସ୍‌ ଆଦିରୁ ମିଳିଥିବା ସୁନାମ କେବଳ ମଳିନ ପଡୁନି, ଲିଭି ଯାଉଛି।

ଭୁବନେଶ୍ବର: ଆସୁଛି ବଡ଼ ବର୍ଷା। ସତର୍କ କରାଇଲାଣି ପାଣିପାଗ କେନ୍ଦ୍ର। ଭୁବନେଶ୍ବରରେ ପ୍ରବଳ ବର୍ଷିବ। ବିଗତ ଦିନରେ ପ୍ରବଳ ବର୍ଷା ଯୋଗୁ ସୃଷ୍ଟି ସହରୀ ବନ୍ୟା କଲବଲ କରିଥିବାରୁ ଏହାକୁ ଅଙ୍ଗେନିଭାଇଥିବା ରାଜଧାନୀବାସୀ ଆତଙ୍କିତ ହେଲେଣି। ଘର ଭିତରୁ ରାତିସାରା ପାଣି ଉଝାଳିବା ଅଭିଜ୍ଞତା ରଖିଥିବା ପରିବାର ହେଉ କିମ୍ବା ମୁକୁଳା ନଳାରେ ନିଜ ପରିଜନକୁ ହରାଇଥିବା ପରିବାର ବା ପଡ଼ୋଶୀ ଯେତିକି ଭୟଭୀତ, ରାସ୍ତାକଡ଼ରେ ପାର୍କ କରିଥିବା ଗାଡ଼ି ଖଣ୍ଡେ ଦୂରରୁ ଭାସମାନ ଅବସ୍ଥାରେ ଉଦ୍ଧାର ହୋଇଥିବା ଗାଡ଼ିର ମାଲିକ ବି ତା’ ଠାରୁ କମ୍‌ ଭୟଭୀତ ନୁହନ୍ତି। ବର୍ଷ ବର୍ଷ ଧରି ମାନସମନ୍ଥନ ସହ ବୈଷୟିକ ଜ୍ଞାନ କୌଶଳ ବ୍ୟବହାରର ଚର୍ଚ୍ଚା ହେଲେ ମଧ୍ୟ ଏହି ଜଳବନ୍ଦୀରୁ ମୁକ୍ତି ନ ମିଳିବା ସମସ୍ତଙ୍କୁ ଜଣା। ଲୋକଙ୍କ ନିକଟତର ହେବାକୁ ରାଜନେତା ଯେ ଏହାକୁ ପ୍ରସଙ୍ଗ କରନ୍ତି ତାହା ମଧ୍ୟ ଆଉ ସେମାନଙ୍କୁ ଅଛପା ନାହିଁ। ଏଣେ ଏ ଯାବତ୍‌ ଶତ ପ୍ରତିଶତ ନଳା ସଫା ହୋଇ ନାହିଁ। ଏଣୁ ନଳା ସଫା ରହିଲେ ଜଳବନ୍ଦୀ ସମସ୍ୟାରୁ ଯେଉଁ କିଛି ପରିମାଣରେ ମୁକ୍ତି ମିଳିବା କଥା ତାହାର ମଧ୍ୟ ସମ୍ଭାବନା ନାହିଁ। ଏଣୁ ଏହି ବଡ଼ ବର୍ଷାର ଆଗମନୀ ଖବର ଏବେ ଏକ ପ୍ରକାର ଆତଙ୍କ ଖେଳାଇଛି।

ବିଏମସିର ୧୩୮୦ କିମିର ଆଭ୍ୟନ୍ତରୀଣ ଡ୍ରେନ ରହିଥିଲା। ୭୭ କିମି ଲମ୍ବାର ୧୧ଟି ମୁଖ୍ୟ ନାଳ ରହିଥିଲା। ପୂର୍ତ୍ତ ବିଭାଗର ୩୬୦ କିମି ଲମ୍ବାର ଡ୍ରେନ୍‌ ସହର ଭିତରେ ରହିଥିଲା। ପୂର୍ତ୍ତ ବିଭାଗ ନଳାକୁ ଉଚିତ ଢଙ୍ଗରେ ସଫା କରୁନଥିବାରୁ ଜଳବନ୍ଦୀ ସମସ୍ୟା ହେଉଥିବା ନେଇ ବାରମ୍ବାର ପ୍ରଶ୍ନ ଉଠିବା ପରେ ଚଳିତ ବର୍ଷ ପୂର୍ତ୍ତ ବିଭାଗ ଏହି ୩୬୦ କିମି ନଳା ବିଏମ୍‌ସିକୁ ହସ୍ତାନ୍ତର କରିଛି। ଫଳରେ ଏବେ ବିଏମ୍‌ସି ହାତରେ ୧୮୦୦ କିମିରୁ ଅଧିକ ଲମ୍ବାର ଡ୍ରେନ୍‌ ରହିଛି। ଏହା ଶତପ୍ରତିଶତ ସଫା ହେଲେ ସହର ଜଳବନ୍ଦୀରୁ ଅନେକାଂଶରେ ମୁକ୍ତ ହେବ। କିନ୍ତୁ ନିୟମିତ ଜଳବନ୍ଦୀ ସୃଷ୍ଟି ହେଉଥିବା ୧୨ ସମ୍ବେଦନଶୀଳ ସ୍ଥାନ ଚିହ୍ନଟ ହୋଇଛି ଯେଉଁଠାରେ ଜଳନିଷ୍କାସନ ବ୍ୟବସ୍ଥା ନାହିଁ। ୧୨ ସମ୍ବେଦନଶଳୀ ଅଞ୍ଚଳରୁ ୪ଟି ଜାଗା ବିଏମ୍‌ସି ଅଧୀନରେ ଥିବା ବେଳେ ବାକି ୮ଟି ଜାଗା ପୂର୍ତ୍ତ, ଏନ୍‌ଏଚ୍‌ଏଆଇ ଓ ଇଡ୍‌କୋ ଅଧୀନରେ ରହିଛି।

୧୨ଟି ସମ୍ବେଦନଶୀଳ ଅଞ୍ଚଳ ମଧ୍ୟରୁ ଏନ୍‌ଏଚ୍‌ଏଆଇ ଅଧୀନରେ ଥିବା ଇସ୍କନ ସାମ୍ନା ରାସ୍ତା ପ୍ରମୁଖ ରହିଛି। ଇସ୍କନ ମନ୍ଦିରରୁ ବାଣୀବିହାର ପର୍ଯ୍ୟନ୍ତ ୩ କିଲୋମିଟର ଡ୍ରେନ୍‌ ନିର୍ମାଣ କରି ପ୍ରାକୃତିକ ନାଳ ସହ ସଂଯୋଗ କଲେ ଏହି ଜଳବନ୍ଦୀରୁ ମୁକ୍ତି ମିଳିପାରିବ ବୋଲି ଯୋଜନା ହୋଇଛି। ହେଲେ ସମ୍ଭବ ହେଉ ନାହିଁ। ବମିଖାଲରେ ଜଳବନ୍ଦୀ ସମସ୍ୟା ସମାଧାନ ପାଇଁ ପ୍ରାକୃତିକ ନାଳ-୧୦ ପର୍ଯ୍ୟନ୍ତ ୫୫୦ ମିଟର ଲମ୍ବାର ଏକ ସଂଯୋଗୀକରଣ ଡ୍ରେନ୍‌ର ଆବଶ୍ୟକତା ରହିଛି। ଶତାବ୍ଦି ନଗରରେ ଜଣେ ନାବାଳକ ଛାତ୍ର ଭାସିଯିବା ପରେ ଏଠାକାର ଜଳବନ୍ଦୀ ସମସ୍ୟା ସମାଧାନ ପାଇଁ ପ୍ରସ୍ତୁତ ହୋଇଥିବା ରୋଡ୍‌ ମ୍ୟାପ୍‌ରେ ସିଟି ମହିଳା ମହାବିଦ୍ୟାଳୟରୁ ଜାଗମରା ପର୍ଯ୍ୟନ୍ତ ରାସ୍ତା ସହ କଲଭର୍ଟର ପ୍ରଶସ୍ତୀକରଣ ଆବଶ୍ୟକତା ରହିଛି। ଏହା ପୂର୍ତ୍ତ ବିଭାଗ ଅଧୀନରେ ଅଛି। ବର୍ଷାରେ ଲକ୍ଷ୍ମୀସାଗର ଅଞ୍ଚଳ ଭାସୁଥିବାରୁ ୩ଟି ଅତିରିକ୍ତ କଲଭର୍ଟର ଆବଶ୍ୟକତା ରହିଛି। ଏହା ବିଏମ୍‌ସି ଅଧୀନରେ ରହିଛି। ଅସରାଏ ବର୍ଷା ହେଲେ ଭାସୁଥିବା ରାଜୀବନଗର, ଡୁମୁଡୁମା, ଆଇଗିଣିଆ ଅଞ୍ଚଳ ଜଳବନ୍ଦୀ ସମାଧାନ ପାଇଁ ବିଏମ୍‌ସି ପ୍ରାକୃତିକ ନଳାର ପୁନରୁଦ୍ଧାର କାମ ଜାରି ରଖିଛି। ଏହା ବ୍ୟତୀତ ନ୍ୟୁ ଫରେଷ୍ଟ ପାର୍କ, କଳିଙ୍ଗ ଷ୍ଟୁଡିଓ ଛକ, ସୁବାସନଗର ବସ୍ତି, ରୁଦ୍ରପୁର, ଭୀମପୁର ସ୍ବିଟି କମ୍ପ୍ଲେକ୍ସ ନିକଟ, ପାଇକନଗର, ବନଫୁଲ ବସ୍ତି ପ୍ରଭୃତି ଅଞ୍ଚଳ ସମ୍ବେଦନଶୀଳ ରହିଛି। ସମାଧାନ ପାଇଁ କେବଳ ନକ୍ସା ପ୍ରସ୍ତୁତ ହେବା ସହ ଯୋଜନା ହୋଇଛି। ସମୀକ୍ଷା ବେଳେ କେବଳ ପାୱାର ପଏଣ୍ଟରେ ଉପସ୍ଥାପନ କରାଯାଉଛି। ବାସ୍ତବରେ ଅନେକ ଜାଗାରେ ଜବରଦଖଲ ରହିଛି। କେତେକ ଜାଗାରେ ମାମଲା କୋର୍ଟରେ ଗଡ଼ୁଛି। ଏଣୁ ଯୋଜନା ସବୁ କାର୍ଯ୍ୟକ୍ଷମ ହୋଇ ପାରୁ ନାହିଁ। ଏଣେ ସହରରୁ ଜଳ ନିଷ୍କାସନ ପାଇଁ ମୁଖ୍ୟ ଭୁମିକା ନିଭାଉଥିବା ପୂର୍ତ୍ତ ବିଭାଗର ୩୬୦ କିମି ନଳାରୁ ମାତ୍ର ୫୨ କିମି ସଫା ହୋଇଛି। ବିଏମ୍‌ସିର ୭୭ କିମି ମୁଖ୍ୟନଳାରୁ ମାତ୍ର ୩୦ କିମି ସଫା ହୋଇଛି। ଏଣୁ ଜଳବନ୍ଦୀରୁ ମୁକ୍ତି କେମିତି ମିଳିବ ପ୍ରଶ୍ନ ଉଠିଛି।

ମୁକୁଳା ନଳା ବନ୍ଦ ତୁରନ୍ତ କର: ଶିଶୁ ଅଧିକାର ସୁରକ୍ଷା ଆୟୋଗ

ଭୁବନେଶ୍ବର: ୟୁନିଟ୍‌-୩ ଅଞ୍ଚଳରେ ୫ ନଂ ନଳାରେ ଭାସି ଯାଇ ଏସ୍‌କେ ରାଜେଶ୍‌ଙ୍କ ମୃତ୍ୟୁ ଘଟଣାକୁ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଗୁରୁତ୍ବର ସହ ନେଇଛନ୍ତି। ମୁକୁଳା ନଳା ସବୁକୁ ତୁରନ୍ତ ବନ୍ଦ କରିବା ପାଇଁ କମିସନ ମନ୍ଦାକିନୀ କର ବିଏମ୍‌ସି କମିସନରଙ୍କୁ ଚିଠି ଲେଖିଛନ୍ତି। ତା ସହିତ କି ପ୍ରକାର ପଦକ୍ଷେପ ନେଲ ଆୟୋଗଙ୍କୁ ଜଣ‌ାଇବାକୁ ଲେଖିଛନ୍ତି। ସେ ଲେଖିଛନ୍ତି, ମୁକୁଳା ନଳା ସ୍ବାସ୍ଥ୍ୟ ଓ ଜୀବନ ପ୍ରତି ବିପଦ। ଏଣୁ ମୁକୁଳା ନଳା ଓ ମ୍ୟାନ୍‌ହୋଲ୍‌କୁ ତୁରନ୍ତ ବନ୍ଦ କରିବାକୁ ବ୍ୟବସ୍ଥା କର। ଯେଉଁଠି ସ୍ଲାବ୍‌ ଜରିଆରେ ବନ୍ଦ କରିବା ପାଇଁ କଟକଣା ରହିଛି ସେଠାରେ ବ୍ୟାରିକେଡ୍‌ କର। ଆବଶ୍ୟକ ପଡ଼ିଲେ ସମ୍ବେଦନଶୀଳ ଜାଗାମାନଙ୍କରେ ସତର୍କ ସୂଚନା ଭିତ୍ତିକ ଫଳକ ଲଗାଅ। ଏହା ସହିତ ସଫେଇକୁ ପ୍ରାଥମିକତା ଦିଆଯାଉ। ଡେଙ୍ଗୁ, ଝାଡ଼ାବାନ୍ତି ଓ ମ୍ୟାଲେରିଆ କିଭଳି ବ୍ୟାପିବ ନାହିଁ ସେ ନେଇ ତ୍ବରିତ ପଦକ୍ଷେପ ନେବା ସହ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହା ଫଳରେ ମୂଲ୍ୟବାନ ଜୀବନ ଯିବ ନାହିଁ ବୋଲି ସେ ଆଶା କରିଛନ୍ତି।

୯ ବର୍ଷରେ ୬ ମୁଣ୍ଡ

 

୨୦୨୧ ମସିହା ସେପ୍ଟେମ୍ବର ୧୯ ତାରିଖରେ ବରମୁଣ୍ଡା ଶତାବ୍ଦୀନଗର ଡ୍ରେନ୍‌ରେ ଭାସି ଯାଇ ୧୫ ବର୍ଷର ଛାତ୍ର ଜ୍ୟୋତିପ୍ରକାଶ ଓରଫ୍‌ ରାଜାଙ୍କର ମୃତ୍ୟୁ ହୋଇଥିଲା। ମୁକୁଳା ନଳାରେ ଭାସିବାର ୧୯ ଘଣ୍ଟା ପରେ ମୃତଦେହ ମିଳିଥିଲା। ଏହା ପରେ ତନାଘନା ହୋଇଥିଲା। ଦୁଇଟି ପର୍ଯ୍ୟାୟରେ ରାଜଧାନୀର ୧୦ଟି ପ୍ରମୁଖ ଡ୍ରେନ୍, ୨ଟି ଶାଖା ଡ୍ରେନ୍, ମୁଖ୍ୟ ଡ୍ରେନ୍‌କୁ ସଂଯୋଗ ହୋଇପାରୁନଥିବା ଡ୍ରେନ୍‌କୁ ସଂଯୋଗ କରିବା ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ଅଞ୍ଚଳ ପାଇଁ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୧୪ ଏକର ଜମି ଅଧିଗ୍ରହଣ କରି ନଳା ସମ୍ପ୍ରସାରଣ ହେବାକୁ ଯୋଜନା ହୋଇଥିଲା। ହେଲେ ଅଘଟଣ କଥା କ୍ରମଶଃ ଭୁଲିଯିବା ପରେ ଏହି ଯୋଜନା ମଧ୍ୟ ପଛେଇଗଲା। ଫଳରେ ପୁଣି ମୁକୁଳା ଡ୍ରେନ୍‌ ଜୀବନ ନେଲା। ଆଉ କେତେ ହେଲେ ବିଏମ୍‌ସି ଚେତିବ?
୨୦୧୫ ମସିହାରେ ନୂଆପଲ୍ଲୀ ମମତାଜ୍ ଅଲ୍ଲୀ ହାଇସ୍କୁଲ୍‌ ନିକଟରେ ନାବାଳକ ପୁପୁନ୍ ବିଶ୍ବାଳଙ୍କର ମୃତ୍ୟୁ ଘଟିଥିଲା। ୨୦୧୮ରେ ପିଚୁପଡ଼ିଆ ବସ୍ତିର ହରି ପଟ୍ଟନାୟକ ଡ୍ରେନରେ ପଡ଼ି ମୃତ୍ୟୁବରଣ କରିଥିଲେ। ୨୦୨୦ରେ ନୂଆପଲ୍ଲୀ ଏକାମ୍ରଭିଲ୍ଲା ନଳାରେ ଜଣେ ବୃଦ୍ଧା ଭାସିଯାଇ ପ୍ରାଣ ହରାଇଥିଲେ। ୨୦୨୨ରେ ପତିତପାବନ ନଗରରେ ନଳାରେ ଭାସି ୪ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ୨୦୧୭ରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ୨ଜଣ ଓ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଜଣେ ବୃଦ୍ଧା ଡ୍ରେନରେ ଭାସି ଆହତ ହୋଇଥିଲେ। ବିଶ୍ବକପ ହକି ପାଇଁ ଦକ୍ଷିଣ କୋରିଆର ଜଣେ ଫଟୋ ସାମ୍ବାଦିକ ଡୁମୁଡୁମା ନିକଟରେ ମୁକୁଳା‌ ଡ୍ରେନରେ ପଡ଼ି ଲହୁଲୁହାଣ ହୋଇଥିଲେ। ନଳା ମରାମତି ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ନଳା ପ୍ରାଣଘାତକ ହୋଇଛି।

ସମ୍ବନ୍ଧିତ ଖବର