ମାତାଲ ଏଏସ୍‌ଆଇଙ୍କ ଉନ୍ମତ୍ତ କାଣ୍ଡ

ଭୁବନେଶ୍ବର: ମଞ୍ଚେଶ୍ୱର ଥାନା ଏଏସ୍‌୍ଆଇ ଲକ୍ଷ୍ମଣ ମଲ୍ଲିକ ନିଶାସକ୍ତ ଅବସ୍ଥାରେ ଖାରବେଳ ଥାନାରେ ଉତ୍ପାତ କରିଛନ୍ତି। ପାରିବାରିକ କଳହକୁ କେନ୍ଦ୍ର କରି ଶ୍ରୀ ମଲ୍ଲିକ ନିଶାସକ୍ତ ଅବସ୍ଥାରେ ଖାରବେଳ ଥାନାରେ ପଶି କାର୍ଯ୍ୟରତ ଥିବା ତାଙ୍କ ପତ୍ନୀଙ୍କୁ ଗାଳିଗୁଲଜ କରିଥିଲେ। ଗତ ବୁଧବାର ସଂଧ୍ୟାରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ପଦାକୁ ଆସିଛି। ଏ ସଂପର୍କରେ ଜଣାପଡ଼ିବା ପରେ ଶ୍ରୀ ମଲ୍ଲିକଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ଅନୁପ ସାହୁ କହିଛନ୍ତି। ସୂଚନା ଅନୁଯାୟୀ, ଏଏସ୍‌ଆଇ ଶ୍ରୀ ମଲ୍ଲିକଙ୍କ ପତ୍ନୀ ଖାରବେଳନଗର ଥାନାରେ କାର୍ଯ୍ୟ କରନ୍ତି। କୌଣସି କଥାକୁ କେନ୍ଦ୍ର କରି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାକୁ କେନ୍ଦ୍ର କରି ଗତ ବୁଧବାର ଶ୍ରୀ ମଲ୍ଲିକ ପ୍ରଚୁର ମଦ ପିଇ ଖାରବେଳ ନଗର ଥାନା ଭିତରେ ପଶି ତାଙ୍କ ପତ୍ନୀଙ୍କୁ ଗାଳିଗୁଲଜ କରିଥିଲେ। ତାଙ୍କର ଏପରି ହାବଭାବ ଦେଖି ସେଠାରେ ଉପସ୍ଥିତ ଅନ୍ୟ ପୁଲିସ କର୍ମଚାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏପରିକି ମଦ ନିଶାରେ ସେ ଆଇଆଇସିଙ୍କଠାରୁ ଆରମ୍ଭ କରି ଏସିପି, ଡିସିପି, ସିପିଙ୍କ ଉଦ୍ଦେଶ୍ୟରେ ଗାଳିଗୁଲଜ କରିଥିଲେ। ତାଙ୍କୁ ଆୟତ୍ତ କରିବା ପାଇଁ ପୁଲିସ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡ଼ିଥିଲା। ଉପସ୍ଥିତ କର୍ମଚାରୀମାନେ ତାଙ୍କୁ ଥାନାରେ ଅଟକ ରଖିବାରୁ ସେ ସେମାନଙ୍କୁ ଆଇନ ପାଠ ପଢ଼ାଇଥିଲେ। ଥାନାରେ ଜଣଙ୍କୁ ଅଟକ ରଖିଲେ କ’ଣ କରିବାକୁ ପଡେ? କିଏ କାର୍ଯ୍ୟାନୁଷ୍ଠାନ ନେବ ଏମିତି ଗପି ଚାଲିଥିଲେ। ଏ ସମସ୍ତ ଦୃଶ୍ୟ ଥାନା ଭିତରେ ଲାଗିଥିବା ସିସିଟିଭିରେ କଏଦ୍‌ ହୋଇଥିଲା, ଯାହା ଏବେ ପଦାକୁ ଆସିଛି।

ସମ୍ବନ୍ଧିତ ଖବର