ଇଣ୍ଡିଆ ମେଣ୍ଟ କ୍ଷମତାକୁ ଆସିଲେ ୧୦ ରୁ ୧୫ଟି ରାଜ୍ୟରେ ବିଜେପି ସରକାର ଭାଙ୍ଗିଯିବ: ପୱନ ଖେଡା

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ପୱନ ଖେଡା ଗୁରୁବାର ଦିନ ଦାବି କରିଛନ୍ତି ଯେ ଲୋକସଭା ନିର୍ବାଚନ ପରେ କେନ୍ଦ୍ରରେ ଇଣ୍ଡିଆ ମେଣ୍ଟ କ୍ଷମତାକୁ ଆସିବା ପରେ ୧୦ ରୁ ୧୫ଟି ରାଜ୍ୟରେ ବିଜେପି ନେତୃତ୍ୱାଧୀନ ସରକାର ଭାଙ୍ଗିଯିବ। ସେ କହିଛନ୍ତି ଯେ ଇଣ୍ଡିଆ ମେଣ୍ଟ ସମ୍ବିଧାନର ଦଶମ ସୂଚୀରେ ସଂଶୋଧନ କରିବ ଏବଂ ଦଲବଦଳକୁ ଅଯୋଗ୍ୟ କରିବ। କଂଗ୍ରେସ ନେତା କହିଛନ୍ତି ଯେ ଏହି ପରିବର୍ତ୍ତନ ପରେ ଯଦି କେହି ଦଳ ବଦଳାଇ ଅନ୍ୟ ଦଳକୁ ଯିବେ ସେ ଅଯୋଗ୍ୟ ଘୋଷିତ ହେବେ | ସେ ଦାବି କରିଛନ୍ତି ଯେ ଜୁନ୍ ୪ ରେ ଫଳାଫଳ ଘୋଷଣା ହେବା ପରେ ଏହି ସରକାର ଜୁଲାଇ ସୁଦ୍ଧା ଭାଙ୍ଗିଯିବେ। ସେ କହିଛନ୍ତି, ବିଜେପି ଦଳବଦଳ କରି ସମଗ୍ର ଦେଶରେ ଗଣତନ୍ତ୍ରକୁ ପରିହାସ କରିଛି।

ଯେତେବେଳେ (ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ) ଅମିତ ଶାହା ଏକ ନିର୍ବାଚନ ସମାବେଶକୁ ସମ୍ବୋଧିତ କରିବା ପାଇଁ ଗୋଆରେ ପହଂଚିବେ, ସେତେବେଳେ ଗଣମାଧ୍ୟମ ତାଙ୍କୁ ସମ୍ବିଧାନର ଦଶମ ସୂଚୀରେ ପ୍ରଶ୍ନ ପଚାରିବା ଉଚିତ। ମହିଳାଙ୍କ ଉପରେ ଯୌନ ଶୋଷଣ ଅଭିଯୋଗର ସମ୍ମୁଖୀନ ହେଉଥିବା କର୍ଣ୍ଣାଟକ ବିଜେପି ସାଂସଦ ପ୍ରଜୱଲ ରେଭାନ୍ନାଙ୍କ ମାମଲାକୁ ଉଲ୍ଲେଖ କରି ଖେଡା ଏହାକୁ “ଯୌନ ଶୋଷଣର ଦୁନିଆର ସବୁଠାରୁ ବଡ ମାମଲା” ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ସମେତ ସମସ୍ତେ ଏହି ଘଟଣାକୁ ନିନ୍ଦା କରିବା ଉଚିତ୍। ଖେଡା କହିଛନ୍ତି, ପ୍ରଜୱଲଙ୍କ ପାସପୋର୍ଟକୁ ବାତିଲ କରି ତାଙ୍କୁ ଭାରତକୁ ଫେରାଇ ଆଣିବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ । ଏପ୍ରିଲ ୨୬ରେ ମତଦାନ ହୋଇଥିବା କର୍ଣ୍ଣାଟକର ହାସନ ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରଜୱଲ ବିଜେପି ପ୍ରାର୍ଥୀ ହୋଇଛନ୍ତି ।

ସମ୍ବନ୍ଧିତ ଖବର