୫ରୁ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ପ୍ରଦାନ ଉତ୍ସବ

ଭୁବନେଶ୍ୱର: ୨୮ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ପ୍ରଦାନ ସମାରୋହ-୨୦୨୨ ଆସନ୍ତା ୫ରୁ ୯ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନବ୍ୟାପୀ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ହୋଟେଲ ରୟାଲ ମିଡ୍‌-ଟାଉନ୍‌ଠାରେ ‘ସୃଜନ’ ପକ୍ଷରୁ ଅନୁଷ୍ଠିତ ଏକ ସମ୍ବାଦିକ ସମ୍ମିଳନୀ‌ରେ ଅନୁଷ୍ଠାନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର ଆଜି ଏହି ସୂଚନା‌ ଦେଇଛନ୍ତି। ଏଥର ଜୀବନବ୍ୟାପୀ ସାଧନା ପାଇଁ ଓଡ଼ିଶୀ ନୃତ୍ୟରେ ଗୁରୁ ନିରଞ୍ଜନ ରାଉତ ଏବଂ ଓଡ଼ିଶୀ ସଙ୍ଗୀତରେ ଗୁରୁ ରାମହରି ଦାସଙ୍କୁ ‘ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ଆୱାର୍ଡ-୨୦୨୨’ ପ୍ରଦାନ କରାଯିବ।

ପୁରସ୍କାରସ୍ୱରୂପ ଉଭୟଙ୍କୁ ୧ ଲକ୍ଷ ଟଙ୍କା, ଉତ୍ତରୀୟ, ସ୍ମୃତିଫଳକ ପ୍ରଦାନ କରାଯିବ। ସେହିପରି ‘ଗୁରୁ କେଳୁଚରଣ ଯୁବ ପ୍ରତିଭା ସମ୍ମାନ’ରେ ଓଡ଼ିଶୀ ନୃତ୍ୟଶିଳ୍ପୀ ଗୀତାଞ୍ଜଳି ଆଚାର୍ଯ୍ୟ ଏବଂ ଓଡ଼ିଶୀ ସଙ୍ଗୀତରେ ମାତୃପ୍ରସାଦ ଦାସଙ୍କୁ ସମ୍ମାନିତ କରାଯିବ। ଦୁହିଁଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ସହ ଉତ୍ତରୀୟ ଓ ସ୍ମୃତିଫଳକ ପ୍ରଦାନ କରାଯିବ।

ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ବିଶେଷ ସହାୟତାରେ ହେବାକୁ ଥିବା ଏହି ଉତ୍ସବକୁ କଥକ ଗୁରୁ ପଣ୍ଡିତ ବିରଜୁ ମହାରାଜଜୀଙ୍କ ସ୍ମୃତିରେ ଉତ୍ସର୍ଗ କରାଯାଇଛି। ପ୍ରତି ସନ୍ଧ୍ୟା ସାଢ଼େ ୭ଟାରେ ପ୍ରେକ୍ଷାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରଥମ ସନ୍ଧ୍ୟାରେ ହିନ୍ଦୁସ୍ଥାନୀ ଯୁଗଳବନ୍ଦୀ, ଦ୍ୱିତୀୟ ସନ୍ଧ୍ୟାରେ ଓଡ଼ିଶୀ କଣ୍ଠ ସଙ୍ଗୀତ ଓ ଭାରତନାଟ୍ୟମ୍, ତୃତୀୟ ସନ୍ଧ୍ୟାରେ ଭୁବନେଶ୍ୱରର ଶିବାଙ୍ଗୀ ଗ୍ରୁପ୍ ଦ୍ୱାରା ମ୍ୟୁଜିକାଲ୍ ଫ୍ୟୁଜନ୍, ଚତୁର୍ଥ ସନ୍ଧ୍ୟାରେ କର୍ଣ୍ଣାଟକୀ ସଙ୍ଗୀତ ଓ କଥକ ନୃତ୍ୟ ଏବଂ ପଞ୍ଚମ ସନ୍ଧ୍ୟାରେ ପୁରସ୍କାର ପ୍ରଦାନ ସହ ଗୁରୁ ରତିକାନ୍ତ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ‘ସୃଜନ’ର ଶିଳ୍ପୀମାନେ ଓଡ଼ିଶୀ ନୃତ୍ୟନାଟିକା ‘ରାବଣ’ ପରିବେଷଣ କରିବେ।

ସମ୍ବନ୍ଧିତ ଖବର